
ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ସୋନଗଡ଼ ନଦୀରେ ପାଣି ବହିଯାଉଛି । ତଥାପି ଦେଓଗାଁ ଓ କଛାରପାଲି ଗାଁର ଅଧା ଲୋକ ପାନୀୟ ଜଳ ପାଇବାରୁ ବଞ୍ଚିତ ହେଉଛନ୍ତି । ଏହାର କାରଣ ସୋନଗଡ଼ ନଦୀରୁ ଜାତୀୟ ରାଜପଥରେ ଦେଓଗାଁକୁ ଯାଇଥିବା ପାଇପ ଲାଇନ ସାତମୁହିଁ ପୋଲ ତଳେ ପାଟି ଯାଇଥିବା ଦେଖିବାକୁ ମିଳିଛି । ଚାଷ ଜମିରେ ପାଣି ଯୋଗୁଁ ମରାମତି କରାଯାଇ ପାରୁନାହିଁ । ଯାହା ଫଳରେ ଜଳ ଯୋଗାଣ ବନ୍ଦ ହୋଇଥିବା ଜଣାପଡିଛି । ବାଧ୍ୟ ହୋଇ ଲୋକମାନେ ପୂର୍ବରୁ ବ୍ୟବହାର ହେଉ ନ ଥିବା କୂପ ଓ ପାନୀୟ ଜଳ ପାଇଁ ବ୍ୟବହାର କରାଯାଉ ନଥିବା ନଳକୂପର ପାଣିକୁ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି । ସୋନଗଡ଼ ନଦୀର ପାଣିକୁ ବର୍ଷ ବର୍ଷ ଧରି ପିଉଥିବା ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସୂଚନା ଯୋଗ୍ୟ ଯେ, ୧୮ତାରିଖ ସନ୍ଧ୍ୟାରେ ଦେଓଗାଁ କଛାରପାଲିକୁ ପିଇବା ପାଇଁ ପାଣି ଗଚ୍ଛିତ ରଖାଯାଉଥିବା ଟାଙ୍କିରେ ପାଣି ଭତ୍ତି କରୁଥିବା ସମୟରେ ସାତମୁହିଁ ପୋଲ ନିକଟରେ ପାଇପ ଫାଟିଯାଇଥିଲା । ପୋଲ ତଳେ ପାଣି ହେତୁ ମରାମତି ପାଇଁ କୌଣସି ଉପାୟ ମିଳିଲା ନାହିଁ । ଏହିପରି କେତେ ଦିନ ଲୋକେ ଅପେକ୍ଷା କରିବେ ବୋଲି ଅଭିଯୋଗ କରିବା ପରେ କିଛି ନୂଆଁ ଉପାୟ ଦେଖାଯାଉଛି ବୋଲି ବିଭାଗ ପକ୍ଷରୁ କୁହାଯାଉଛି । ଯାହା ବି ହେଉ ତୁରନ୍ତ ପାଣି ଯୋଗାଇ ଦେବାକୁ ଦେଓଗାଁ କଛାରପାଲି ଗ୍ରାମବାସୀ ଦାବୀ କରିଛନ୍ତି ।