ଶିବିରର ଦ୍ୱିତୀୟ ଦିବସରେ ସ୍ୱଚ୍ଛତା ଅଭିଯାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟ ପକ୍ଷରୁ ପୋଷ୍ୟ ଗ୍ରାମ୍ୟ ଚାରପାଲିରେ ଚାଲିଥିବା ଜାତୀୟ ସେବା ଯୋଜନାର ସାତଦିନିଆ ଶୀତକାଳୀନ ସ୍ୱତନ୍ତ୍ର ଶିବିର ଆଜି ଦ୍ୱିତୀୟ ଦିବସରେ ପହଞ୍ଚିଛି । ଏହି ଅବସରରେ ସ୍ୱେଚ୍ଛାସେବୀ ଛାତ୍ରଛାତ୍ରୀମାନେ ମହାବିଦ୍ୟାଳୟ ଓ ଗ୍ରାମ୍ୟ ପରିସରରେ ବ୍ୟାପକ ସଫେଇ କାର୍ଯ୍ୟ କରିବା ସହିତ ଚାରପାଲି ଗ୍ରାମବାସୀଙ୍କୁ ‘ସ୍ୱଚ୍ଛ ଭାରତ’ କାର୍ଯ୍ୟକ୍ରମ ସମ୍ପର୍କରେ ସଚେତନ କରାଇଥିଲେ । କାର୍ଯ୍ୟକ୍ରମ ଅଧିକାରୀ ସଞ୍ଜୟ ତିଗାଙ୍କ ସଂଯୋଜନାରେ ଆୟୋଜିତ ଏହି ସଭାରେ ଅଞ୍ଚଳ ମହାବିଦ୍ୟାଳୟ ଶିକ୍ଷା ବିଭାଗର ମୁଖ୍ୟ ଡ. ତୁଷାରକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପରିଷ୍କାର ପରିଚ୍ଛନ୍ନତାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଭାବେ କାର୍ଯ୍ୟକ୍ରମ ଅଧିକାରୀ ଭୁବନେଶ୍ୱର ବରିହା, ସୁରେଶ୍ୱରୀ ପାଣ୍ଡେ ଓ ଡ. ସରୋଜ କୁମାର ନାଏକ ଉପସ୍ଥିତ ରହି ସ୍ୱେଚ୍ଛାସେବୀମାନଙ୍କୁ ଉତ୍ସାହିତ କରିଥିଲେ । ଏହି ପରିପ୍ରେକ୍ଷୀରେ ସ୍ୱେଚ୍ଛାସେବୀମାନଙ୍କ ମଧ୍ୟରେ ଏକ ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ଅନେକ ଛାତ୍ରଛାତ୍ରୀ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ । କାର୍ଯ୍ୟକ୍ରମକୁ ସଫଳ କରିବାରେ ଅଧ୍ୟାପକ ସମୀର ନାଗ, ସଦାନନ୍ଦ ସାହୁ, ଛାତ୍ରୀ ଭାରତୀ ବେହେରା, ଇତିଶ୍ରୀ ସାହୁ, ସିଦ୍ଧି ସାହୁ, ସନ୍ତୋଷିନୀ ମର୍ହି, ଛାତ୍ର ଆଦିତ୍ୟ ବନଛୋର, ଚୈତନ୍ୟ ପଣ୍ଡା ଓ ମୁକେଶ ଯାଦବ ସକ୍ରିୟ ସହଯୋଗ କରିଥିଲେ । ପରିଶେଷରେ ଅଧ୍ୟାପିକା ବୁନି ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.