ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲାରେ ଆରମ୍ଭ ହୋଇଛି ୧୬ ଦିନିଆ ଅନ୍ତର୍ଜାତୀୟ ମହିଳା ହିଂସା ବିରୋଧୀ ଅଭିଯାନ । ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଦ୍ୱାରା ଏହି ଅଭିଯାନ ମହିଳା ମହାବିଦ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଡ଼. ବିଜୟାନନ୍ଦ ସେଠୀ ଏବଂ ସମ୍ମାନିତ ଅତିଥି ରୂପେ ଡାଲସା ସଚିବ ପବିତ୍ରାନନ୍ଦ ପ୍ରଧାନ, ଜାତୀୟ ମାନବାଧିକାର କମିଶନର ଡିଏସ୍ପି, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ଲକ୍ଷ୍ମୀ ସିଂ, ଜିଲ୍ଲା ଶିକ୍ଷାଧିକାରୀ ଧ୍ରୁବ ଚରଣ ବେହେରା, ଡେପୁଟି କଲେକ୍ଟର (ଜୁଡିସିଆଲ) ସୋନାଲି ପଟ୍ଟନାୟକ, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ସୁଧା ବାର୍ଲା ଏବଂ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁଷମା ମହାପାତ୍ର ଏବଂ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରମୁଖ ମଞ୍ଚାସୀନ ଥିଲେ । କନ୍ୟା ମାନଙ୍କ ଉପରେ ହେଉଥିବା ଅନେକ ପ୍ରକାର ଅତ୍ୟାଚାର, ହିଂସା ଆଦି ବିରୋଧରେ ସଚେତନତା ଏହାର ମୁଖ୍ୟ ଆଭିମୁଖ୍ୟ ଥିଲା । ଘରୋଇ ହିଂସା, ଶିଶୁ ବିବାହ ପରି କୁପ୍ରଥା ଦ୍ୱାରା ସମାଜ କିପରି ମହିଳାଙ୍କ ଉପରେ ଅତ୍ୟାଚାର କରୁଛି ଏବଂ ଏହାର ମୁକାବିଲା ପାଇଁ ଛାତ୍ରୀମାନଙ୍କୁ ଯତ୍ନବାନ ହେବାକୁ ମତ ପ୍ରକାଶ ପାଇଥିଲା । ଭଲ ଓ ଖରାପ ଛୁଆଁ ବାବଦରେ ଶ୍ରୀମତୀ ସିଂ ଜଣାଇଥିଲେ । ସେହିପରି ଜଣେ କନ୍ୟା କିପରି କୌଣସି ଅସୁବିଧାର ସମ୍ମୁଖିନ ହେଲେ ଥାନାରେ ଥିବା ମହିଳା ଡ଼େସ୍କ କିମ୍ବା ଦେୟମୁକ୍ତ ନମ୍ବରରେ କଥା ହେଇପାରିବ । ସେଥିପାଇଁ ୧୦୯୮, ୧୮୧ କିମ୍ବା ୧୧୨ରେ କଥା ହୋଇ ସମସ୍ୟା ଜଣାଇପାରିବ । ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ବେହେରା ଶିକ୍ଷା ଦ୍ୱାରା ଏହାର ମୂଳୋତ୍ପାଟନ ହେଇପାରିବ ବୋଲି କହିଥିଲେ । ଜଣେ ପଢିଲେ ନିଜର ଅଧିକାର ଜାଣିପାରିବ ଏବଂ କୌଣସି ପରିସ୍ଥିତିରୁ ନିଜକୁ ବାହାର କରିପାରିବ । ମୁଖ୍ୟ ଅତିଥି ସାମାଜିକ ଗଣମାଧ୍ୟମକୁ ଏହି ଅଭିଯାନର ପ୍ରମୁଖ ସାରଥି କରିବାକୁ କହିଥିଲେ । ଝିଅ ଶୃଙ୍ଖଳିତ ହେଲେ ସଫଳ ହେଇପାରିବ । ସମସ୍ତଙ୍କୁ ଏହି ବାର୍ତ୍ତା ଦେବା ସହ ସମାଜରୁ ମହିଳା ହିଂସା ଦୂର କରିବା ପାଇଁ ମହିଳାଙ୍କୁ ମଙ୍ଗ ଧରିବାକୁ କହିଥିଲେ । ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ସଭା ବାବଦରେ ସୂଚନା ଦେଇଥିଲେ । ସନ୍ଧ୍ୟାରାଣୀ ପତି ମଞ୍ଚ ପରିଚାଳନା କରିଥିଲେ ।