jayashree

କାଉନସିଲରଙ୍କୁ ଅଣଦେଖା ଅଭିଯୋଗ

• ଗଞ୍ଜାମ ସହର ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟରେ ତାଲା ପକାଇଲେ ବିରୋଧୀ କାଉନସିଲର
• ଆଶୁ ସମାଧାନ ନ ହେଲେ ସ୍ୱାୟତ୍ତ ଶାସନ ଦିବସ ବର୍ଜନ ହେବ ବୋଲି ଚେତାବନୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ସହର ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟରେ ତାଲା ପକାଇବା ସହ ଧାରଣାରେ ବସି ରହିଲେ କାଉନସିଲର । ୧୨ଟି ୱାର୍ଡକୁ ନେଇ ଗଞ୍ଜାମ ଏନଏସି ଗଠିତ । ଗଞ୍ଜାମ ଏନଏସି ଅଧ୍ୟକ୍ଷା ଓ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟକଳାପକୁ ବିରୋଧ କରି ବୁଧବାର ପୂର୍ବାହ୍ନରେ ଗଞ୍ଜାମ ଏନଏସିର ଅସନ୍ତୋଷ କାଉନସିଲରମାନେ ଗଞ୍ଜାମ ଏନଏସି କାର୍ଯ୍ୟାଳୟରେ ତାଲା ପକାଇବା ସହିତ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସି ରହିଥିଲେ । ପୌର ନିର୍ବାଚନ ପରେ ଅନୁଷ୍ଠିତ ପ୍ରଥମ କାଉନସିଲ ବୈଠକରେ ସେମାନଙ୍କର ୱାର୍ଡରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ କରାଯିବା ନେଇ ପ୍ରସ୍ତାବ ରଖିଥିଲେ । ସେଗୁଡିକୁ କରାନଯିବା ସହ କୌଣସି ଉନ୍ନତିମୂଳକ କାର୍ଯ୍ୟରେ ସେମାନଙ୍କୁ ସାମିଲ କରାଯାଉନଥିବା ହେତୁ ସେମାନେ ଅଭିଯୋଗ କରିଛନ୍ତି । ଏହା ସହ ସେମାନଙ୍କୁ ଏନଏସିର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ସମେତ କୌଣସି କର୍ମଚାରୀ ଏପରିକି ସ୍ୱଚ୍ଛ ସାଥୀ ଦିଦିଟିଏ ମଧ୍ୟ ସମ୍ମାନ ଦେଉନଥିବା ମଧ୍ୟ ସେମାନେ ଅଭିଯୋଗ କରିଛନ୍ତି । ତୁରନ୍ତ ଏହାର ସମାଧାନ ନ ହେବା ପର୍ଯ୍ୟନ୍ତ ଏହି ଧାରଣା ଚାଲୁ ରହିବା ସହିତ ଆଗାମୀ ଦିନରେ ହେବାକୁଥିବା ସ୍ୱାୟତ୍ତ ଶାସନ ଦିବସକୁ ସେମାନେ ବର୍ଜନ କରିବେ ବୋଲି ଦୃଢ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.