ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

  • ବିଭିନ୍ନ ୧୫ ଗୋଟି ଅଭିଯୋଗ ଦରଖାସ୍ତ ଗ୍ରହଣ
  • ୧ ଗୋଟି ଅଭିଯୋଗର ତୁରନ୍ତ ସମାଧାନ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଜି ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ତରଭା ବ୍ଲକ ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ ଓ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦାନ କରି ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଓ ସମସ୍ୟା ନିହିତ ୧୫ ଗୋଟି ପଞ୍ଜିକୃତ ଅଭିଯୋଗ ଦରଖାସ୍ତ ଗ୍ରହଣ କରିଥିଲେ । ତନ୍ମଧ୍ୟରେ ବ୍ୟକ୍ତିଗତ ଦରଖାସ୍ତ ୦୬ ଗୋଟି ଓ ସାମୁହିକ ଦରଖାସ୍ତ ୦୯ ଗୋଟି ଗ୍ରହଣ କରାଯାଇଛି । ଗ୍ରହଣ କରାଯାଇଥିବା ଦରଖାସ୍ତ ମଧ୍ୟରୁ ଶିବିରରେ ୦୧ ଗୋଟି ଅଭିଯୋଗ ଦରଖାସ୍ତର ତୁରନ୍ତ ସମାଧାନ କରାଯାଇଥିବା ବେଳେ ଅନ୍ୟାନ୍ୟ ୧୪ଟି ଆପତ୍ତି ଅଭିଯୋଗ ଦରଖାସ୍ତକୁ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ତୁରନ୍ତ ସମାଧାନ ପାଇଁ ସମ୍ପୃକ୍ତ ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି । ପ୍ରାପ୍ତ ଦରଖାସ୍ତ ମଧ୍ୟରେ ୦୨ ଗୋଟି ଦରଖାସ୍ତ ଆର୍ଥିକ ସହାୟତା ପ୍ରଦାନ ନିମନ୍ତେ ଗ୍ରହଣ କରାଯାଇଛି । ବିଡିଓ, ତରଭା ବିନୟ କୁମାର ପଟେଲଙ୍କ ତତ୍ୱାବଧାନରେ ଆଜି ଅନୁଷ୍ଠିତ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଅଦ୍ୟକ୍ଷ ପ୍ରଫୁଲ୍ଲ କୁଜୁର, ଉପ ଜିଲ୍ଲାପାଳ, ସୋନପୁର ଡ଼ଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର, ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ, ଅତିରିକ୍ତ ତହସିଲଦାର, ବ୍ଲକସ୍ତରୀୟ କର୍ମଚାରୀ, ସାମ୍ବାଦିକ ପ୍ରମୁଖ ଯୋଗଦାନ କରିଥିଲେ । ପ୍ରାପ୍ତ ଦରଖାସ୍ତ ମଧ୍ୟରେ ୮ ଗୋଟି ସିଏମ୍‌ଆର୍‌ଏଫ୍‌ ନିମନ୍ତେ ଗ୍ରହଣ କରାଯାଇଛି । ଯୁଗ୍ମ ଅଭିଯୋଗ ଶିବିର ପ୍ରାରମ୍ଭରେ ଜିଲ୍ଲାପାଳ ଶ୍ରୀମତୀ ନରୱଣେ, ନୂତନ ଗଠିତ ଜରାଜାରିଙ୍ଗ ଗ୍ରାମ ପଞ୍ଚାୟତର ନୂତନ ପଞ୍ଚାୟତ କାର୍ଯ୍ୟାଳୟ କୋଠା ତଥା କାର୍ଯ୍ୟାଳୟ ନିମନ୍ତେ ସ୍ୱେଛାକୃତ ଭାବେ ବଦନ୍ୟତାର ସହ ସରପଞ୍ଚ ଜରାଜାରିଙ୍ଗ ସଦା ପାତ୍ର ଭୂମି ପ୍ରଦାନ କରିଥିବା ହେତୁ ବ୍ଲକ ପ୍ରଶାସନ ତରଫରୁ ସମ୍ବର୍ଦ୍ଧିତ କରିଥିଲେ । ପରେ ପରେ ଜିଲ୍ଲାପାଳ ଶ୍ରୀମତୀ ନରୱଣେ, ଆରକ୍ଷୀ ଅଧିକ୍ଷକ ଶ୍ରୀ ପଣ୍ଡା, ତଥା ବିଡିଓ ତରଭା, ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୁଖ ପୁଆ ଗ୍ରାମ ପଞ୍ଚାୟତ ନିର୍ମାଣାଧୀନ ଅମୃତ ସରୋବର ତଥା ଆଦର୍ଶ ପୋଖରୀ, ରାଣୀସର୍ଡ଼ା ଗ୍ରାମ ପଞ୍ଚାୟତର ରାଣୀସର୍ଡ଼ା ୫ଟି ରୂପାନ୍ତରଣ ଉଚ୍ଚ ବିଦ୍ୟାଳୟ ଓ ଦେଉଳପଦର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଦେଉଳପଦର ୫ଟି ରୂପାନ୍ତରଣ ଉଚ୍ଚ ବିଦ୍ୟାଳୟର ନିର୍ମାଣାଧୀନ କାର୍ଯ୍ୟର ଅଗ୍ରଗତି ପରିଦର୍ଶନ କରିଥିଲେ ।

Leave A Reply

Your email address will not be published.

error: Content is protected !!