ଲୋଇସିଂହା, (କେପିଏନ୍ଏସ୍) : ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗଙ୍କ ବିରୋଧରେ କର୍ମୀ ଅସନ୍ତୋଷ ବୃଦ୍ଧି ପାଇଛି । ଏପରିକି ମୁକେଶ ହଟାଓ, ଲୋଇସିଂହା ବଚାଓ ନାରା ସହ ବିଦେଶୀ ହଟାଓ, ଲୋଇସିଂହା ବଚାଓ ନାରା ଲୋଇସିଂହା ରାଜନୀତି ପାଣିପାଗକୁ ଆହୁରି ସରଗରମ କରିଛି । ବିଜେପି ମଣ୍ଡଳ କାର୍ଯ୍ୟକର୍ତ୍ତା, ପୁରୁଖା କର୍ମୀ ସହିତ ଦଳୀୟ ପଦାଧିକାରୀ ଏଥିରେ ସାମିଲ ହୋଇଛନ୍ତି । ଗାଁ ଗାଁରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଏହି ଅଭିଯାନ ପହଞ୍ଚି ସାରି ଥିବା ବେଳେ ପ୍ରାର୍ଥୀ ତାଲିକା ମଧ୍ୟ ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି । ସ୍ଥାନୀୟ ପ୍ରାର୍ଥୀତ୍ୱ ସପକ୍ଷରେ ସ୍ୱର ଉଠିଛି । ୨୦୧୯ ନିର୍ବାଚନରେ ବିଜେପି କର୍ମୀ ଏକଜୁଟ ଥିଲେ । ବହୁତ୍ ଆଶା ଓ ବିଶ୍ୱାସ ସହ ଦଳୀୟ ପ୍ରାର୍ଥୀ ଉଚ୍ଚ ଶିକ୍ଷିତ ଡ. ମହାଲିଙ୍ଗଙ୍କ ସପକ୍ଷରେ ରହି ବିଜୟୀ କଲେ । ଅବଶ୍ୟ ବିଧାୟକ ପ୍ରାରମ୍ଭିକ ପର୍ଯ୍ୟାୟରେ ତୋଫାନୀ ଗସ୍ତ ସହ ଜିଲ୍ଲା ଓ ରାଜ୍ୟସ୍ତରୀୟ ବିଭିନ୍ନ ପ୍ରସଙ୍ଗ ବିଧାନସଭାରେ ଉଠାଇ ଚର୍ଚ୍ଚିତ ହେଲେ । କିନ୍ତୁ ଏବେ ୨୦୨୪ ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଉଷ୍ମତା ଆରମ୍ଭ ହୋଇଛି । କେନ୍ଦ୍ର ଓ ରାଜ୍ୟ ସ୍ତରରେ ବିଧାୟକ ଡ. ମହାଲିଙ୍ଗଙ୍କ ଟିକେଟ ଉପରେ କୌଣସି ସମସ୍ୟା ରହି ନ ଥିବା ଭଳି ମନେ ହେଉ ଥିଲେ ମଧ୍ୟ ଏବେ ନିର୍ବାଚନ ମଣ୍ଡଳୀ ସ୍ତରରେ ବିରୋଧ ଆଭାସ ମିଳିଛି । ଫଳରେ ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ବିଜେପିର ଅନ୍ତ କନ୍ଦଳ ଦାଣ୍ଡରେ ପଡ଼ି ହାଟରେ ଗଡୁଛି । ସ୍ଥାନୀୟ ସକ୍ରିୟ ଆଗ ଧାଡ଼ିର କର୍ମୀ ଭୁବନେଶ୍ୱର ସ୍ଥିତ ରାଜ୍ୟ ବିଜେପି ସଂଗଠନ ମନ୍ତ୍ରୀଙ୍କୁ ଡ. ମହାଲିଙ୍ଗ ବିଧାୟକ ପ୍ରାର୍ଥୀତ୍ୱ ଉପରେ କଟୁ ମନ୍ତବ୍ୟ ଦେଇଛନ୍ତି । ଏପରିକି ଯଦି ଲୋଇସିଂହାରେ ବିଜେପି ବିଜୟୀ ହେବାକୁ ଚାହୁଁଛି ତେବେ ବିଧାୟକ ଡ. ମହାଲିଙ୍ଗଙ୍କୁ ଟିକେଟ ଦିଆ ନ ଯାଉ ବୋଲି ଲିଖିତ ଦାବୀ କରିଛନ୍ତି । ଏହାସହ ପୁଇଁତଲା ବ୍ଲକ ଅନ୍ତର୍ଗତ ବିଲାଇସର୍ଡାରେ ମଧ୍ୟ ବହୁ ପୁରୁଖା କର୍ମୀ ଏକଜୁଟ ହୋଇ ବିଧାୟକଙ୍କ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟରେ ଅସନ୍ତୋଷ ପ୍ରକାଶ କରିଛନ୍ତି । ତେବେ ସ୍ଥାନୀୟ ଆଶାୟୀଙ୍କ ମଧ୍ୟରେ ଉତ୍କଣ୍ଠା ବୃଦ୍ଧି ପାଇଛି । ଏହି କ୍ରମରେ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ମହାନନ୍ଦ ଓ ଗତ ୨୦୧୪ରୁ ଆଶାୟୀ ଥିବା ବିଜେପି ଯୁବ ନେତା ପୂର୍ଣ୍ଣଚନ୍ଦ୍ର ବିଶ୍ଵାଳ ଚର୍ଚ୍ଚାରେ ଥିବା ଜଣା ଯାଇଛି । ତେଣୁ ନିର୍ବାଚନ ଯେତେ ପାଖେଇ ପାଖେଇ ଆସିବ ରାଜନୈତିକ ଉଷ୍ମତା ତୀବ୍ର ହେବା ସହିତ ରାଜନୀତି ପାଣିପାଗ ମଧ୍ୟ ବଦଳି ବଦଳି ଯିବ ବୋଲି ପୁରୁଖା କର୍ମୀ ପ୍ରକାଶ କରିଛନ୍ତି ।