oom

ସାମ୍ବାଦିକଙ୍କୁ ଗାଳିଗୁଲଜ ଓ ହତ୍ୟା ଧମକ ନେଇ ଥାନାରେ ଅଭିଯୋଗ

jsmm

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ଅଞ୍ଚଳରେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ ଓ ହତ୍ୟା ଧମକ ଦିଆଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଏନେଇ ଲୋଇସିଂହା ସାମ୍ବାଦିକ ସଙ୍ଘର ସଦସ୍ୟମାନେ ସ୍ଥାନୀୟ ଥାନାଧିକାରୀଙ୍କୁ ସାକ୍ଷାତ କରିବା ସହିତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଓ ଜିଲା ସାମ୍ବାଦିକ ସଙ୍ଘର ଦୃଷ୍ଟି ଆକର୍ଷଣ କରିଥିବା ଜଣାଯାଇଛି । ସୂଚନା ଅନୁସାରେ ଗତକାଲି ସୋମବାର ପୂର୍ବାହ୍ନରେ ସାମ୍ବାଦିକ ସାରଙ୍ଗ ଭୋଇ ଓ ସୁଶାନ୍ତ ବାରିକ ଲୋଇସିଂହା ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ବେଳେ ସେଠାରେ ପହଞ୍ଚିଥିଲେ ବ୍ଲକ ଅଧ୍ୟକ୍ଷ ଯତୀନ୍ଦ୍ର ପଟେଲ ଓ ସରଗାଡ଼ ସରପଞ୍ଚ ସରୋଜ ବେହେରା । କୌଣସି କାରଣ ନ ଥାଇ ଅଧ୍ୟକ୍ଷ ଶ୍ରୀ ପଟେଲ ଏବଂ ସରପଞ୍ଚ ଶ୍ରୀ ବେହେରା ଉଭୟ ସାମ୍ବାଦିକଙ୍କ ଉପସ୍ଥିତିରେ ସର୍ବ ସମ୍ମୁଖରେ ସ୍ଥାନୀୟ ଅଞ୍ଚଳର ସାମ୍ବାଦିକଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ । ଏଥିସହିତ ବିଭିନ୍ନ ଦୁର୍ନୀତି ଭିତ୍ତିକ ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହୋଇ ଆସୁଥିବାରୁ ଗାଡି ଚଳାଇ ସାମ୍ବାଦିକଙ୍କୁ ମାରିଦେବା ନେଇ ଧମକ ଦେଇଥିଲେ । ସାମ୍ବାଦିକ ସାରଙ୍ଗ ଭୋଇ ଏବଂ ସୁଶାନ୍ତ ବାରିକ ସାମ୍ବାଦିକମାନଙ୍କ ପ୍ରତି ଉଭୟ ଜନପ୍ରତିନିଧିଙ୍କ ଆଭିମୁଖ୍ୟ ସମ୍ପର୍କରେ ସ୍ଥାନୀୟ ସାମ୍ବାଦିକ ସଙ୍ଘର ସଦସ୍ୟମାନଙ୍କ ସହିତ ଆଲୋଚନା କରିଥିଲେ । ପରେ ନିଷ୍ପତ୍ତି ମୁତାବକ ସଙ୍ଘର ସଦସ୍ୟମାନେ ଥାନାରେ ଲିଖିତ ଭାବେ ଅଭିଯୋଗ କରିଥିଲେ । ଏଭଳି ଘଟଣାକୁ ଜିଲ୍ଲା ସାମ୍ବାଦିକ ସଙ୍ଘର ସଭାପତି ଶିବପ୍ରସାଦ ପରିଡା, ସାଧାରଣ ସମ୍ପାଦକ ଶିଶିରକାନ୍ତ ଶତପଥୀ, ବଲାଙ୍ଗିର ଜିଲ୍ଲା ପେଷାଦାର ସାମ୍ବାଦିକ ସଙ୍ଘର ସଭାପତି ଆନନ୍ଦଚନ୍ଦ୍ର ସାହୁ, ସାଧାରଣ ସମ୍ପାଦକ ବିମଳେନ୍ଦୁ ସାହୁ, ପ୍ରେସକ୍ଳବ ସଭାପତି ଅରୁଣ ମିଶ୍ର, ଓୟୁଜେ ଜିଲ୍ଲା ସଭାପତି ପ୍ରଦୀପ୍ତ ମିଶ୍ର ପ୍ରମୁଖ ଦୃଢ଼ ନିନ୍ଦା କରିବା ସହିତ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି । ଲୋଇସିଂହା ବିଧାୟକ ଡ଼ ମୁକେଶ ମହାଲିଙ୍ଗ, ବିଜେଡି ରାଜ୍ୟ ପରିଷଦ ସଭ୍ୟ ନିହାର ରଞ୍ଜନ ବେହେରା, ଜିଲ୍ଲା କଂଗ୍ରେସ ସଭାପତି ଦିଲୀପ କୁମାର ବେହେରା ପ୍ରମୁଖ ଘଟଣାକୁ ଦୁର୍ଭାଗ୍ୟଜନକ ବୋଲି ଜଣାଇବା ସହିତ ସାମ୍ବାଦିକଙ୍କ ପ୍ରତି ଜନ ପ୍ରତିନିଧିଙ୍କ ଏଭଳି ମନ୍ତବ୍ୟ ନିନ୍ଦନୀୟ ବୋଲି ପ୍ରକାଶ କରିଛନ୍ତି । ତେବେ ଅଭିଯୋଗ ସମ୍ପର୍କରେ ବ୍ଲକ ଅଧ୍ୟକ୍ଷ ଶ୍ରୀ ପଟେଲ ତାହା ଥଟ୍ଟା ତାମସା ଜନିତ ଏକ ବାର୍ତ୍ତାଳାପ ଥିଲା ବୋଲି ପ୍ରକାଶ କରିଛନ୍ତି ।

jittmm
Leave A Reply

Your email address will not be published.