ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡର ସମସ୍ତ ଗ୍ରାମାଞ୍ଚଳମାନଙ୍କରେ କେତେକ ଅସାମାଜିକ ଲୋକ ବଣୁଆ ହାତୀର ଉପଦ୍ରବ ଆଳରେ ଲୋକଙ୍କ ମଧ୍ୟରେ ଭୟ ଦେଖାଇ ଅନୈତିକ କାର୍ଯ୍ୟ କରିବା ନେଇ ସାଧାରଣରେ ଅଭିଯୋଗ ହେଉଛି । ସୂଚନା ଯୋଗ୍ୟ ଯେ, ଖପ୍ରାଖୋଲ ହରିଶଙ୍କର ରେଞ୍ଜ ଓ ଲରମ୍ଭା ସର୍କଲ ଅଞ୍ଚଳର ଗ୍ରାମାଞ୍ଚଳକୁ ଗତ କିଛି ଦିନ ପୂର୍ବେ ବଣୁଆ ହାତୀ ଆସି ଧନ ଜୀବନ ଅସ୍ତବ୍ୟସ୍ତ କରିପକାଇଥିଲେ ଏବଂ କେତେ ଜଣଙ୍କୁ ଦଳି ଦେଇ ମାରି ଦେଇଥିଲେ । ଏହାର ଫାଇଦା ଉଠାଉ କେତେକ ଅସାଧୁ ଲୋକ ହାତୀ ଆସୁଛି ବୋଲି ଲୋକଙ୍କ ସାମ୍ନାରେ କହିବାରୁ ସନ୍ଧ୍ୟା ନହେଉଣୁ ଲୋକେ ଭୟରେ ଦୋକାନ ବଜାର ରାସ୍ତାରେ ଯାତାୟାତ ଇତ୍ୟାଦି ବନ୍ଦକରି ଘରେ କବାଟ କିଳି ରହୁଛନ୍ତି । ଫଳତଃ ଉକ୍ତ ଅସାଧୁ ଲୋକ ଦୋକାନ ଚୋରି କରିବା, କ୍ଷେତର ମୂଲ୍ୟବାନ ଗଛ ରାତାରାତି ହାଣି ନେଇଯିବା, ପୋଖରୀରୁ ମାଛ ମାରି ନେଇ ଯିବା ଇତ୍ୟାଦି କାର୍ଯ୍ୟମାନ କରୁଥିବା ଅଭିଯୋଗ ହେଉଛି । ଏଦିଗରେ ପ୍ରଶାସନିକ ଉଚ୍ଚ କତ୍ତୃପକ୍ଷ ଦୃଷ୍ଟି ଦେବା ସହ ଦୋଷୀମାନଙ୍କ ବିରୁଦ୍ଧରେ କଡ଼ା ପଦକ୍ଷେପ ନେବା ପାଇଁ ସାଧାରଣରେ ଦାବୀ ହେଉଛି ।