ଧାନକ୍ରୟରେ ବାଦିମୁଣ୍ଡା ପେକ୍ସରେ ଅନିୟମିତତା ଅଭିଯୋଗ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ବାଦିମୁଣ୍ଡା ମଣ୍ଡିରେ ଧାନ କ୍ରୟରେ ବହୁବିଧ ସମସ୍ୟା ଦେଖାଦେଇଛି । ଏହି ପେକ୍ସରେ ଚାଷୀଙ୍କ ହଜାର ହଜାର ବସ୍ତା ଧାନ ପଡି ରହିଥିବା ଦେଖିବାକୁ ମିଳିଛି । ମାସାଧିକ ସମୟ ଧରି ସ୍ଥାନୀୟ ଚାଷୀମାନେ ମଣ୍ଡିରେ ଭୋକ ଉପାସରେ ଧାନ ବସ୍ତା ଗୁଡିକୁ ଜଗି ରହିଥିବା ବେଳେ ବିଭିନ୍ନ ସମସ୍ୟା ଯୋଗୁଁ ସେମାନଙ୍କ କଷ୍ଟପାର୍ଜିତ ଧାନ ବିକ୍ରି ହୋଇନ ପାରି ମଣ୍ଡିରେ ପଡି ରହିଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି । ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବା ନେଇ ସେମାନେ ସୂଚନା ଦେଇଛନ୍ତି ।

ଅନ୍ୟପଟେ ପେକ୍ସ ସଂପାଦକ ଶତ୍ରୁଘ୍ନ ଦାସଙ୍କ କହିବା ମୁତାବକ, ବାଦୀମୁଣ୍ଡା ପେକ୍ସରେ ୧୬୬୦୦ କ୍ୱିଣ୍ଟାଲ ଧାନ ସଂଗ୍ରହ କରିବାକୁ ଲକ୍ଷ୍ୟ ଧାର୍ୟ୍ୟ ରଖାଯାଇଥିଲା । ବର୍ତ୍ତମାନ ପର୍ୟ୍ୟନ୍ତ ଚାଷୀଙ୍କ ଠାରୁ ୧୬୩୮୫ କ୍ୱିଣ୍ଟାଲ ଧାନ ସଂଗ୍ରହ କରାଯାଇଛି । ବୁଧବାର ଜିଲ୍ଲା ପ୍ରଶାସନର ଉଚ୍ଚ ଅଧିକାରୀ ତଥା ପେକ୍ସ କର୍ମକାର୍ତ୍ତାଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହେବା ପରେ ପୁଣି ଅଧିକ ହଜାରେ କ୍ୱିଣ୍ଟାଲ ଧାନ ସଂଗ୍ରହ କରାଯିବା ସକାଶେ ନିଷ୍ପତ୍ତି ନେଇଛି । ତେବେ ଯଦି ହଜାରେ କ୍ୱିଣ୍ଟାଲ ଅଧିକ ଧାନ ସଂଗ୍ରହ କରାଯାଏ ତଥାପି ସେହି ମଣ୍ଡିରେ ୨୦୦୦ କ୍ୱିଣ୍ଟାଲ ଧାନ ବଳକା ରହିବ । ଏଠାରେ ପ୍ରଶ୍ନ ଉଠୁଛି, ଅବଶିଷ୍ଟ ଧାନ ସଂଗ୍ରହ କରିବ କିଏ !

ବାଦୀମୁଣ୍ଡା ପେକ୍ସରେ ୪୮୨ ଜଣ ଚାଷୀ ଧାନ ବିକ୍ରି କରିବା ପାଇଁ ପଞ୍ଜୀକୃତ ହୋଇଥିଲେ ଏବଂ ବର୍ତମାନ ସୁଦ୍ଧା ୨୮୪ ଜଣ ଚାଷୀଙ୍କ ଠାରୁ ଧାନ ସଂଗ୍ରହ କରାଯାଇଥିବା ଜଣାଯାଇଛି । ପ୍ରାୟ ୧୯୮ ଚାଷୀଙ୍କ ଠାରୁ ଧାନ କିଣାଯିବା ବାକି ରହିଛି । ଆଜି ପର୍ୟ୍ୟନ୍ତ ୪୪ ଜଣ ଚାଷୀଙ୍କ ଟୋକନର ଅବଧି ସମାପ୍ତ ହୋଇଛି । ଅପରପକ୍ଷରେ ଅବଧି ସମାପ୍ତ ହେଇଥିବା ଚାଷୀଙ୍କ ପାଇଁ ଏପର୍ୟ୍ୟନ୍ତ କୌଣସି ବିକଳ୍ପ ବ୍ୟବସ୍ଥା କିମ୍ବା ସମାଧାନ ହୋଇ ପାରିନାହିଁ । ତେଣୁ ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଇ ଯଥା ଶୀଘ୍ର ସମସ୍ୟାର ସମାଧାନ କରିବା ପାଇଁ ଚାଷୀ ମାନେ ଦାବୀ କରିଛନ୍ତି ।

Leave A Reply

Your email address will not be published.