jayashree

ଯୌତୁକ ପାଇଁ ସ୍ତ୍ରୀଙ୍କୁ ହତ୍ୟା ଅଭିଯୋଗ

ଅନୁଗୋଳ, (କେପିଏନ୍‌ଏସ୍‌) : ଅନୁଗୋଳ ଜିଲ୍ଲା ବନ୍ତଳା ଥାନା ବ୍ରହ୍ମପୁର ଅଞ୍ଚଳରେ ଯୌତୁକ ପାଇଁ ସ୍ତ୍ରୀଙ୍କୁ ସ୍ୱାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏ ନେଇ ଥାନାରେ ଅଭିଯୋଗ ପରେ ପୋଲିସ ନଂ. ୪୧୪/୨୨ରେ ମାମଲା ରୁଜୁ କରି ମହିଳାଙ୍କ ସ୍ୱାମୀ ସୁବ୍ରତ ସାହୁଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ଆଇଆଇସି ସୁମିତ୍ରା ପାତ୍ର କହିଛନ୍ତି, ବ୍ରହ୍ମପୁରର ସୁବ୍ରତଙ୍କୁ ସେହି ଅଞ୍ଚଳର ଦୀପ୍ତିମୟୀ ସାହୁ ଗତ ଫେବୃୟାରୀରେ ଅନୁଗୋଳ କୋର୍ଟରେ ବିବାହ କରିଥିଲେ ।

କିଛିଦିନ ଭଲରେ ସଂସାର ଚାଲିବା ପରେ ସୁବ୍ରତ ଶ୍ୱଶୁର ଘରୁ ୨ ଲକ୍ଷ ଟଙ୍କା ଯୌତୁକ ଆଣିବାକୁ ଜିଦ୍‌ କରିଥିଲେ । କିନ୍ତୁ ଦୀପ୍ତୀମୟୀ ଏହାକୁ ବାରଣ କରିବାକୁ ତାଙ୍କୁ ବିଭିନ୍ନ ସମୟରେ ନିର୍ୟାତନା ଦିଆଯାଉଥିଲା । ଗତ ୩୦ ତାରିଖରେ ଦୀପ୍ତିମୟୀଙ୍କୁ ମାରଧର କରିବା ସହ ସୁବ୍ରତ ବିଷ ପିଆଇ ଦେଇଥିଲେ । ପରେ ତାଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଡାକ୍ତର କଟକ ବଡ଼ ମେଡିକାଲକୁ ନେଇଯିବାକୁ ପରାମର୍ଶ ଦେଇଥିଲେ । କିନ୍ତୁ ସ୍ୱାମୀ ସୁବ୍ରତ ଅନୁଗୋଳର ଏକ ଘରୋଇ ମେଡିକାଲରେ ଚିକିତ୍ସା କରିଥିଲେ ହେଁ ୨ ତାରିଖରେ ଦୀପ୍ତିମୟୀଙ୍କ ମୃତ୍ୟୁ ହୋଇଯାଇଥିଲା । ଉପଯୁକ୍ତ ଚିକିତ୍ସା ଯୋଗାଇ ନ ଦେବା ସହ ଯୌତୁକ ପାଇଁ ଦୀପ୍ତିମୟୀଙ୍କୁ ତାଙ୍କ ସ୍ୱାମୀ ବିଷ ପିଆଇ ମାରି ଦେଇଥିବା ମହିଳାଙ୍କ ଭାଇ ଜିତେନ୍ଦ୍ର ସାହୁ ଥାନାରେ ଲିଖିତ ଅଭିଯୋଗ କରିଥିବା ପୋଲିସ ପ୍ରକାଶ କରିଛି ।

Leave A Reply

Your email address will not be published.