ଟିଟିଲାଗଡ, (ଗୌରବ ଦର୍ଜୀ ) : ଜେଲ୍ ଭିତରେ ବିବାହ ପ୍ରଲୋଭନ ଦେଖାଇ ଶାରୀରିକ ସଂପର୍କ ରଖିଥିବା ଅଭିଯୋଗ କରିଛନ୍ତି ଜଣେ ମହିଳା ଅନ୍ତେବାସିନୀ । ଟିଟିଲାଗଡ଼ ଉପକାରାଗାରରେ ପୂର୍ବରୁ ରହିଥିବା ଜଣେ ମହିଳା ଅନ୍ତେବାସିନୀ ଏବେ ଉପକାରାଗାରରେ ବିଚାରଧୀନ ରହିଥିବା ଜଣେ ପୁରୁଷ ଅନ୍ତେବାସୀ ଉପରେ ଗୁରୁତର ଅଭିଯୋଗ ଆଣିଛନ୍ତି । ମହିଳା ଜଣକ ଟିଟିଲାଗଡ଼ ଥାନାରେ ଦାଖଲ କରିଥିବା ଅଭିଯୋଗ ମୁତାବକ ସେ ଏକ ଘରୋଇ କଳହରେ ଗତ ଅକ୍ଟୋବର ମାସ ୨୯ ତାରିଖ ଦିନ ଟିଟିଲାଗଡ଼ ଜେଲ ଯାଇ ଥିଲେ । ସେଠାରେ ଜଣେ ଅନ୍ତେବାସୀଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲା । ମହିଳା ଜଣକ ଜେଲ ଭିତରେ ମାନସିକ ଚାପରେ ରହିଥିବା ବେଳେ ସମ୍ପୃକ୍ତ ଯୁବକ ଅନ୍ତେବାସୀ ତାଙ୍କୁ ପ୍ରେମ ନିବେଦନ କରି ବିବାହ କରିବାର ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ଜେଲ ଭିତରେ ରଖିଥିବା ବେଳେ ଜେଲର କେତେକ କର୍ମଚାରୀ ମାନେ ଉଭୟଙ୍କୁ ମିଳାମିଶା ପାଇଁ ସାହାଯ୍ୟ ସହଯୋଗ କରୁଥିବା ଭଳି ସଂଗୀନ ଅଭିଯୋଗ ଆଣିଛନ୍ତି ମହିଳା । ତେବେ ଉକ୍ତ ଅନ୍ତେବାସୀ ଜେଲ ଭିତରେ ଏକ ମାମଲାରେ ଫଶି ରହିଥିବାରୁ ନିୟମିତ ବ୍ୟବଧାନରେ ମହିଳା ତାଙ୍କୁ ଦେଖା କରିବାକୁ ଯାଉଥିବା କହିଛନ୍ତି । ହେଲେ ଗତ ଶୁକ୍ରବାର ଦିନ ଜେଲ ଭିତରେ ରହିଥିବା ଅନ୍ତେବାସୀ ସମ୍ପୃକ୍ତ ମହିଳାଙ୍କୁ ଚିନ୍ହି ନ ଥିବା କହିବାରୁ ମହିଳା ଜଣକ ତାଙ୍କୁ ଶୋଷଣ ଏବଂ ପ୍ରତାରଣା କରାଯାଇଥିବା ନେଇ ଅଭିଯୋଗ କରିଛନ୍ତି । ଏନେଇ ଟିଟିଲାଗଡ଼ ଥାନାରେ ଏକ ମାମଲା ଦାଏର କରିଛନ୍ତି ମହିଳା ଜଣକ । ପୋଲିସ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଛି । ଟିଟିଲାଗଡ଼ ଜେଲକୁ ଯାଇ ଘଟଣାର ଛାନଭିନ ଆରମ୍ଭ କରିଛି ଟିଟିଲାଗଡ ପୋଲିସ । ପୀଡିତା ମହିଳାଙ୍କ ଡାକ୍ତରୀ ମାଇନା କରାଯାଇଛି । ତେବେ ପ୍ରଥମେ ଘଟଣାକୁ ନେଇ କିଛି କହିବାକୁ ମନା କରୁଥିବା ପୀଡିତା ପରେ ଗଣ ମାଧ୍ୟମ ଆଗରେ ନିଜର ଘଟଣା ସମ୍ପର୍କରେ କହିଛନ୍ତି । ଜେଲ ଭିତରେ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିବା ବେଳେ ଏବେ ତାଙ୍କୁ ଶୋଷଣ ଏବଂ ପ୍ରତାରଣା କରାଯାଇଛି ବୋଲି ଅଭିଯୋଗ ଆଣିଛନ୍ତି ମହିଳା ଜଣକ । ଗତ ଡିସେମ୍ବର ମାସ ୫ ତାରିଖରେ ଏହି ଘଟଣା ଘଟିଥିବା ବେଳେ ଡିସେମ୍ବର ମାସ ୧୯ ତାରିଖରେ ବେଲ୍ରେ ବାହାରି ଥିଲେ ମହିଳା । ଆଉ ପରେ ନିୟମିତ ସମ୍ପୃକ୍ତ ଅନ୍ତେବାସୀଙ୍କୁ ଭେଟିବାକୁ ଯାଉଥିଲେ ବୋଲି କହିଛନ୍ତି । ତେବେ ସେପଟେ ଏହି ଘଟଣା ଉପରେ ଟିଟିଲାଗଡ଼ ପୋଲିସ କିଛି କହିବାକୁ ମନା କରିଦେଇ ଥିବାବେଳେ ଜେଲ କର୍ତ୍ତୃପକ୍ଷ ମଧ୍ୟ କିଛି କହିବାକୁ ମନା କରିଛନ୍ତି । ଟିଟିଲାଗଡ଼ ଉପକାରଗାରର ସୁରକ୍ଷା ବ୍ୟବସ୍ଥା ଉପରେ ଏବେ ପ୍ରଶ୍ନ ଉଠାଇଛନ୍ତି ସାଧାରଣ ଜନତା । ଜେଲ ଭିତରେ ମହିଳା ଏବଂ ପୁରୁଷମାନଙ୍କ ପାଇଁ ସ୍ୱତନ୍ତ୍ର ସେଲ୍ ବ୍ୟବସ୍ଥା ରହିଥିବା ବେଳେ ପୁଣି ମହିଳା ଅନ୍ତେବାସିନୀଙ୍କ ପାଇଁ ମହିଳା କର୍ମଚାରୀ ରହିଛନ୍ତି । ଅନେକ ସୁରକ୍ଷା ବ୍ୟବସ୍ଥା ରହିବା ସତ୍ବେ ଜଣେ ପୁରୁଷ ବିଚାରଧୀନ ଅନ୍ତେବାସୀ ଏବଂ ମହିଳା ଅନ୍ତେବାସନୀଙ୍କ ମଧ୍ୟରେ ଦେଖା ହେଲା କିପରି ? ପ୍ରେମରୁ ଶାରୀରିକ ସମ୍ପର୍କ ପର୍ୟ୍ୟନ୍ତ କଥା ଗଲା କେମିତି ? ଆଉ ଶୋଷଣ ତଥା ପ୍ରତାରଣାର ଅଭିଯୋଗ ଆସିଲା କେମିତି ? ତେବେ ଏହି ଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗ ଉପରେ କାହିଁକି ଜେଲ କର୍ତ୍ତୃପକ୍ଷ ମୁହଁ ଖୋଲୁନାହାନ୍ତି ? କାହିଁକି ପୋଲିସ ବିଭାଗ ବି ଗଣମାଧ୍ୟମ ଆଗରେ ସୂଚନା ପ୍ରଦାନ କରୁନି… ଏମିତି ଅନେକ ପ୍ରସଙ୍ଗ ପ୍ରଶ୍ନ ହୋଇ ଏବେ ଦେଖା ଦେଇଛି ।