ମନରେଗା ଦୁର୍ନୀତି ଘଟଣା : ତଦନ୍ତ ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହୋଇନଥିବା ଅଭିଯୋଗ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ସରକାର ଗ୍ରାମାଞ୍ଚଳରେ ଥିବା ଶ୍ରମିକମାନଙ୍କୁ ରୋଜଗାର ସୁଯୋଗ ଦେବା ସହ ଦାଦନ ଯିବାକୁ ରୋକିବା ପାଇଁ ମନରେଗା ଯୋଜନା ମାଧ୍ୟମରେ ବର୍ଷକୁ ୧୦୦ ଦିନର କାମ ଯୋଗାଇ ଦେବା ପାଇଁ ନିୟମ କରିଛନ୍ତି । ଏହି ନିୟମ ଅନୁସାରେ ପ୍ରତ୍ୟେକ ପଂଚାୟତରେ ବ୍ୟକ୍ତିଗତ ପ୍ରକଳ୍ପ ସହିତ ଗୋଷ୍ଠୀ ପ୍ରକଳ୍ପଗୁଡିକୁ ପଂଚାୟତ ମାଧ୍ୟମରେ କାର୍ଯ୍ୟକାରୀ କରାଯାଇ ଶ୍ରମିକମାନଙ୍କୁ କାମ ଯୋଗାଇ ଦିଆଯାଉଥିବା ସହ ରାସ୍ତାଘାଟ, ପୋଖରୀ ଖନନ, ଆଡିବନ୍ଧ ନିର୍ମାଣ ଭଳି ଅନେକ ସାମୁହିକ ଉନ୍ନୟନ ମୂଳକ ପ୍ରକଳ୍ପ କରାଯାଇଥାଏ । କିନ୍ତୁ ପ୍ରକୃତ ଶ୍ରମିକ କାମ ନପାଇ ମୃତ ଓ ଶର୍ଯ୍ୟାଶାୟୀ ତଥା କାମ ନକରିଥିବା ଶ୍ରମିକଙ୍କ ନାମରେ ଟଙ୍କା ପକାଯାଇ ପରେ ଗାଁ ସାଥୀ ମାଧ୍ୟମରେ ପିଇଓ, ଜିଆରଏସ, ଜେଇ ଟଙ୍କା ଆଦାୟ ତଥା ମାଟି କାମରେ ଦୁର୍ନୀତି, ନିମ୍ନମାନର ପାହାଚ ନିର୍ମାଣ ଆଦି ସମନ୍ଧରେ ବଲାଂଗିର ଜିଲ୍ଲା ଆଗଲପୁର ବ୍ଲକ ନଅଗାଁ (ଖ)ପଂଚାୟତ ତେନ୍ତୁଳି ଖୁଣ୍ଟି ଗ୍ରାମବାସୀ ତାଙ୍କ ଗ୍ରାମର ରାସ୍ତା ପାଶ୍ୱରେ ଥିବା ଖରଡିଆମୁଣ୍ଡା ପୋଖରୀ ଖନନ ତଥା ପାହାଚ ନିର୍ମାଣ କାର୍ଯ୍ୟ ଦୁର୍ନୀତି ସମନ୍ଧରେ ତା୨୦/୭/୨୧ରେ ପିଡି, ଡିଆରଡିଏଙ୍କ ପାଖରେ ଅଭିଯୋଗ କରିଥିଲେ । ପିଡି ମହୋଦୟ ଅନୁସନ୍ଧାନ କରିବାକୁ ଜିଲ୍ଲା ସାମାଜିକ ସମୀକ୍ଷକ (ଏନଆରଇଜିଏ) ବର୍ଷା ହରପାଲଙ୍କୁ ପଠାଇଥିଲେ । ଗ୍ରାମବାସୀ ଅଭିଯୋଗ କରନ୍ତି ବର୍ଷା ହରପାଲ ବ୍ଲକ କର୍ମଚାରୀ, ପିଇଓ, ଜିଆରଏସ୍‌ ଜେଇ ଓ ଗାଁ ସାଥୀଙ୍କୁ ନେଇ ଅଭିଯୋଗ କାରୀଙ୍କୁ ନଜଣାଇ ତଥା ମନମୁଖି ଅନୁସନ୍ଧାନ କରି କାମ କରିନଥିବା ଲୋକଙ୍କୁ ପଚରା ଯାଇନଥିଲା । ଆରଟିଆଇ ତଥ୍ୟରୁ ଜଣାପଡିଲା ୩୨ଜଣ ଶ୍ରମିକ କାମ ନକରି, ଅନେକ ମୃତ ବ୍ୟକ୍ତି ତଥା ବିକଳାଂଗ, ଶର୍ଯ୍ୟାଶାୟୀ ଶ୍ରମିକଙ୍କ ଜବକାର୍ଡରେ କାମ କରାଯାଇ ଥିବା ଦର୍ଶାଯାଇ ଆକାଉଣ୍ଟରେ ଟଂକା ପକାଯାଇ ପରେ ଗାଁ ସାଥୀଙ୍କ ଜରିଆରେ ଟଂକା ଆଦାୟ କରିବା, ଗ୍ରାମର ୱାର୍ଡ ମେମ୍ବର ଭାଇ, ଭାଇ ବୋହୁ, ଗାଁ ସାଥୀର ପରିବାର ଓ ସମ୍ପର୍କୀୟ ଆଦିଙ୍କ ନାମରେ ଟଙ୍କା ପକାଇ ହରିଲୁଟ ହୋଇଥିବା ନେଇ ଦ୍ବିତୀୟ ଥର ଏଡିଏମଙ୍କ ପାଖରେ ଗ୍ରାମବାସୀ ଅଭିଯୋଗ କରିବାରୁ ପୁଣି ଥରେ ଜିଲ୍ଲା ସାମାଜିକ ସମିକ୍ଷକ ବର୍ଷା ହରପାଲ ୧/୯/୨୧ସମୟ ଦିବା ୧୨ଘଣ୍ଟା ୪୫ ମିନିଟ ସମୟରେ ମୃତ ବ୍ୟକ୍ତିଙ୍କ ପରିବାର ଲୋକଙ୍କ ସହିତ ଗ୍ରାମବାସୀଙ୍କ ସମ୍ବୁଖରେ ଅନୁସନ୍ଧାନ କରିଥିଲେ । ଗ୍ରାମବାସୀ ଗଣମାଧ୍ୟମ ସମ୍ବୁଖରେ ପ୍ରକାଶ କରିଛନ୍ତି ଯେ, ସାମାଜିକ ସମୀକ୍ଷକ ବର୍ଷା ହରପାଲ ଦୁଇ ଦୁଇଥର ତଦନ୍ତ କଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଦୋଷୀ ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ନିଯାଉନାହିଁ । ଆଗାମୀ ଦିନରେ ଆମ୍ଭେ ତେନ୍ତୁଳିଖୁଣ୍ଟି ଗ୍ରାମବାସୀ ରାଜରାସ୍ତାକୁ ଅବରୋଧ କରି ଆନ୍ଦୋଳନ ତୀବ୍ର କରିବାକୁ ବାଧ୍ୟ ହେବୁ । ଯଦି କିଛି ଅଘଟଣ ଘଟେ ସେଥିପାଇଁ ପ୍ରଶାସନ ଉତ୍ତର ଦାୟୀ ହେବେ ବୋଲି ଗ୍ରାମବାସୀ ମାନେ କହିଛନ୍ତି ।

Leave A Reply

Your email address will not be published.