ନୂଆପଡ଼ା, (ଅଜିତ ବେହେରା) : ବାଘ ମାରିବା ମିଛ ଅଭିଯୋଗରେ ଅଭିଯୁକ୍ତଙ୍କୁ ଶାରୀରିକ ନିର୍ଯ୍ୟାତନା ଦିଆଯାଇଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ କରିଛନ୍ତି ଖଡ଼ିଆଳ ଥାନା ଅନ୍ତର୍ଗତ ଦାବ୍ରୀ ଗ୍ରାମର ୫ଜଣ ଆଦିବାସୀ ବ୍ୟକ୍ତି । ସେମାନେ ହେଲେ ଟିକଚନ ମାଝୀ, ଜୟରାମ ମାଝୀ, ଗୋରେଖ ଲାଲ ମାଝୀ, ପୂର୍ଣ୍ଣ ମାଝୀ ଓ ସଚିନ୍ଦ୍ର ମାଝୀ । ସେମାନଙ୍କ କହିବା ଅନୁସାରେ ଗତ ତାରିଖ ୦୬/୧୦/୨୪ ଦିନ ଖଡ଼ିଆଳ ବନଖଣ୍ଡର କୋଡ଼ିଏ/ପଚିଶ ଜଣ ବନ କର୍ମଚାରୀ ଦାବ୍ରି ଗ୍ରାମ ଯାଇ ସେମାନଙ୍କ ଘରର ତାଲା ଭାଙ୍ଗି ଜିନିଷ ପତ୍ର ଫିଙ୍ଗିବା ସହ ପରିବାରର ସମସ୍ତଙ୍କୁ ନିର୍ଯ୍ୟାତନା ଦେଇଥିଲେ । ପରେ ପୂର୍ଣ୍ଣ ଓ ଜୟରାମଙ୍କୁ ଖଡ଼ିଆଳ ଆଣି ବନଖଣ୍ଡର ହାଜତରେ ରଖି ଶାରୀରିକ ନିର୍ଯ୍ୟାତନା ଦେଇଦେବା ସହ ପୂର୍ଣ୍ଣଙ୍କୁ ୫ରୁ ୬ ଥର ବିଦ୍ୟୁତ୍ ସକ ଦେବାରୁ ସେ ଅଚେତ୍ ହୋଇ ଯାଇଥିଲେ ବୋଲି ଜଣାପଡ଼ିଛି । ତାଙ୍କୁ ଛାଡି ଜୟରାମଙ୍କୁ ମାଡ ମାରିଥିଲେ ଓ ଜୟରାମ ସହିତ ଗାଁକୁ ଆସି ଅନ୍ୟ ୩ଜଣଙ୍କୁ ନେଇ ଆସିଥିଲେ । ସେମାନଙ୍କ ମଧ୍ୟରୁ ୬୫ ବର୍ଷର ବୃଦ୍ଧ ଗୋରେକ୍ ଲାଲ ମାଝୀଙ୍କୁ ଦୁଇ ହାତ ପଛରେ ବାନ୍ଧି ଓ ଆଖିରେ ଗାମୁଛା ବାନ୍ଧି ମାଡ ମାରିବା ସହ ୩ଥର ବିଦ୍ୟୁତ୍ ସକ୍ ଦେଇଥିବା ଅଭିଯୋଗ ହୋଇଛି । ଟିକଚନ ମାଝୀଙ୍କୁ ଉଲଗ୍ନ କରି ବାଘ ମାରିଥିବା ମାନିଯିବାକୁ କହିଥିଲେ ଓ ନ ମାନିଲେ ଉଲଗ୍ନ ଫଟୋ ଭାଇରାଲ୍ କରିଦେବେ ବୋଲି ଧମକ ଦେଇଥିଲେ ବୋଲି ସେ କହିଛନ୍ତି । ତାଙ୍କୁ ଛୁରିରେ ମାରି ଦେବାର ଧମକ ଦେଇଥିବା ମଧ୍ୟ ସେ ଅଭିଯୋଗ ଆଣିଛନ୍ତି । ଏସବୁ ଘଟଣା କାହାକୁ କହିଲେ ଜେଲ ଭିତରୁ ବାହାରି ପାରିବନି ବୋଲି ମଧ୍ୟ ବନ ଅଧିକାରୀ କହିଥିବା ଅଭିଯୋଗ ହୋଇଛି । ପରେ ୧୮ ତାରିଖ ଦିନ ସେମାନଙ୍କୁ ଜେଲ ପଠାଇ ଦିଆଯାଇଥିଲା ଓ ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ତାରିଖ ୦୪/୧୨/୨୪ ଦିନ ଜାମିନରେ ସେମାନେ ଆସିଛନ୍ତି । ନିର୍ଯ୍ୟାତିତଙ୍କ ମଧ୍ୟରେ ପୂର୍ଣ୍ଣ ମାଝୀଙ୍କୁ ଜେଲରେ ଚିକିତ୍ସା କରିଥିଲେ ମଧ୍ୟ ଭଲ ନହେବାରୁ ଖଡ଼ିଆଳ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସା କରାଯାଇଥିବା ଜଣାପଡ଼ିଛି । ଏନେଇ ଅଭିଯୋଗକାରୀମାନେ ନ୍ୟାୟ ଭିକ୍ଷା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ, ପୋଲିସ ମହା ନିର୍ଦ୍ଦେଶକ, ଜଙ୍ଗଲ ସଂରକ୍ଷକ ଓଡ଼ିଶା ପ୍ରମୁଖଙ୍କୁ ଜଣାଇବା ପରେ ଖଡ଼ିଆଳ ଥାନାରେ ଏଫ୍ଆଇଆର୍ ଦେଇଛନ୍ତି ଓ ନିଜ ଓକିଲ ଯୁଧିଷ୍ଟିର ମେହେରଙ୍କ ଜରିଆରେ ସାମ୍ବାଦିକ ସମ୍ମିଳନୀ କରି ତଦନ୍ତ ଦାବି କରିଛନ୍ତି ।