centurian jitm

ଢେଙ୍କାନାଳ ଜିଲ୍ଲାରେ ଟିବି ମୁକ୍ତ ଅଭିଯାନ ନେଇ କେନ୍ଦ୍ରମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା

nschool
  • ଢେଙ୍କାନାଳ ଜିଲ୍ଲାରେ ‘ଟିବି ମୁକ୍ତ ସଚେତନତା’ ଜନଅଭିଯାନରେ ପରିଣତ କରିବା – ଧର୍ମେନ୍ଦ୍ର ପ୍ରଧାନ
  • ଟିବି ମୁକ୍ତ ଅଭିଯାନରେ ସାମିଲ ହେବାକୁ ଗୁରୁଜନ, ଯୁବ ସଂଗଠନ, ସାମାଜିକ ସଂଗଠନ ଓ ନାଗରିକମାନଙ୍କୁ କଲେ ଅନୁରୋଧ
  • ଯକ୍ଷ୍ମା ଏକ ଜଟିଳ ରୋଗ ନୁହେଁ, ଆଧୁନିକ ଚିକିତ୍ସା ବଳରେ ଟିବିର ସଂପୂର୍ଣ୍ଣ ବିଲୋପ କରାଯାଇପାରିବ
  • ୨୦୨୫ ଡିସେମ୍ବର ସୁଦ୍ଧା ଭାରତକୁ ଟିବି ମୁକ୍ତ କରିବା ପାଇଁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଆହ୍ୱାନ କରିଛନ୍ତି
  • ନିକ୍ଷୟ ମିତ୍ର ଏବଂ ପ୍ରଭାବୀ ଉପଚାର ଭଳି ପଦକ୍ଷେପ ଯୋଗୁ ଓଡ଼ିଶା ଓ ଦେଶରେ ଯକ୍ଷ୍ମା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଛି

