ବାଟାଗୁଡ଼ା ସେବାଶ୍ରମ ହଷ୍ଟେଲରେ ଚିକିତ୍ସାରେ ଅବହେଳା ଯୋଗୁଁ ଛାତ୍ରଙ୍କ ମୃତ୍ୟୁ ଅଭିଯୋଗ : ଉଚ୍ଚ କର୍ତ୍ତୃପକ୍ଷଙ୍କ ତଦନ୍ତ ପାଇଁ ଦାବୀ

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ବାଟାଗୁଡାଠାରେ ଥିବା ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ଵାରା ପରିଚାଳିତ ସେବାଶ୍ରମ ହଷ୍ଟେଲରେ ରହୁଥିବା ୬ଷ୍ଠ ଶ୍ରେଣୀର ଛାତ୍ର ସତ୍ୟାନନ୍ଦ ନାୟକଙ୍କ ମୃତ୍ୟୁ ହୋଇଛି । ଚିକିତ୍ସାରେ ଅବହେଳା ଯୋଗୁଁ ଛାତ୍ରର ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଶନିବାର ମଧ୍ୟାହ୍ନରେ ପିଲାଟି ହଠାତ୍‌ ଅଚେତ ହୋଇ ଯାଇଥିଲା, ନିକଟରେ ଥିବା ଅନ୍ୟ ଛାତ୍ରମାନେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ ସଙ୍ଗେ ସଙ୍ଗେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ । ଚିକିତ୍ସାଳୟରେ ପହଞ୍ଚିବା ପୂର୍ବରୁ ଛାତ୍ରର ମୃତ୍ୟୁ ହୋଇଥିବା ବିଷୟ ଡାକ୍ତର ପ୍ରକାଶ କରିଥିଲେ । ମୃତ ଛାତ୍ର ଜଣକଙ୍କ ଘର କୋଟଗଡ ବ୍ଲକ ଓରା କଲୋନୀ ସାହିର ଶ୍ରୀ ନାୟକଙ୍କ ତିନି ଝିଅରେ ଏକ ମାତ୍ର ପୁଅ ହୋଇଥିବାରୁ ସମଗ୍ର ପରିବାର ଦୁଃଖରେ ଭାଙ୍ଗି ପଡିଛନ୍ତି । ଏପରି ପୂର୍ବରୁ ମଧ୍ୟ ବିଭିନ୍ନ ସେବାଶ୍ରମଗୁଡିକରେ ଛାତ୍ରଛାତ୍ରୀ ମୃତ୍ୟୁ ଘଟିବା, ଖାଦ୍ୟପେୟରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଯୋଗୁଁ ଛାତ୍ର ଛାତ୍ରୀ ଆଶ୍ରମ ଛାଡି ପଳାଇବା ଭଳି ବିଭିନ୍ନ ଅରାଜକତା ଘଟଣା ଲୋକଲୋଚନକୁ ଆସିବା ପରେ ଅଭିଭାବକମାନେ ଆଶ୍ରମ ବିଦ୍ୟାଳୟରେ ନିଜ ପିଲାମାନଙ୍କୁ ପାଠ ପଢିବା ପାଇଁ ଛାଡିବା ଉଚିତ ମନେ କରୁନାହାନ୍ତି । ଏଣୁ ଅଞ୍ଚଳବାସୀ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ତଦନ୍ତ ଦାବୀ କରିଛନ୍ତି । ଖବର ପାଇ ବାଲିଗୁଡା ବ୍ଲକ ମଙ୍ଗଳ ଅଧିକାରୀ ଦିବେଦ ମଲ୍ଲିକ ବିଦ୍ୟାଳୟରେ ପହଞ୍ଚି ପରିସ୍ଥିତି ସମ୍ପର୍କରେ ତଦାରଖ କରୁଛନ୍ତି । ଏ ସମ୍ପର୍କରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ପଦ୍ମିନୀ ପ୍ରଧାନଙ୍କୁ ପଚାରିବାରୁ ସେ କିଛି ନ କହି ଘଟଣା ସ୍ଥଳରୁ ଚାଲି ଯାଇଥିଲେ ।

jittmm
Leave A Reply

Your email address will not be published.