୯୪ ଜଣ ଦାଦନ ଶ୍ରମିକଙ୍କୁ ତେଲେଙ୍ଗାନାରେ ନିର୍ଯ୍ୟାତନା ଅଭିଯୋଗ

  • ସମତା ଏନଜିଓ, ଭୋନଗିରି ଜିଲ୍ଲା ଶ୍ରମ ବିଭାଗ ସହାୟତାରେ ନିଜ ଘରକୁ ଫେରିଲେ ଶ୍ରମିକ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଓଡିଶା ବାହାରକୁ ଦାଦନ ଖଟିଯାଉଥିବା ଦାଦନ ଶ୍ରମିକ ମାନଙ୍କୁ ନିର୍ଯ୍ୟାତନା ଦିଆଯାଉଥିବା ଏବଂ ସେଇ ନିର୍ଯ୍ୟାତନାରେ ଶ୍ରମିକ ମାନଙ୍କ ମୃତ୍ୟୁ ହେଉଥିବା କିଛି ନୁଆଁ କଥା ନୁହେଁ । ସରକାର ଏବଂ ପ୍ରଶାସନ ଲୋକଙ୍କୁ କାମ ଯୋଗାଇଦେବା ନାମରେ ନିଜର ଡିଣ୍ଡିମ ଯେତେ ପିଟୁଥିଲେ ମଧ୍ୟ ତାହା ପଦାରେ ପଡି ଦାଣ୍ଡରେ ଗଡୁଛି । ନିଜ ରାଜ୍ୟରେ ଶ୍ରମିକମାନେ କାମଧନ୍ଦା ନପାଇ କାହିଁକି ବାହାର ରାଜ୍ୟକୁ ଯାଇ ନିର୍ଯ୍ୟାତିତ ହେଉଛନ୍ତି ତାହାର ଆଲୋଚନା ସହ ଏ ଦିଗରେ ସରକାର ଦୃଷ୍ଟି ଦେବା ନିହାତି ଆବଶ୍ୟକ । ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ, ପାଟଣାଗଡ଼, ବେଲପଡା ଏବଂ ଟିଟିଲାଗଡ଼ ଥାନା ଅଞ୍ଚଳରୁ ସମୁଦାୟ ୬୮ ଜଣ ଦାଦନ ଶ୍ରମିକ ଏବଂ ୨୬ ଜଣ ଶିଶୁଙ୍କୁ ତେଲେଙ୍ଗାନା ରାଜ୍ୟ ଭୋନଗିରି ଜିଲ୍ଲା ପୋଚମପଲ୍ଲି ଥାନା ଅନ୍ତର୍ଗତ ଜଗତପଲ୍ଲୀ ଏଏମ୍‌ବି ଇଟାଭାଟିରୁ ମାଲିକ ଦ୍ୱାରା ନିର୍ଯ୍ୟାତିତ ହୋଇ ଘରକୁ ଫେରିଥିବା ଘଟଣା ଶ୍ରମିକ ମାନଙ୍କ ଅସୁବିଧାକୁ ବଖାଣୁଛି । ସୂଚନା ଅନୁଯାୟୀ ଦାଦନ ସର୍ଦ୍ଦାରର ମଧ୍ୟସ୍ଥି ମାନେ ଇଟା ଭାଟିରେ କାମଧନ୍ଦା ଯୋଗାଇ ଦେବାପାଇଁ ଯୋଗାଯୋଗ କରି ଦାଦନ ଶ୍ରମିକ ମାନଙ୍କୁ ବାହାର ରାଜ୍ୟକୁ ପଠାଉ ଥିବା ସଦର ବେଲପଡାର ଦାଦନ ସର୍ଦାର ଦେବ ସୁନା ଏବଂ ବେଛୁବାହାଲି ଗ୍ରାମର ଦାଦନ ସର୍ଦାର ପୁସ୍ତମ ବାଗ ସହ ସାକ୍ଷାତ କରାଇ ସେମାନଙ୍କୁ ଗତ କିଛି ଦିନ ତଳେ ତେଲେଙ୍ଗାନା ରାଜ୍ୟ ଭୋନଗିରି ଜିଲ୍ଲା ଜଗତପଲ୍ଲି