ବିଜେପି ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପାଣ୍ଡବଙ୍କ ପୁଅଙ୍କର ନାଁରେ ସାଂଘାତିକ ଅଭିଯୋଗ : ମନରେଗା ଯୋଜନା ମିଥ୍ୟା ବିଲ କରି ଉଠାଇଲେ ଲକ୍ଷାଧିକ ଟଙ୍କା, ବିଡିଓଙ୍କୁ ଅଭିଯୋଗ କଲେ ଗ୍ରାମବାସୀ
ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଏକ ଦାଦନ ପ୍ରବଣ ଅଞ୍ଚଳ । ପ୍ରତ୍ୟେକ ବର୍ଷ ହଜାର ହଜାର ଲୋକେ ଦାଦନ ଖଟିବା ପାଇଁ ବାହାର ରାଜ୍ୟକୁ ପେଟପାଟଣା ପାଇଁ ଯାଆନ୍ତି । ହେଲେ ରାଜ୍ୟ ସରକାର ଦାଦନ ରୋକିବାରେ ବିଫଳତା ହୋଇଛନ୍ତି । ରାଜ୍ୟ ସରକାର ଗ୍ରାମାଞ୍ଚଳରେ ଥିବା ଶ୍ରମିକମାନଙ୍କୁ ରୋଜଗାର ସୁଯୋଗ ଦେବା ସହ ଦାଦନ ରୋକିବା ପାଇଁ ମନରେଗା ଯୋଜନା ମାଧ୍ୟମରେ ବର୍ଷକୁ ୧୦୦ ଦିନର କାମ ଯୋଗାଇ ଦେବାର ନିୟମ ରହିଛି ହେଲେ ଶ୍ରମିକ ବଦଳରେ ମେସିନ ସାଜିଛି ଏଠି ସାହା ଭରସା । ଶ୍ରମିକ କାଙ୍ଗାଳ ଠିକାଦାର ମାଲେମାଲ ଭଳି ଅବସ୍ଥା ଦେଖିବାକୁ ମିଳୁଛି । ବଲାଙ୍ଗିର ଜିଲ୍ଲାର ବିଜେପି ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପାଣ୍ଡବ ସାହୁଙ୍କ ପୁଅଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ଆସିଛି । ମିଥ୍ୟାବିଲ କରି ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରିଥିବା ଅଭିଯୋଗ ହେଉଛି । ସୂଚନା ମତେ ସଇଁନ୍ତଲା ବ୍ଳକ ଡୁଙ୍ଗୁରିପାଲି ପଞ୍ଚାୟତ ତେଣ୍ଡଳୀପାଲି ଗ୍ରାମରେ ବିନା କାମରେ ଖେଳ ପଡିଆ ନାଁରେ ୨ ଲକ୍ଷ ଟଙ୍କା ଉଠା ଯାଇଥିବା ମଧ୍ୟ ଅଭିଯୋଗ ହୋଇଛି । ତେବେ ଏଭଳି ଅନେକ ଅନିୟମିତତା ହେଉଥିବା ମଧ୍ୟ ଦେଖିବା ସହ ଲକ୍ଷ ଲକ୍ଷ ଟଙ୍କା ବିନା କାମରେ ଉଠାଯାଉ ଥିବା ବେଳେ ଶ୍ରମିକଙ୍କ ବଦଳରେ ମେସିନ କାମ କରି ଶ୍ରମିକଙ୍କ ଅଜାଣତରେ ପଇସା ଉଠାଯାଉ ଥିବା ମଧ୍ୟ ଅଭିଯୋଗ ହୋଇଛି । ମନରେଗା ଯୋଜନାରେ ଗତ ୨୦୧୭ ମସିହାରେ ୧୦ ଲକ୍ଷ ଟଙ୍କା ମଞ୍ଜୁରୀ ହୋଇଥିଲା । ଏହାପରେ ଫାଇଲ ଖୋଲାଯାଇ ଥିଲା । ତେବେ ଖେଳ ପଡିଆରେ କୌଣସି ମାଟି କାମ କରାନଯାଇ ୨ ଲକ୍ଷ ଟଙ୍କା ବଲାଙ୍ଗିର ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପାଣ୍ଡବ ସାହୁଙ୍କ ବଡ଼ ପୁଅ ଗାଁ ସାଥୀ ଥିବା ବେଳେ ସେ ୫ ବର୍ଷ ହେବ ବଲାଙ୍ଗିରରେ ବସବାସ କରୁଥିବା ବେଳେ ତାଙ୍କ ସାନ ପୁଅ ଗଜପତି ସାହୁ ରାଜନୈତିକ ଚାପ ପକାଇ ଟଙ୍କା ଉଠାଣ କରିଥିବା ସହ କିଛି କାମ ନ ହୋଇ ମିଥ୍ୟା ବିଲ କରି ଟଙ୍କା ଉଠାଇ ଥିବା ସ୍ଥାନୀୟ ଗ୍ରାମବାସୀ ତପି ସାହୁ ଅଭିଯୋଗ କରିଛନ୍ତି । ଏନେଇ ବିଡିଓ ଚନ୍ଦ୍ରମଣୀ ନାଗଙ୍କୁ ଲିଖିତ ଭାବରେ ମୁକେଶ ସାହୁ, ତପିଧର ସାହୁ, ଭୁବନେଶ୍ୱର ସାହୁ, ଗୋପ ସାହୁ, ଲଳିତ ସାହୁ ପ୍ରମୁଖ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଅଭିଯୋଗ ଅନୁଯାୟୀ, ଗତ ୨୬/୫/୨୦୨୦ ତାରିଖରେ ୨୮ ହଜାର ୯୮୦, ୨୮/୯/୨୦ ତାରିଖରେ ୬୬ ହଜାର ୨୪୦ ଟଙ୍କା ଓ ୨୬/୧୧/୨୦ ତାରିଖରେ ୫୨ ହଜାର ୧୬୪ ଟଙ୍କା ବିନା କାମରେ ଉଠାଣ ହୋଇଥିବା ଗ୍ରାମବାସୀ ଜାଣିବା ପରେ ଅଞ୍ଚଳରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । କେତେ ଟଙ୍କାର ଦୁର୍ନୀତି ହୋଇଛି ତାହା ତଦନ୍ତ କରାଯିବା ପରେ ଘଟଣା ସାମ୍ନାକୁ ଆସିବ ବୋଲି ଲୋକେ ଚର୍ଚ୍ଚା କରୁଛନ୍ତି । ରାତି ସାରା ମେସିନ ଦ୍ଵାରା କାମ ଚାଲିଥିବା ବେଳେ ସ୍ଥାନୀୟ ଲୋକେ ଜାଣିବା ପରେ ଉକ୍ତ ସ୍ଥାନରେ ପହଁଚିବା ପରେ କାମ ବନ୍ଦ କରାଯାଇ ଥିଲା । ତେବେ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବୀ ହେଉଛି । ଏନେଇ ଗଜପତି ସାହୁଙ୍କୁ ପଚାରିବାରୁ ବଡ଼ ପଥରଗୁଡ଼ିକ ଥିବା ବେଳେ ତାହାକୁ ହଟାଇବା ପାଇଁ ମେସିନରେ କାମ କରାଯାଉ ଥିବା ବେଳେ କୌଣସି ପ୍ରକାରର ଦୁର୍ନୀତି ହୋଇନ ଥିବା କହିଛନ୍ତି । ଏନେଇ ବିଡିଓ ଚନ୍ଦ୍ରମଣୀ ନାଗଙ୍କୁ ପଚାରିବାରୁ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।