ଗୁରୁ-ଶିଷ୍ୟର ପବିତ୍ର ସଂପର୍କରେ ପୁଣି ଥରେ ଲାଗିଛି କଳଙ୍କର ଦାଗ : ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକ ଅସଦାଚରଣ କରିଥିବା ଅଭିଯୋଗ
ପାଟଣାଗଡ଼, (ସଦାଶିବ ସରାଫ) : ଗୁରୁ-ଶିଷ୍ୟର ପବିତ୍ର ସଂପର୍କରେ ପୁଣି ଥରେ ଲାଗିଛି କଳଙ୍କର ଦାଗ । ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଜଣେ ଶିକ୍ଷକ ଅସଦାଚରଣ କରିଥିବା ସହ ଦୁଷ୍କର୍ମ କରିବା ଉଦ୍ୟମ ଏବଂ ଘଟଣାକୁ ପ୍ରକାଶ କଲେ ଜୀବନରେ ମାରିଦେବାକୁ ଧମକ୍ ଦେଇଥିବା ଭଳି ଏକ ଗୁରୁତର ଘଟଣା ଦେଖିବାକୁ ମିଳିଛି ପାଟଣାଗଡ଼ ଅଞ୍ଚଳରେ । ତେବେ ପୀଡିତା ଛାତ୍ରୀଙ୍କ ଅଭିଭାବକ ଏ ସଂପର୍କରେ ପାଟଣାଗଡ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଅଭିଯୁକ୍ତ ଶିକ୍ଷକଙ୍କୁ ପାଟଣାଗଡ ଥାନାକୁ ଆଣି ଅଧିକ ପଚରାଉଚୁରା ଆରମ୍ଭ କରିଛି ପୁଲିସ । ପ୍ରକାଶ ଯେ, ଜନୈକ ୧୫ ବର୍ଷୀୟା ନାବାଳିକା ଯୋଗୀମୁଣ୍ଡା ହାଇସ୍କୁଲରେ ଦଶମ ଶ୍ରେଣୀରେ ପାଠ ପଢ଼ନ୍ତି । ଗତ ୨୮ ତାରିଖ ଦିନ ଉକ୍ତ ବିଦ୍ୟାଳୟର ଭୂଗୋଳ ଶିକ୍ଷକ ସତ୍ୟନାରାୟଣ ନାଏକ(୪୨) ପୁସ୍ତକ କିଣି ଦେବା ଆଳ ଦେଖାଇ ଛାତ୍ରୀ ଜଣକୁ ନିଜ ସହ ମଟର ସାଇକେଲରେ ବସିବା ପାଇଁ ବାଧ୍ୟ କରିଥିଲେ । ଗୁରୁଙ୍କ ଆଦେଶକୁ ଅବଜ୍ଞା କରି ନ ପାରି ଛାତ୍ରୀ ଜଣକ ବାଧ୍ୟ ହୋଇ ତାଙ୍କ ମଟର ସାଇକେଲରେ ବସିଥିଲେ । ତେବେ ମୁଖ୍ୟ ରାସ୍ତାକୁ ଛାଡି ଶିକ୍ଷକ ସତ୍ୟନାରାୟଣ ନିଛାଟିଆ ଜଙ୍ଗଲ ରାସ୍ତାକୁ ମଟର ସାଇକେଲ ମୁହାଁଇଥିଲେ । କେବଳ ସେତିକି ନୁହେଁ ଏକ ଜଙ୍ଗଲ ମଧ୍ୟରେ ନିଛାଟିଆ ଜାଗା ଦେଖି ଶିକ୍ଷକ ଜଣକ ବାଇକ୍ ରଖି ଛାତ୍ରୀଙ୍କ ସହ ଅସଦାଚରଣ କରିଥିଲେ । ପରେ ଶିକ୍ଷକ ଜଣକ ଦୁଷ୍କର୍ମ ପାଇଁ ଉଦ୍ୟମ ଆରମ୍ଭ କରିବା ମାତ୍ରେ ଛାତ୍ରୀ ଜଣକ ଜୋର୍ରେ ଚିତ୍କାର କରିବା ପରେ ଶିକ୍ଷକ ସତ୍ୟନାରାୟଣ ଉକ୍ତ ସ୍ଥାନ ଛାଡି ଫେରାର୍ ମାରିଥିଲେ । ଲାଜ ତଥା ଜୀବନ ଭୟରେ ନୀରିହ ଛାତ୍ରୀ ଜଣକ ଏ ବିଷୟରେ କାହାରିକୁ କିଛି କହିଲେ ନି ସତ, କିନ୍ତୁ ସେ ଆଉ ବିଦ୍ୟାଳୟ ଯିବାକୁ ରାଜି ହେଲେ ନାହିଁ । ଅନ୍ୟପଟେ ଝିଅଙ୍କ ମା’ ବାପା ତାଙ୍କୁ ବିଦ୍ୟାଳୟ ଯିବାକୁ ବାଧ୍ୟ କରିବାରୁ ସେ ସେମାନଙ୍କ ଆଗରେ ସମସ୍ତ ଘଟଣା ବର୍ଣ୍ଣନା କରିଥିଲେ । ତେବେ ଆଜି ଝିଅର ବାପା ଏ ସଂକ୍ରାନ୍ତରେ ପାଟଣାଗଡ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପାଟଣାଗଡ ପୁଲିସ ଶିକ୍ଷକ ଜଣକ ରହୁଥିବା ଲାଇନପଡା ସ୍ଥିତ ଭଡାଘରେ ଚଢାଉ କରି ଅଭିଯୁକ୍ତ ଶିକ୍ଷକ ସତ୍ୟନାରାୟଣଙ୍କୁ ଥାନାକୁ ନେଇ ଆସି ପଚରାଉଚୁରା ଆରମ୍ଭ କରିଛନ୍ତି । ଏ ସଂକ୍ରାନ୍ତରେ ପାଟଣାଗଡ ଥାନାରେ ଭାରତୀୟ ପିଙ୍ଗଳ କୋଡ ଧାରା ୩୭୬, ୫୧୧, ୫୦୬ ଏବଂ ୮ ପକ୍ସୋ ଆକ୍ଟ ଅନୁଯାୟୀ ଏକ ମାମଲା ରୁଜ୍ଜୁ କରାଯାଇଥିବା ଜଣାପଡିଛି । ଆଜି ସଂପୃକ୍ତ ଶିକ୍ଷକଙ୍କୁ ଡାକ୍ତରୀ ମାଇନା କରି ବଲାଙ୍ଗିର କୋର୍ଟ ଚାଲାଣ କରାଯାଇଛି ବୋଲି ପାଟଣାଗଡ଼ ଏସ୍ଡ଼ିପିଓ ଜ୍ୟୋତିର୍ମୟ ଭୁକ୍ତା କହିଛନ୍ତି ।