ଖପ୍ରାଖୋଲ ପୋଲିସର ସଚେତନ ଅଭିଯାନ : ନାବାଳକ ଓ ନାବାଳିକା ସହ ୧୧ ଜଣ ଦାଦନ ଶ୍ରମିକ ଉଦ୍ଧାର

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ପୋଲିସ ତାଙ୍କ ସଚେତନତା ଓ ଦୃଢ଼ ତଦନ୍ତ ଯୋଗୁଁ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି । ବୁଧବାର ହରିଶଙ୍କର ଛକ ନିକଟରେ ଅଭିଯାନ ଚଲାଇ ପିଙ୍କି ବସରୁ ୧୧ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି । ଉଦ୍ଧାର ହୋଇଥିବା ମଧ୍ୟରୁ କିଛି ନାବାଳକ ଓ ନାବାଳିକା ମଧ୍ୟ ଥିବା ସୂଚନା ମିଳିଛି । ଏହି ଦାଦନ ଶ୍ରମିକମାନେ ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଲରମ୍ଭା ଥାନା ଅଧୀନ ଦମେଇପାଲି ଗ୍ରାମର ହୋଇଥିବା ଜଣାପଡିଛି । ବେଆଇନ ଭାବେ ଏହାଙ୍କୁ ବାହାର ରାଜ୍ୟକୁ ଚାଲାଣ କରାଯାଉଥିବା ସମୟରେ ପୋଲିସ ରୋକିଥିଲା । କେଛୋବାହାଲ ଗ୍ରାମର ଦାଦନ ସର୍ଦ୍ଦାର କୁଶ ବରିହା ଏମାନଙ୍କୁ ବେଆଇନ ଚାଲାଣ କରୁଥିବା ବେଳେ ଏପର୍ଯ୍ୟନ୍ତ ସେ ଫେରାର ଥିବା ଜଣାପଡିଛି । ଏନେଇ ଖପ୍ରାଖୋଲ ଥାନାରେ କେସ ନଂ ୨୫୨/୨୦୨୫ ଅନୁଯାୟୀ ଏକ ମାମଲା ଋଜୁ କରାଯାଇଛି । ଘଟଣା ଉପରେ ଅଧିକ ତଦନ୍ତ ଜାରି ରହିଛି ବୋଲି ଖପ୍ରାଖୋଲ ଥାନାଧିକାରୀ ନରେନ୍ଦ୍ର ଛତର ସୂଚନା ଦେଇଛନ୍ତି । ସମାଜରେ ଦାଦନ ଶ୍ରମ ଓ ମାନବ ବାଣିଜ୍ୟ ରୋକଥାମ ଦିଗରେ ଖପ୍ରାଖୋଲ ପୋଲିସର ଏହି ଅଭିଯାନ ଏକ ଉଲ୍ଲେଖନୀୟ ପଦକ୍ଷେପ ଭାବେ ଗଣାଯାଉଛି । ସଚେତନ ତଦନ୍ତ ଓ ଦୃଢ଼ କାର୍ଯ୍ୟ ପାଇଁ ପୋଲିସ ମହଲ ଓ ସାଧାରଣ ଲୋକଙ୍କ ମଧ୍ୟରେ ତାରିଫ ଶୁଣିବାକୁ ମିଳୁଛି ।

Leave A Reply

Your email address will not be published.