ସର୍ଗିପାଲି ଗାଁରେ ମନରେଗା ଯୋଜନାରେ ଅନିୟମିତତା ଅଭିଯୋଗ ଘଟଣା : ଗାଁରେ ପହଞ୍ଚି ତଦନ୍ତ କଲେ ଲୋକପାଳ, ବ୍ୟାପକ ପୋଲିସ ମୁତୟନ

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ମହରାପଦର ପଞ୍ଚାୟତ ସର୍ଗିପାଲି ଗାଁରେ ମନରେଗା ଯୋଜନାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିବା ବେଳେ ଏହାକୁ ନେଇ ଅସନ୍ତୁଷ୍ଟ ଶ୍ରମିକ ମଙ୍ଗଳବାର ବ୍ଲକ୍ କାର୍ଯ୍ୟାଳୟରେ ଅସନ୍ତୋଷ ପ୍ରକାଶ କରି ବ୍ଲକ୍ କାର୍ଯ୍ୟାଳୟକୁ ପଶି ବିଡ଼ିଓଙ୍କ ଅନୁପସ୍ଥିତିରେ ଅଫିସ ଭିତରେ ବ୍ୟାପକ ଭଙ୍ଗାରୁଜା କରିବା ସହ ବ୍ଲକ୍ ସମ୍ମୁଖରେ ରାତିଯାଏଁ ଧାରଣା ଦେଇଥିଲେ । ହେଲେ ବିଡ଼ିଓଙ୍କ ସମେତ ଅନ୍ୟ ଅଧିକାରୀମାନେ ଏହି ଘଟଣାର ତଦନ୍ତ ଲୋକପାଳଙ୍କଠାରେ ଥିବା ବେଳେ ତାଙ୍କ ତଦନ୍ତ ଅନୁସାରେ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିବା ପରେ ଆନ୍ଦୋଳନରୁ ଓହରି ଥିଲେ । ଅନିୟମିତତା ଅଭିଯୋଗ କରି ଶ୍ରମିକମାନେ ପ୍ରଥମେ ବିଡ଼ିଓଙ୍କୁ ଗତ ୨୭ ତାରିଖ ଜଣାଇଥିବା ବେଳେ ଏନେଇ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲା । ଖବରକୁ ନେଇ ମନରେଗା ଆଇନ ଅନୁସାରେ ଲୋକପାଳ ମାମଲା ରୁଜୁକରି ତଦନ୍ତ ତାରିଖ ଧାର୍ଯ୍ୟ କରିଥିଲେ । ଧାର୍ଯ୍ୟ ତାରିଖ ଅନୁସାରେ ଲୋକପାଳ ସଚ୍ଚିତାନନ୍ଦ ହନୁମାନ ଗୁରୁବାର ସର୍ଗିପାଲି ଗାଁରେ ପହଞ୍ଚିଥିଲେ । ଗାଁରେ ପହଞ୍ଚି ଘଟଣାର ସରଜମିନ ତଦନ୍ତ କରିବା ସହ ଅଭିଯୋଗ ହୋଇଥିବା କାର୍ଯ୍ୟସ୍ଥଳକୁ ଯାଇ ଦେଖିବା ସହ ଆଉ ଥରେ ମାପ କରାଯାଇଥିଲା । ସେହିପରି ଅଭିଯୋଗକାରୀଙ୍କୁ ମଧ୍ୟ ଜଣେ ଜଣେ କରି ସାକ୍ଷ ତଥା ପଚରା ଉଚୁରା କରିଥିଲେ । ତଦନ୍ତ ଅବସରରେ ଜିଲ୍ଲା ମୁଖ୍ୟାଳୟରୁ ଏମ୍‌ସି ଅଶୋକ କୁମାର ସାହୁ, ଆସିଷ୍ଟାଣ୍ଟ ସତ୍ୟନାରାୟଣ ମହାନ୍ତି, ପାଟଣାଗଡ ସହକାରୀ ନିର୍ବାହୀ ଯନ୍ତ୍ରୀ ତନ କିଶୋର ନାଏକ, କନିଷ୍ଟ ଯନ୍ତ୍ରୀ ରଜନୀକାନ୍ତ ବେହେରା ପ୍ରମୁଖ ତଦନ୍ତକାରୀ ଦଳରେ ସାମିଲ ଥିବା ବେଳେ ଖପ୍ରାଖୋଲ ବିଡ଼ିଓ ରଶ୍ମିରଞ୍ଜନ ରାଉତ, ସହକାରୀ ଯନ୍ତ୍ରୀ ମହେଶ ଲାଲ ଅଗ୍ରୱାଲ, ଏପିଓ ପ୍ରଶାନ୍ତ କୁମାର ସାହୁ, ସରପଞ୍ଚ ସୁମତି ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ମୁତୟନ ହୋଇଥିବା ବେଳେ ମାଜିଷ୍ଟ୍ରେଟ ଦାୟିତ୍ୱରେ ଖପ୍ରାଖୋଲ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଯେ, ଚାଷୀଙ୍କ ଅଜାଣତରେ ଘରୋଇ ଜମିରେ ମନରେଗା ଯୋଜନାରେ କେନାଲ ଖୋଳା କାମ ହୋଇଥିବା ବେଳେ କାମ କରିଥିବା ଶ୍ରମିକଙ୍କୁ ଦୀର୍ଘଦିନ ହେଲା ମଜୁରୀ ମିଳି ନଥିବା ବେଳେ କାମରେ ନିୟୋଜିତ ହୋଇ ନଥିବା ବ୍ୟକ୍ତିଙ୍କ ନାମରେ ମଜୁରୀ ପଡ଼ୁଥିବା ଅଭିଯୋଗ ରହିଥିଲା । ଏବେ ଦେଖିବାକୁ ବାକି ରହିଲା କ’ଣ କାର୍ଯ୍ୟାନୁଷ୍ଠାନ ହେଉଛି । ତଦନ୍ତ ସମ୍ପର୍କରେ ଖପ୍ରାଖୋଲ ବିଡ଼ିଓ ଶ୍ରୀ ରାଉତଙ୍କୁ ପଚାରିବାରୁ ସେ କହିଲେ ମନରେଗା ଆଇନ ଅନୁସାରେ ଲୋକପାଳଙ୍କ ସ୍ଵତନ୍ତ୍ର କ୍ଷମତା ରହିଛି । ସେ ଏହି ଅଭିଯୋଗର ନିରପେକ୍ଷ ତଦନ୍ତ କରିଛନ୍ତି । ସମସ୍ତେ ତଦନ୍ତରେ ସହଯୋଗ କରିଥିଲେ । ତାଙ୍କ ରିପୋର୍ଟ ଅନୁସାରେ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଥିଲେ ।

Leave A Reply

Your email address will not be published.