centurian jitm

ବଲାଙ୍ଗିର ଜିଲ୍ଲାରେ ଫେବୃଆରୀ ୧୦ ତାରିଖଠାରୁ ୧୯ ତାରିଖ ପର୍ଯ୍ୟନ୍ତ ଫାଇଲେରିଆ ନିରାକରଣ ଅଭିଯାନ

nschool

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ୧୧ ଗୋଟି ବ୍ଲକ ଓ ୪ ଗୋଟି ସହରାଞ୍ଚଳରେ ଚଳିତ ଫେବୃଆରୀ ୧୦ ତାରିଖଠାରୁ ୧୯ ତାରିଖ ପର୍ଯ୍ୟନ୍ତ ଫାଇଲେରିଆ ନିରାକରଣ ଅଭିଯାନ ମାଧ୍ୟମରେ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ କରାଯିବ । ଆଜି ଅପରାହ୍ନରେ ସ୍ଥାନୀୟ ଜାତୀୟ ସ୍ୱାସ୍ଥ୍ୟ ମିଶନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ. କୁବେର ଚନ୍ଦ୍ର ମହନ୍ତ ଏହି ସୂଚନା ଦେଇଛନ୍ତି । ଏହି ସମୟ ମଧ୍ୟରେ ଜିଲ୍ଲାର ୧୪ ଲକ୍ଷ ୭୬ ହଜାର ଜଣଙ୍କୁ ଫାଇଲେରିଆ ନିରାକରଣ ଅଭିଯାନ ମାଧ୍ୟମରେ ଔଷଧ ପ୍ରଦାନ କରାଯିବ । ଏଥି ସକାଶେ ୪୧୪୩ ଜଣ ଔଷଧ ପ୍ରଦାନକାରୀ ଓ ସ୍ୱାସ୍ଥ୍ୟକର୍ମୀ ଏବଂ ୪୧୭ ଜଣ ସୁପରଭାଇଜର ଏବଂ ୯୧ ଜଣ ମୋବାଇଲ ଦଳଙ୍କୁ ନିୟୋଜିତ କରାଯାଇଛି । ଔଷଧ ପ୍ରଦାନକାରୀ ଓ ସ୍ୱାସ୍ଥ୍ୟକର୍ମୀମାନେ ଘରକୁ ଘର ଯାଇ ନିଜ ତତ୍ଵାବଧାନରେ ନିଜ ସମ୍ମୁଖରେ ଔଷଧ ଖୁଆଇବେ । ଗର୍ଭବତୀ ମହିଳା, ୨ ବର୍ଷରୁ କମ ବୟସର ଶିଶୁ ଓ ଗୁରୁତର ରୋଗୀଙ୍କୁ ଏହି ବଟିକା ଦିଆଯିବ ନାହିଁ । ଡିଇସି ବଟିକା ଓ କୃମିନାଶକ ବଟିକା ନିୟୋଜିତ ଔଷଧ ପ୍ରଦାନକାରୀ ଓ ସ୍ୱାସ୍ଥ୍ୟକର୍ମୀମାନେ ଘରକୁ ଘର ଯାଇ ପରିବାରର ସଦସ୍ୟ ସଦସ୍ୟାମାନଙ୍କୁ ବୟସ ଅନୁସାରେ ଏହି ବଟିକା ଖୁଆଇବେ । ଏହି ଔଷଧ ସେବନ ଦ୍ଵାରା ଶରୀର ଭିତରେ ଥିବା ମାଇକ୍ରୋ ଫାଇଲେରିଆ ପରଭୋଜୀ ସମ୍ପୂର୍ଣ୍ଣ ଭାବେ ମରିଯାଆନ୍ତି ଏବଂ ବଡ ପାରାସାଇଟମାନେ ନିସ୍ତେଜ ହୋଇଯାଆନ୍ତି ତଥା ଲୋକମାନେ ଭବିଷ୍ୟତରେ ଫାଇଲେରିଆ ରୋଗରୁ ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କରନ୍ତି ଏବଂ ଏହି ଔଷଧ ସମ୍ପୂର୍ଣ୍ଣ ନିରାପଦ ଅଟେ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର କୁବେର ଚନ୍ଦ୍ର ମହନ୍ତ ସୂଚନା ଦେଇଥିଲେ । ଏ ସମ୍ପର୍କରେ ଜିଲ୍ଲାରେ ଔଷଧ ପ୍ରଦାନକାରୀ ଓ ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ ତାଲିମ ପ୍ରଦାନ, ରାତ୍ରିକାଳୀନ ରକ୍ତ ନମୁନା ସର୍ଭେ, ବ୍ଲକସ୍ତରୀୟ ସମନ୍ଵୟ ବୈଠକ ଏବଂ ମାଇକ୍ରୋପ୍ଲାନ ସମ୍ପୂର୍ଣ୍ଣ ହୋଇଯାଇଛି ବୋଲି ସେ ସୂଚନା ଦେଇଥିଲେ । ସଚେତନତା ନିମନ୍ତେ ଏ ସମ୍ପର୍କିତ ଲିଫଲେଟ ବଣ୍ଟନ ଓ ବିଦ୍ୟାଳୟ ଗୁଡିକରେ ସଚେତନତା କାର୍ଯ୍ୟକ୍ରମ କରାଯାଇଛି ବୋଲି ସେ ପ୍ରକାଶ କରିଥିଲେ । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ସହକାରୀ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ଟିବି) ଡ. ସିଦ୍ଧେଶ୍ଵର ମାଝୀ, ଜିଲ୍ଲା ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ଡ. ସୁଧା ବାର୍ଲା, ବିଶ୍ୱ ସ୍ଵାସ୍ଥ୍ୟ ସଂଗଠନର କ୍ଷେତ୍ରୀୟ ସଂଯୋଜକ ଡ. ନିଶିଥ ରଞ୍ଜନ ଦାସ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସରୋଜ କୁମାର ସାହୁ, ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମର ଜିଲ୍ଲା ସଂଯୋଜକ ସୁରେଶ ସ୍ଵାଇଁଙ୍କ ସମେତ ପ୍ରିଣ୍ଟ ଏବଂ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧିମାନେ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.