om academy

ଠିକ୍‌ ସମୟରେ ଲୋଇସିଂହା ବ୍ଲକକୁ ଆସୁନାହାନ୍ତି କର୍ମଚାରୀ : ଗେଟ୍‌ରେ ତାଲା ପକାଇଲେ ବ୍ଲକ ଉପାଧ୍ୟକ୍ଷ

jsm

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଂଗିର ଜିଲା ଲୋଇସିଂହା ବ୍ଲକ କାର୍ୟ୍ୟାଳୟ ଅରାଜକତା ମଧ୍ୟ ଦେଇ ଗତି କରୁଥିବା ଅଭିଯୋଗ ହେଉଛି । କୌଣସି କର୍ମଚାରୀ କାର୍ୟ୍ୟାଳୟକୁ ପୂର୍ବାହ୍ନ ୧୧ ଟା ପୂର୍ବରୁ ଆସୁନ ଥିବା ଏକ ନିତିଦିନିଆ ଘଟଣାରେ ପରିଣତ ହୋଇଯାଇଛି । ବ୍ଲକ କାର୍ୟ୍ୟାଳୟକୁ ଖୋଦ ବିଡ଼ିଓଙ୍କ ସମେତ କର୍ମଚାରୀ ମାନେ ବିଲମ୍ବରେ ଆସିବା ଅଥବା ଫିଲଡ଼ ଭିଜିଟ ନାମରେ ଆଦୌ ନ ଆସିବା ଘଟଣା ବାରମ୍ବାର ଦେଖିବାକୁ ମିଳୁଛି । ଗୁରୁବାର ଦିନ ୧୧ ଟା ସୁଦ୍ଧା ବ୍ଲକ ଅଫିସରେ ଜନୈକ କିରାଣୀ ଓ ପିଅନଙ୍କ ବ୍ୟତୀତ ଆଉ କୌଣସି କର୍ମଚାରୀ ଉପସ୍ଥିତ ନ ଥିଲେ । ଏଥିରେ କ୍ଷୁବ୍ଧ ହୋଇ ବ୍ଲକ ଉପାଧ୍ୟକ୍ଷ ଯତୀନ ପଟେଲ ବ୍ଲକ ଅଫିସର ମୁଖ୍ୟ ଫାଟକରେ ତାଲା ପକାଇ ଦେଇଥିଲେ । ଫଳରେ ବିଳମ୍ବରେ ଅଫିସକୁ ଆସୁଥିବା କର୍ମଚାରୀ ମାନେ ବାହାରେ ବୁଲୁଥିବା ଦେଖିବାକୁ ମିଳିଥିଲା । ଏପରିକି ୧୧ ଟା ୩୦ ବେଳକୁ ବିଡ଼ିଓ ରାମଚନ୍ଦ୍ର ଖାଡ଼ିଆ ଅଫିସକୁ ଆସି ଭିତରକୁ ଯାଇ ନ ପାରି ବାହାରେ ବୁଲୁଥିବା ବେଳେ ତାଙ୍କ ଅସହାୟତା ସ୍ପଷ୍ଟ ବାରି ହୋଇ ପଡୁଥିଲା । ଅନୋନ୍ୟପାୟ ହୋଇ ବିଡ଼ିଓ ବ୍ଲକ ଅଫିସର ଗାଡ଼ିରେ ବାହାରକୁ ଚାଲି ଯାଇଥିବା ଦେଖିବାକୁ ମିଳିଥିଲା । ତେବେ “ଚତୁରେ ଚତୁରେ ” ନୀତିରେ ସାଢ଼େ ୧୧ ଟା ପରେ ବ୍ଲକର କିଛି କର୍ମଚାରୀ ସାଇଡ ଗେଟ୍‌ ଖୋଲିବାରୁ ବାହାରେ ବୁଲୁଥିବା କର୍ମଚାରୀ ଅଫିସ ପରିସରକୁ ଯିବାରେ ସକ୍ଷମ ହୋଇଥିଲେ । ପରେ ବ୍ଲକ ଉପାଧ୍ୟକ୍ଷ ଶ୍ରୀ ପଟେଲ କାର୍ୟ୍ୟାଳୟକୁ ଆସି କର୍ମଚାରୀଙ୍କୁ ତାଗିଦ କରିବା ସହିତ ନିୟମିତ ଅଫିସକୁ ଆସିବାକୁ ପରାମର୍ଶ ଦେଇଥିଲେ ।

Leave A Reply

Your email address will not be published.