ଘରେ ଘରେ ତ୍ରିରଙ୍ଗା ଅଭିଯାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୭୮ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଓଡିଶା ସରକାରଙ୍କ ନିର୍ଦ୍ଦେଶ କ୍ରମେ ସମଗ୍ର ରାଜ୍ୟରେ ଘରେ ଘରେ ତ୍ରିରଙ୍ଗା ଅଭିଯାନ ଆରମ୍ଭ ହୋଇଛି । ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦିଗଦର୍ଶନ ଅନୁଯାଇ ଆରମ୍ଭ ହୋଇଥିବା ଏହି ଅଭିଯାନରେ ସମଗ୍ର ଭାରତର ନାଗରିକଙ୍କୁ ସାମିଲ କରି ବିଭିନ୍ନତା ମଧ୍ୟରେ ଏକତାର ବାର୍ତ୍ତା ଦେବା ପାଇଁ ରାଜ୍ୟ ସରକାର ଏକ ମାର୍ଗଦର୍ଶିକା ପ୍ରସ୍ତୁତ କରିବା ସହ ତୃଣମୂଳ ସ୍ତରରେ ଏହାର ସଫଳ ରୂପାୟନ ନିମନ୍ତେ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଅଭିଯାନର ସଫଳତା ତଥା ସମଗ୍ର ବିଶ୍ଵବାସୀଙ୍କୁ ବିଭିନ୍ନତା ମଧ୍ୟରେ ଏକତାର ବାର୍ତ୍ତା ଦେବା ପାଇଁ ସମସ୍ତ ଜିଲ୍ଲା, ବ୍ଲକ ଏବଂ ପଞ୍ଚାୟତ ସ୍ତରରେ ତ୍ରିରଙ୍ଗା ଯାତ୍ରା, କୋନସର୍ଟ ଓ ଶପଥପାଠ କାର୍ଯ୍ୟକ୍ରମ ଅୟୋଜନ କରାଯିବ । ଏଥିପାଇଁ ଆବଶ୍ୟକୀୟ ସଂଖ୍ୟକ ଜାତୀୟ ପତାକା ଜିଲ୍ଲାର ସ୍ୱୟଂ ସହାୟକ ଗୋଷ୍ଠୀ ଯୋଗାଇବେ । ଜିଲ୍ଲାର ମଣ୍ଡଳ ଉନ୍ନୟନ ଅଧିକାରୀ ଓ ପୌର ପାଳିକା/ ମହାନଗର ନିଗମର କାର୍ଯ୍ୟନିର୍ବାହୀ ଅଧିକାରୀ / ପୌର ଆୟୁକ୍ତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ତଥା ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଓ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ସମନ୍ଵୟରେ ଏହି କାର୍ଯ୍ୟକ୍ରମ ସମ୍ପାଦନ ହେବ । ଏହି ଅବସରରେ ଜିଲ୍ଲାପାଳ ସମସ୍ତ ଭାରତୀୟଙ୍କ ସ୍ୱାଭିମାନ ଏବଂ ସମ୍ମାନର ପ୍ରତୀକ ତ୍ରିରଙ୍ଗା ପତାକାକୁ ଗର୍ବ ଓ ସମ୍ମାନର ସହ ଉଡାଇବା ପାଇଁ ଅନୁରୋଧ କରିଛନ୍ତି ଏବଂ www.harghartiranga.com ୱେବ୍ସାଇଟରେ ଶପଥପାଠ କରି କିମ୍ବା ତ୍ରିରଙ୍ଗା ପତାକା ସହିତ ନିଜର ସେଲଫି ଅପ୍‌ଲୋଡ କରି କେନ୍ଦ୍ର ସରକାରଙ୍କ ପ୍ରମାଣ ପତ୍ର ଗ୍ରହଣ କରିବା ସହ ବିଭିନ୍ନତା ମଧ୍ୟରେ ଏକତାର ବାର୍ତ୍ତା ଦେବା ପାଇଁ ସମସ୍ତ ଜିଲ୍ଲାବାସୀଙ୍କୁ ଆହ୍ୱାନ କରିଛନ୍ତି । ଜିଲ୍ଲା ସଦର ମହକୁମାରେ ୧୩ ତାରିଖ ସ୍ଥାନୀୟ କୋଶଳ କଳା ମଣ୍ଡଳ ପଡିଆରୁ ସକାଳେ ଏକ ତ୍ରିରଙ୍ଗା ଯାତ୍ରା ବାହାରିବ । ଏଥିରେ ସମସ୍ତ ବୁଦ୍ଧିଜୀବୀ, ଛାତ୍ର ଛାତ୍ରୀ, ଅଧିବାସୀ ମାନଙ୍କୁ ଯୋଗ ଦେବାକୁ ଅନୁରୋଧ ମଧ୍ୟ କରାଯାଇଛି ।

Leave A Reply

Your email address will not be published.