ଫରେଷ୍ଟରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣା : ଉଚ୍ଚ ଅଧିକାରୀଙ୍କ ନାଁରେ ଆସିଲା ଅଭିଯୋଗ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ସରକାରୀ ବାସଭବନରୁ ଜଣେ ଫରେଷ୍ଟରଙ୍କ ଝୁଲନ୍ତା ମୃତଦେହ ଜବତ ହୋଇଛି । ମୃତ ଫରେଷ୍ଟର ହେଲେ ରାୟଗଡ଼ାର ସଞ୍ଜୟ ନାୟକ । ଭବାନୀପାଟଣା ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଥିଲା । ପ୍ରାଥମିକ ତଦନ୍ତରୁ ପୋଲିସ ଏହା ଆତ୍ମହତ୍ୟା ବୋଲି ଅନୁମାନ କରୁଛି । ଫରେଷ୍ଟର ନାୟକ ଜୁନାଗଡ଼ ବ୍ଲକ ଜାରିଙ୍ଗ ସ୍ଥିତ ହାଇଟେକ୍ ସିଲଭିକଲଚର ନର୍ସରୀରେ କାର୍ଯ୍ୟରତ ଥିଲେ । ତେବେ କିଛିଦିନ ତଳେ ତାଙ୍କର ବଲାଙ୍ଗିର ଜିଲ୍ଲାକୁ ବଦଳି ହୋଇଥିଲା । ଏହି ଘଟଣାକୁ ନେଇ ମୃତକଙ୍କ ଭାଇ ରବିନାରାୟଣ ରାୟଗଡ଼ା ବନବିଭାଗର ଜଣେ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ନାମରେ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିବା ପ୍ରକାଶ କରିଛନ୍ତି । ରାୟଗଡା ବନବିଭାଗର ଜଣେ ଉଚ୍ଚ ପଦସ୍ଥ ଅଧିକାରୀ ସଞ୍ଜୟଙ୍କୁ ମାନସିକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ହୋଇଛି । ପିସି ନଦେଲେ ନିଲମ୍ବିତ କିମ୍ବା ବହିଷ୍କାର କରିବାକୁ ଧମକ ଦେଉଥିବା ସମ୍ପର୍କୀୟ ଅଭିଯୋଗ କରିଛନ୍ତି । ସଞ୍ଜୟଙ୍କ ମୃତଦେହ ନିକଟରୁ ମିଳିଥିବା ସୁସାଇଡ୍ ନୋଟରେ ଏହା ଦର୍ଶାଯାଇଛି ବୋଲି ରବିନାରାୟଣ ଏତଲାରେ ଉଲ୍ଲେଖ କରିଛନ୍ତି । ତେଣୁ ସଞ୍ଜୟଙ୍କ ଆତ୍ମହତ୍ୟା ପାଇଁ ବନବିଭାଗ ଉଚ୍ଚ ଅଧିକାରୀ ଦାୟୀ ବୋଲି ସେ ଅଭିଯୋଗ ଆଣି ତାଙ୍କ ପ୍ରତି କାର୍ଯ୍ୟନୁଷ୍ଠାନ ନେବା ପାଇଁ ପୋଲିସ ପ୍ରଶାସନକୁ ନିବେଦନ କରିଛନ୍ତି । ତେବେ ଏହି ଘଟଣାକୁ ନେଇ ପୋଲିସ ଠାରୁ କୌଣସି ସୂଚନା ମିଳିପାରି ନାହିଁ । ପରିବାରବର୍ଗ ଉଚ୍ଚ ସ୍ତରୀୟ ତଦନ୍ତ ଦାବୀ କରିଛନ୍ତି । ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.