ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ନ ଥିଲା ଆନୁସଙ୍ଗିକ ବ୍ୟବସ୍ଥା : ମତଦାନ କରି ପାରିଲେନି ଦିବ୍ୟାଙ୍ଗ ଶିକ୍ଷକ, ଜିଲ୍ଲାପାଳ ଓ ରାଜ୍ୟ ନିର୍ବାଚନ ଆୟୋଗକୁ ମେଲ୍‌ କରି ଜଣାଇଲେ ଅଭିଯୋଗ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ମତଦାନ ଗତକାଲି ଶେଷ ହୋଇଯାଇଛି । ତଥାପି କେଉଁଠି ନା କେଉଁଠି ପ୍ରଶାସନର ତ୍ରୁଟି ଯୋଗୁଁ ଭିନ୍ନକ୍ଷମ ଭୋଟରମାନେ ନିଜର ମୂଲ୍ୟବାନ ଭୋଟ ଦେଇ ପାରିନଥିବା ଅଭିଯୋଗ ପଦାକୁ ଆସିଛି । ଏହିଭଳି ଏକ ଅଭିଯୋଗ ଆସିଛି ଗଞ୍ଜାମ ବ୍ଲକ ପୋଇରାଶି ପଞ୍ଚାୟତ ତାରିଣୀପଲ୍ଲୀ ଗ୍ରାମରେ ରହିଥିବା ପ୍ରାଥମିକ ବିଦ୍ୟାଳୟର ଭୋଟଦାନ କେନ୍ଦ୍ରରେ । ଖସଡ଼ା କିମ୍ବା ହ୍ୱିଲ ଚେୟାରର ବ୍ୟବସ୍ଥା ନ ଥିବାରୁ ଦିବ୍ୟାଙ୍ଗ ଶିକ୍ଷକ ରବୀନ୍ଦ୍ର ସେଠୀ ନିଜର ମୂଲ୍ୟବାନ ଭୋଟ ଦେଇ ନ ପାରି ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଶିକ୍ଷକ ସେଠୀ ଏନେଇ ନିର୍ବାଚନ ପରିଚାଳନା ଦାୟତ୍ୱରେ ଥିବା ପ୍ରିଜାଇଡିଂ ଅଫିସରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଏବଂ ପ୍ରିଜାଇଡିଂ ଅଫିସର ଏନେଇ ସେକ୍ଟର ଅଫିସରଙ୍କୁ ଜଣାଇବେ କହିଥିଲେ ବି କୌଣସି ବ୍ୟବସ୍ଥା ହୋଇ ନ ଥିବା ସେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଭୋଟ ବା ମତଦାନରୁ ବଞ୍ଚିତ ହେବା ପରେ ଏନେଇ ଦିବ୍ୟାଙ୍ଗ ଶିକ୍ଷକ ଜଣକ ବାଧ୍ୟ ହୋଇ ଗଞ୍ଜାମ ଜିଲ୍ଲାପାଳ ଓ ରାଜ୍ୟ ନିର୍ବାଚନ ଆୟୋଗକୁ ମେଲ୍‌ ଦ୍ୱାରା ନିଜ ଅଭିଯୋଗ ଜଣାଇଛନ୍ତି ବୋଲି ସେ କହିଛନ୍ତି । ଭୋଟଦାନ କେନ୍ଦ୍ରଗୁଡିକରେ ଦିବ୍ୟାଙ୍ଗମାନଙ୍କ ପାଇଁ ଖସଡ଼ା ବା ରେମ୍ପର ବ୍ୟବସ୍ଥା କରାଯିବାକୁ ନିୟମ ରହିଛି । ଏପରି ଭାବରେ ନିୟମ ଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇ ପାରୁନି ବୋଲି ସେ କହିଛନ୍ତି । କିନ୍ତୁ ପ୍ରଶାସନ କାହିଁକି ଏହି ସମସ୍ୟା ଉପରେ ଗୁରୁତ୍ୱ ଦେଲେନି ସେ ପ୍ରଶ୍ନ କରିଛନ୍ତି । କ’ଣ ଗଣତନ୍ତ୍ରରେ ଦିବ୍ୟାଙ୍ଗମାନେ ଭୋଟ ଦେବାର ଅଧିକାର ନାହିଁ ବୋଲି ସେ ଗଣମାଧ୍ୟମକୁ ଜଣାଇଛନ୍ତି ।

Leave A Reply

Your email address will not be published.