୨ କୋଟିରୁ ଅଧିକ ମନରେଗା ଟଙ୍କାର ଆତ୍ମସାତକୁ ନେଇଁ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣିରେ ଅଭିଯୋଗ

ରାୟଗଡା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ପଞ୍ଚାୟତ ସମିତି କାର୍ଯ୍ୟାଳୟ କାଶୀପୁର ଠାରେ ଆଜି ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେଇଯାଇଛି । କାର୍ଯ୍ୟକ୍ରମରେ ରାୟଗଡା ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅଭିଯୋଗ ଶୁଣାଣି ଶିବିରରେ ଆରକ୍ଷୀ ଅଧିକ୍ଷକ ହରିଶ ବି. ସି, ନିର୍ବାହୀ ଅଧିକାରୀ ତଥା ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ, ନିହାର ରଞ୍ଜନ କହଁର, ଉପଜିଲ୍ଲାପାଳ ଶ୍ରୀମତୀ କଲ୍ୟାଣୀ ସଂଘମିତ୍ରା ଦେବୀ, ସମିତି ଅଧ୍ୟକ୍ଷ କଣ୍ଠ ମାଝି ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଲାଲମୋହନ ରାଉତରାୟଙ୍କର ଉପସ୍ଥିତରେ ଶୁଣାଣି ହୋଇଯାଇଛି । କାର୍ଯ୍ୟକ୍ରମରେ ମୋଟ୍‌ ୧୦୨ଟି ଅଭିଯୋଗ ଆସିଥିଲା । ସେଥି ମଧ୍ୟରୁ ୯୧ଟି ବ୍ୟକ୍ତିଗତ ଅଭିଯୋଗ ଥିଲା ବେଳେ ୧୧ଟି ଗ୍ରାମବାସୀ ମାନଙ୍କର ସାମୁହିକ ଅଭିଯୋଗ ଥିଲା । ଜିଲ୍ଲାପାଳ ଶ୍ରୀମତୀ ପଟାୱାରୀ ବ୍ଲକର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଅନୁଧ୍ୟାନ କରିଥିଲେ । ଏହି ପରିପେକ୍ଷୀରେ ବ୍ଲକ ଅନ୍ତର୍ଗତ ଏକାଧିକ ଗ୍ରାମ ପଞ୍ଚାୟତରେ ଏମ୍‌. ଜି. ଏନ୍‌. ଆର୍‌. ଜି. ଏ. ଦୁର୍ନୀତିକୁ ମୁଖ୍ୟ ପ୍ରସଙ୍ଗ କରିଥିବାବେଳେ ସାମ୍ବାଦିକ ଅଞ୍ଜନ ନାଏକ, ଗୋଲକ ବିହାରୀ ସାମନ୍ତରାୟ ଓ ସତ୍ୟନାରାୟଣ ସାହୁ ପ୍ରାୟ ୨ କୋଟିରୁ ଅଧିକ ଟଙ୍କା ମନରେଗା ଯୋଜନା ଦୁର୍ନୀତିର ନଥିପତ୍ର ପ୍ରମାଣ ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ । ଘଟଣାରେ କାଶୀପୁର ବ୍ଲକ କାର୍ଯ୍ୟାଳୟରେ ତଳ ସ୍ତରରୁ ତଦନ୍ତ କରାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ । ଅପହରାହ୍ନ ୧ଟା ୩୦ ମିନିଟ୍‌ ପରେ ମିଳିଥିବା ଅଭିଯୋଗକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଉପସ୍ଥିତ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇ ବ୍ଲକ ଅନ୍ତର୍ଗତ ପୋଡାପାଡି ଗ୍ରାମ ପଞ୍ଚାୟତରେ ଅନ୍ୟ ଏକ ଜନଶୁଣାଣି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଜିଲ୍ଲାପାଳ ବାହାରିଥିଲେ ।

Leave A Reply

Your email address will not be published.