ଖପ୍ରାଖୋଲ, (ଅଶୋକ କୁମାର ବାଗ) : “ଜଳ ହେଉଛି ଜୀବନ” ଏହି ସନ୍ଦେଶକୁ ନେଇ ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥ ପର୍ଯ୍ୟଟନ କେନ୍ଦ୍ର ହରିଶଙ୍କର ଝରଣା କୂଳରେ ପାଣି ପଞ୍ଚାୟତ ସପ୍ତାହ ଉତ୍ସାହ ଓ ସାର୍ଥକତାର ସହ ପାଳିତ ହୋଇଯାଇଛି । ବଲାଙ୍ଗିର କ୍ଷୁଦ୍ର ଜଳସେଚନ ବିଭାଜନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜଳ ସଂରକ୍ଷଣ ଓ ସୁସଞ୍ଚାଳନର ଆବଶ୍ୟକତା ଉପରେ ଗୁରୁତ୍ୱ ଦିଆଯାଇଥିଲା । ଅଧିକ୍ଷଣ ଯନ୍ତ୍ରୀ ରବୀନ୍ଦ୍ରନାଥ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ କାଳିନ୍ଦ୍ରୀ ସେଠୀ, ବିଡ଼ିଓ ବିବେକାନନ୍ଦ ଷଡ଼ଙ୍ଗୀଙ୍କ ସହ ବହୁ ଗଣ୍ୟମାନ୍ୟ ଅତିଥି ଯୋଗଦେଇ ଜଳ ସଞ୍ଚୟ, ପାଣି ପଞ୍ଚାୟତର ଭୂମିକା ଓ ସଚେତନତା ଉପରେ ଆଲୋକପାତ କରିଥିଲେ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ, ଗଛରେ ପାଣି ଦେଇ ପରିବେଶ ସୁରକ୍ଷାର ସନ୍ଦେଶ ଦିଆଯାଇଥିଲା । ଏହି ଅବସରରେ ପ୍ରତିଯୋଗିତାର କୃତ୍ତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ସଭାକୁ ଆନନ୍ଦମୟ କରିଥିଲା ।