‘ମା’ ପାଇଁ ଗଛ ଟିଏ’ ଅଭିଯାନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

  • ମହିଳାଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଆରମ୍ଭ ହେଲା ‘ସୁସ୍ଥ ନାରୀ, ସଶକ୍ତ ପରିବାର’ ଅଭିଯାନ

ରାଉରକେଲା, (ସସ୍ମିତା ପ୍ରଧାନ) : ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିବସ ଅବସରରେ ରାଉରକେଲା ମହାନଗର ନିଗମ ତରଫରୁ ବିବିଧ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କ୍ରମରେ ‘ମା’ ପାଇଁ ଗଛ ଟିଏ ‘ କାର୍ଯ୍ୟକ୍ରମ ଅଧୀନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଠାରୁ ଆରମ୍ଭ କରି ସ୍ଵଚ୍ଛ ଭାରତ ମିଶନ ଅଭିଯାନରେ ‘ସ୍ଵଚ୍ଛ ଉତ୍ସବ’, ପିଏମ୍ ସ୍ଵନିଧି ଯୋଜନା ଅଧୀନରେ’ ଲୋକ କଲ୍ୟାଣ ମେଳା’ ଏବଂ ‘ସୁସ୍ଥ ନାରୀ, ସଶକ୍ତ ପରିବାର’ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ସ୍ଥାନୀୟ ଲେବର ଟେନାମେଣ୍ଟ ସ୍ଥିତ କଲ୍ୟାଣ ମଣ୍ଡପ ପରିସରରେ ବିଧାୟକ ରାଉରକେଲା ସାରଦା ପ୍ରସାଦ ନାୟକ, ଆର୍‌ଏମ୍‌ସି କମିଶନର ଦୀନା ଦସ୍ତଗୀର ପ୍ରମୁଖ ଉପସ୍ଥିତ ରହି ପରିବେଶ ସୁରକ୍ଷାର ବାର୍ତ୍ତା ପ୍ରଦାନ ପୂର୍ବକ ଗଛ ଲଗାଇ ଥିଲେ । ରାଉରକେଲାର ବିଭିନ୍ନ ସରକାରୀ ଓ ବେସରକାରୀ ବିଦ୍ୟାଳୟ, ମହାବିଦ୍ୟାଳୟ ସମେତ ସହରର ବିଭିନ୍ନ ପାର୍କ, କଲ୍ୟାଣ ମଣ୍ଡପ, ଜଳାଶୟ, ରାସ୍ତା ପାର୍ଶ୍ଵରେ ସାଧାରଣ ଲୋକଙ୍କ ସହ ସ୍ଥାନୀୟ ଏସ୍‌ଏଚ୍‌ଜି ମହିଳା, ଅଙ୍ଗନବାଡ଼ି କର୍ମୀ, ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନର କର୍ମକର୍ତ୍ତା, ସ୍ଵେଚ୍ଛାସେବୀ ସଂସ୍ଥା ପରିବେଶର ସୁରକ୍ଷା ପାଇଁ ଉତ୍ସାହର ସହ ବୃକ୍ଷରୋପଣ କରିଥିଲେ । ଏଥିସହ ମହିଳା ଓ ବାଳିକାଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ‘ସୁସ୍ଥ ନାରୀ, ସଶକ୍ତ ପରିବାର’ କାର୍ଯ୍ୟକ୍ରମ ସହରର ସମସ୍ତ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ସମେତ ପାନପୋଷ ସ୍ଥିତ ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ରାଉରକେଲା ସରକାରୀ ଡାକ୍ତରଖାନା, ଅଙ୍ଗନବାଡ଼ି କେନ୍ଦ୍ର ଓ ସରକାରୀ କାର୍ଯ୍ୟାଳୟ ଗୁଡିକରେ ଆରମ୍ଭ ହୋଇଯାଇଛି । ଏହି ଅଭିଯାନ ଅକ୍ଟୋବର୨ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ଏଥିରେ ହିତାଧିକାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ସୁସ୍ଥ ଜୀବନଶୈଳୀ ପାଇଁ ଆବଶ୍ୟକୀୟ ସ୍ୱାସ୍ଥ୍ୟ ପରାମର୍ଶ ଦିଆଯିବ । ‘ସ୍ଵଚ୍ଛ ଭାରତ ମିଶନ’ ଅଭିଯାନରେ ସ୍ଵଚ୍ଛ ସର୍ବେକ୍ଷଣ ୨୦୨୫ ଅଧୀନରେ ‘ସ୍ଵଚ୍ଛ ଉତ୍ସବ’ କାର୍ଯ୍ୟକ୍ରମ ଆଜିଠାରୁ ଆରମ୍ଭ ହୋଇଯାଇଛି । ଏହି ଅବସରରେ ବିଭିନ୍ନ ସ୍ଥାନରେ ସଫେଇ କରାଯିବା ସହ ସେଠାରେ ବୃକ୍ଷରୋପଣ କରାଯାଇଥିଲା । ଏଥିସହ ଏହି କାର୍ଯ୍ୟକ୍ରମରେ ସହରରେ ଥିବା ବିଭିନ୍ନ ଅବ୍ୟବହୃତ ଜାଗା ଗୁଡିକୁ ବ୍ୟବହାର ଯୋଗ୍ୟ କରାଯିବା ସହ ଖୋଲା ସ୍ଥାନ ଗୁଡିକର ସୌନ୍ଦର୍ଯ୍ୟକରଣ ମଧ୍ୟ କରାଯିବ । ଏହା ସହ ସହରର ସହରର ସମସ୍ତ ଉଠା ଦୋକାନୀ ଓ ବୁଲା ବିକାଳୀଙ୍କ ବ୍ୟବସାୟର ଗତିକୁ ଦ୍ରୁତ କରିବା ପାଇଁ ଆଜିଠାରୁ ପିଏମ୍ ସ୍ଵନିଧି ଯୋଜନା ଅଧୀନରେ ‘ଲୋକ କଲ୍ୟାଣ ମେଳା’ ଆରମ୍ଭ ହୋଇଯାଇଛି । ଚଳିତ ମାସ ୨୬ ତାରିଖ ପର୍ଯ୍ୟନ୍ତ ଉଦିତନଗର ସ୍ଥିତ ମହାନଗର ପାଠାଗାରରେ ଅନୁଷ୍ଠିତ ହେବାକୁ ଥିବା ଏହି ଶିବିରରେ ଇଚ୍ଛୁକ ବ୍ୟବସାୟୀଙ୍କୁ ଆବଶ୍ୟକ ଋଣ ଦିଆଯିବା ସହ ବାଦ୍ ପଡିଥିବା ବ୍ୟବସାୟୀଙ୍କୁ ପଞ୍ଜୀକରଣ ମଧ୍ୟ କରାଯିବ । ତେଣୁ ଏଥିନିମନ୍ତେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆର୍‌ଏମ୍‌ସି କାର୍ଯ୍ୟାଳୟ ପରିସରରୁ ଏକ ସଚେତନତା ରଥର ଶୁଭାରମ୍ଭ କରିଛନ୍ତି ରାଉରକେଲା ମହାନଗର ନିଗମ ଆୟୁକ୍ତ ସୁଶ୍ରୀ ଦୀନା ଦସ୍ତଗୀର୍ । ଏହି ରଥ ସହର ସାରା ପରିକ୍ରମା କରିବା ପୂର୍ବକ ଅଧିକରୁ ଅଧିକ ବ୍ୟବସାୟୀଙ୍କୁ ଏହି ଯୋଜନାର ଅଂଶୀଦାର ହେବା ପାଇଁ ସଚେତନ କରାଇବ ।

Leave A Reply

Your email address will not be published.