ବଲାଙ୍ଗିର ଜିଲ୍ଲା ମୁଖ୍ୟାଳୟଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅକ୍ଟୋବର ମାସ ନିମନ୍ତେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁସାରେ ଆଜି ବଲାଙ୍ଗିର ଜିଲ୍ଲା ମୁଖ୍ୟାଳୟ ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଚଞ୍ଚଳ ରାଣା, ଆରକ୍ଷୀ ଅଧିକ୍ଷକ ନୀତିନ କୁଶଳକର, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ସୁଶାନ୍ତ କୁମାର ସିଂ, ବଲାଙ୍ଗିର ଉପଜିଲ୍ଲାପାଳ କୁମାର ନାଗଭୂଷଣଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ, ବଲାଙ୍ଗିର ଉପଖଣ୍ଡ ଅନ୍ତର୍ଗତ ସମସ୍ତ ବିଡିଓ, ତହସିଲଦାର ଓ ସିଡିପିଓ ମାନେ ଉପସ୍ଥିତ ଥିଲେ । ଏହି ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ବିଭିନ୍ନ ସମସ୍ୟାମୂଳକ ମୋଟ ୭୭ ଗୋଟି ଅଭିଯୋଗ ଦରଖାସ୍ତ ଦାଖଲ ହୋଇଥିଲା । ତନ୍‌ମଧ୍ୟରୁ ୭୪ ଗୋଟି ବ୍ୟକ୍ତିଗତ ଅଭିଯୋଗ ଦରଖାସ୍ତ ହୋଇଥିବା ବେଳେ ଅବଶିଷ୍ଠ ୩ ଗୋଟି ସାମୂହିକ ଅଭିଯୋଗ ଦରଖାସ୍ତ ଦାଖଲ ହୋଇଥିଲା । ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଜନସାଧାରଣଙ୍କ ଏହିସବୁ ଅଭିଯୋଗ ଓ ସମସ୍ୟା ଗୁଡିକର ଶୁଣାଣି କରିଥିଲେ । ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ସାମାଜିକ ସୁରକ୍ଷା ଯୋଜନା ଜରିଆରେ ଜଣଙ୍କୁ ଅବିବାହିତ ଭତ୍ତା ମଞ୍ଜୁର କରାଯାଇ ମଞ୍ଜୁରୀପତ୍ର ପ୍ରଦାନ କରାଯାଇଥିଲା । ସେହିପରି ଚିକିତ୍ସା ସହାୟତା ବାବଦରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଛେଲଖାଇ, ରୋଥ୍‌ର ଅମର ସିଂ କୁମ୍ଭାରଙ୍କୁ ୫ ହଜାର ଓ ଜିଲ୍ଲା ରେଡକ୍ରସ ପାଣ୍ଠିରୁ ଖୁଜେନପାଲିର ବସନ୍ତ ବାଗଙ୍କୁ ୨ ହଜାର ଟଙ୍କାର ସହାୟତା ରାଶି ଚେକ୍‌ ମାଧ୍ୟମରେ ପ୍ରଦାନ କରାଯାଇଥିଲା ।

jittmm
Leave A Reply

Your email address will not be published.