ସ୍ଥିତ ଏଏମ୍‌ବି ଇଟାଭାଟିକୁ ବେଆଇନ ଭାବେ ପଠାଇଥିଲେ । ସେଠାରେ ଇଟା ଭାଟି ମାଲିକ ସେମାନଙ୍କୁ କିଛିଦିନ ଭଲଭାବରେ ଦେଖାଶୁଣା କରିବା ପରେ ନିର୍ଯ୍ୟାତନା ଦେବା ଆରମ୍ଭ କରିଥିଲା । ଏପରିକି ସେମାନଙ୍କୁ ଦିନରାତି କାମରେ ଖଟାଇ ବହୁତ କମ ମଜୁରୀ ଦେଉଥିବାବେଳେ ଏହାର ବିରୋଧ କଲେ ସେମାନଙ୍କୁ ଅସହ୍ୟ ନିର୍ଯ୍ୟାତନା ଦେଇ ଜୀବନରେ ମାରିଦେବା ଧମକ ଦେବା ସହ ମାଡ ମାରୁଥିବା ଶ୍ରମିକ ମାନେ କହିଛନ୍ତି । ବିଶେଷ କରି ମହିଳା ଶ୍ରମିକ ମାନଙ୍କୁ ଅଶ୍ଳୀଳ ଭାଷା ଏବଂ ଇଙ୍ଗିତ କରିବା ସହ ସେମାନେ ଶୌଚ ଏବଂ ଗାଧୋଇବା ପାଇଁ ଯାଉଥିବା ବେଳେ ପୁରୁଷ ସୁରକ୍ଷା କର୍ମୀ ମାନଙ୍କୁ ସାଥିରେ ପଠାଉଥିଲା । ଏହି ସବୁ ଘଟଣା ସମ୍ପର୍କରେ ବିଶାଖାପାଟଣା ସ୍ଥିତ ଗୋଟିଏ ଅଣ ସରକାରୀ ସଂଗଠନ “ସମତା”ର ନିର୍ଦ୍ଦେଶକ ସୁଶାନ୍ତ ପାଣିଗ୍ରାହୀ ଜାଣିବାକୁ ପାଇଥିଲେ । ଘଟଣା ସମ୍ପର୍କରେ ଅବଗତ ହେବା ପରେ ଏବଂ ସତ୍ୟତା ଜାଣିଲା ପରେ ଭୋନଗିରି ଜିଲ୍ଲା ଶ୍ରମ ବିଭାଗ ସହ ଯୋଗାଯୋଗ କରିଥିଲେ । ଘଟଣାର ଖବର ପାଇ ଏଏଚ୍‌ଟିୟୁ ରଚକୋଣ୍ଡା ଟିମ, ଜି ଭେଙ୍କଟ ରେଡ୍ଡୀ (ଆର ଆଇ, ପୋଚମପଲ୍ଲି ମଣ୍ଡଳ) ଶିଶୁ ସଂଯୋଜକ ଏମ ଦଶରଥ, ଭୋନଗିରି ଏଏଲଓ ସାୟିଦ ମୋଇଜ଼ ଏବଂ ପୋଚମପଲ୍ଲି ପୋଲିସ ଟିମ ସୋମବାର ଏଏମବି ଇଟାଭାଟିରେ ଚଢ଼ାଉ କରି ୨୬ ଜଣ ଶିଶୁ, ୪୫ ଜଣ ମହିଳା ଏବଂ ୨୩ ଜଣ ପୁରୁଷ ଶ୍ରମିକ ମାନଙ୍କୁ ଉଦ୍ଧାର କରିଥିଲେ । ଉଦ୍ଧାର ହୋଇଥିବା ଶ୍ରମିକ ମାନଙ୍କୁ ଟ୍ରେନ ଯୋଗେ ଘରକୁ ଫେରିବା ପାଇଁ ବନ୍ଦୋବସ୍ତ କରାଯାଇଥବା ବେଳେ ସେମାନେ ମଙ୍ଗଳବାର ବଲାଙ୍ଗିର ପହଞ୍ଚିଥିବା ଜଣା ପଡିଛି । ଆଗକୁ ଜିଲ୍ଲା ଶ୍ରମ ବିଭାଗ ଏଦିଗରେ କଣ ପଦକ୍ଷେପ ନେବେ ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.