- କାର୍ଯ୍ୟକାରୀ ହେଲା “ଗାଁ ପରିମଳ ଗାଁ ମୁଣ୍ଡରୁ”
ନୂଆପଡା, (ସନ୍ତୋଷ ପଟ୍ଟନାୟକ) : “ଏକକ ବ୍ୟବହୃତ ପ୍ଲାଷ୍ଟିକ ମୁକ୍ତ ନୂଆପଡା ଅଭିଯାନ” ଲକ୍ଷ୍ୟରେ ଆଜି ସକାଳ ୮ଟାରୁ ୧୦ଟା ପର୍ଯ୍ୟନ୍ତ “ଗାଁ ପରିମଳ ଗାଁ ମୁଣ୍ଡରୁ” ଥିମ୍ରେ ସମଗ୍ର ଜିଲ୍ଲା ଯୋଡ଼ି ହୋଇ ଏକ ବ୍ୟାପକ ମେଗା ସଫେଇ ଅଭିଯାନ ଆୟୋଜିତ ହୋଇଥିଲା । ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ନେତୃତ୍ୱରେ ଗ୍ରାମ ପଞ୍ଚାୟତ, ବ୍ଲକ ପ୍ରଶାସନ, ଏନ୍ଏସି, ସ୍ୱଚ୍ଛତା ଦଳ, ପରିମଳ କର୍ମୀ, ଯୁବ କ୍ଲବ ଓ ସ୍ୱେଚ୍ଛାସେବୀ ମାନଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ସଫଳ ହୋଇଥିଲା । ଜିଲ୍ଲା ପ୍ରଶାସନର ପ୍ରଚେଷ୍ଟାରେ ଆୟୋଜିତ ଏହି ଅଭିଯାନରେ ସରକାରୀ ଅଧିକାରୀ, ଜନ ପ୍ରତିନିଧି , ପଞ୍ଚାୟତ ପ୍ରତିନିଧି, ସ୍କୁଲ ଛାତ୍ରଛାତ୍ରୀ, ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀ, ସ୍ୱେଚ୍ଛାସେବୀ ଓ ସାଧାରଣ ନାଗରିକମାନଙ୍କର ବ୍ୟାପକ ଅଂଶଗ୍ରହଣ ଦେଖିବାକୁ ମିଳିଥିଲା । ଜିଲ୍ଲାର ସମସ୍ତ ପଞ୍ଚାୟତ ସହିତ ତିନି ବିଜ୍ଞାପିତ ଅଞ୍ଚଳ ପରିଷଦରେ ମଧ୍ୟ ଏହି ସଫେଇ ଅଭିଯାନ ଚାଲିଥିଲା । ଏଠାରେ ଥିମ୍ ଥିଲା “ୱାର୍ଡ଼ ପରିମଳ ୱାର୍ଡ ମୁଣ୍ଡରୁ” । ଅଭିଯାନ ସମୟରେ ଜିଲ୍ଲାର ପ୍ରାୟ ୨୦୦୦ ଆବର୍ଜନା ପ୍ରବଣ ସ୍ଥାନ ସଫା କରାଯାଇଥିବାବେଳେ ୨୫ ଟନ୍ରୁ ଅଧିକ ପ୍ଲାଷ୍ଟିକ ଅଳିଆ ସଂଗ୍ରହ କରାଯାଇ ପୁନଃଚକ୍ରୀକରଣ ପାଇଁ ପଠାଯାଇଥିଲା । ଏହାସହ ୧୦୦୦ରୁ ଅଧିକ ସ୍କୁଲ ଓ ୧୪୦୦ରୁ ଅଧିକ ଅଙ୍ଗନୱାଡି କେନ୍ଦ୍ରରେ ସଫାସୁତୁରା ଓ ସଚେତନତା କାର୍ଯ୍ୟକ୍ରମ ହୋଇଥିଲା । ସେହିପରି ୩୦୦ରୁ ଅଧିକ ସରକାରୀ କାର୍ଯ୍ୟାଳୟ ଓ ୩୦ରୁ ଅଧିକ ପର୍ଯ୍ୟଟନ ସ୍ଥଳୀରେ ମଧ୍ୟ ସଫାସୁତୁରା ଅଭିଯାନ ଚାଲିଥିଲା । ଏହି ଅବସରରେ ଜିଲ୍ଲାପାଳ କହିଛନ୍ତି ଯେ, ଏହି ପଦକ୍ଷେପ ମାଧ୍ୟମରେ ସ୍ୱଚ୍ଛତା ପ୍ରତି ସମାଜର ଦାୟିତ୍ୱବୋଧ ବୃଦ୍ଧି ପାଇବା ସହିତ ନୂଆପଡାକୁ ଏକ “ଏକକ ବ୍ୟବହୃତ ପ୍ଲାଷ୍ଟିକ ମୁକ୍ତ ଜିଲ୍ଲା” ଭାବେ ଗଢ଼ି ତୋଳିବା ଉଦ୍ଦେଶ୍ୟରେ ପ୍ରଶାସନ ପ୍ରତିବଦ୍ଧ ରହିଛି । ଆଜିର ଏହି ସଫଳ ବିଶାଳ ସଫେଇ ଅଭିଯାନ ପାଇଁ ସେ ସମସ୍ତ ଜିଲ୍ଲାବାସୀ ଓ ଅଧିକାରୀ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।