ଢେଙ୍କାନାଳ, (ପିଆଇବି) : ଯକ୍ଷ୍ମା ଏକ ଜଟିଳ ରୋଗ ନୁହେଁ, ଆଧୁନିକ ଚିକିତ୍ସା ବଳରେ ଟିବିର ସଂପୂର୍ଣ୍ଣ ବିଲୋପ କରାଯାଇପାରିବ । ଏଥିପାଇଁ ରୋଗୀଙ୍କୁ ଧୈର୍ଯ୍ୟ ଧରି ସାହସର ସହ ଏହି ରୋଗର ମୁକାବିଲା କରିବାକୁ ପଡିବ । ଏହି ମନ୍ତ୍ରକୁ ଆଧାର କରି ଜନସଚେତନତା ମାଧ୍ୟମରେ ଢେଙ୍କାନାଳ ଜିଲ୍ଲାରେ ଟିବି ମୁକ୍ତ କାର୍ଯ୍ୟକ୍ରମକୁ ଜନ ଅଭିଯାନରେ ପରିଣତ କରିବା ପାଇଁ ଆହ୍ୱାନ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ ଢେଙ୍କାନାଳ ଜିଲ୍ଲାକୁ ଯକ୍ଷ୍ମା ମୁକ୍ତ କରିବା ପାଇଁ ଟିବି ମୁକ୍ତ – ନିକ୍ଷୟ ମିତ୍ର” ଅଭିଯାନରେ ସାମିଲ ହେବାକୁ ଜିଲ୍ଲାର ଗୁରୁଜନ, ଯୁବ ସଂଗଠନ, ସାମାଜିକ ସଂଗଠନ ଓ ନାଗରିକମାନଙ୍କୁ ଅନୁରୋଧ କରିଛନ୍ତି । ସେ କହିଛନ୍ତି ଯେ, ସ୍ୱାସ୍ଥ୍ୟ ଆମ ଜୀବନର ମୂଳ ଆଧାର । ସାମାଜିକ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ । ଏହାକୁ ଦୃଷ୍ଟିରେ ରଖି ଭାରତକୁ ୨୦୨୫ ଡିସେମ୍ବର ସୁଦ୍ଧା ସଂପୂର୍ଣ୍ଣ ଭାବରେ ଟିବି ମୁକ୍ତ କରିବା ପାଇଁ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ “ଟିବି ମୁକ୍ତ ଭାରତ ଅଭିଯାନ – ନିକ୍ଷୟ ମିତ୍ର”ରେ ସାମିଲ ହେବା ପାଇଁ ଦେଶବାସୀଙ୍କୁ ଆହ୍ୱାନ କରିଛନ୍ତି । ଜିଲ୍ଲା, ବ୍ଲକ, ପଞ୍ଚାୟତ ସ୍ତରରେ ଟିବି ଅଭିଯାନକୁ ବ୍ୟାପକ କରିବା ପାଇଁ ଆମ ସରକାର ନିରନ୍ତର କାମ କରୁଛନ୍ତି । ପଞ୍ଚାୟତଗୁଡ଼ିକ ମଧ୍ୟରେ ସୁସ୍ଥ ପ୍ରତିଯୋଗିତା ସୃଷ୍ଟି କରିବା ପାଇଁ ମୋଦୀ ସରକାର ପ୍ରାଥମିକତା ଦେଉଛନ୍ତି । ବୈଠକ ମାଧ୍ୟମରେ ଯକ୍ଷ୍ମା ରୋଗୀଙ୍କୁ ଚିହ୍ନଟ କରିବା ସହ ରୋଗ ନିରାକରଣ ପାଇଁ ପଦକ୍ଷେପ ନେବା ଉପରେ ଗୁରୁତ୍ୱ ଦିଆଯାଉଛି । ଏହି ଅଭିଯାନରେ ଟିବି ପୀଡ଼ିତ ଭାଇ ଓ ଭଉଣୀଙ୍କୁ ସାହାଯ୍ୟ କରିବା ପାଇଁ ନିକ୍ଷୟ ପୋର୍ଟାଲ ନିରନ୍ତର କାମ କରୁଛି । ନିକ୍ଷୟ ମିତ୍ର ଏବଂ କମ୍ ସମୟରେ ପ୍ରଭାବୀ ଉପଚାର ଭଳି ପଦକ୍ଷେପ ଯୋଗୁ ଓଡ଼ିଶା ଓ ଦେଶରେ ଯକ୍ଷ୍ମା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଛି । ଯକ୍ଷ୍ମା ବିରୋଧରେ ଲଢ଼େଇ ପାଇଁ ଭାରତର ବୈଶ୍ୱିକ ନେତୃତ୍ୱ କ୍ଷମତା ମଜବୁତ୍ ହୋଇପାରିଛି । ଭାରତ ବହୁମୁଖୀ ଢ଼ଙ୍ଗ ଯଥା ରୋଗୀଙ୍କୁ ଦୁଇ ଗୁଣ ସମର୍ଥନ, ଜନ ଭାଗିଦାରୀ, ନୂତନ ଔଷଧ ଓ ଟେକ୍ନୋଲୋଜି ଓ ଉତ୍ତମ ନିଦାନ ଉପକରଣର ବ୍ୟବହାର ମାଧ୍ୟମରେ ଯକ୍ଷ୍ମା ସହ ଲଢ଼େଇ କରୁଛି । ଏହି ପରିପ୍ରେକ୍ଷୀରେ ଆମେ ସମସ୍ତେ ଏକାଠି ହେବା ଏବଂ ଯକ୍ଷ୍ମା ଦୂର କରିବା ପାଇଁ ଏହି ସଚେତନତା ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବା । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ କେନ୍ଦ୍ରମନ୍ତ୍ରୀ ଟିବି ପୀଡିତଙ୍କ ଆଶୁ ଆରୋଗ୍ୟ ଓ ମଙ୍ଗଳ ପାଇଁ ପ୍ରାର୍ଥନା କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି, ପରଜଙ୍ଗ ବିଧାୟକ ବିଭୁତି ଭୁଷଣ ପ୍ରଧାନ, କାମାକ୍ଷାନଗର ବିଧାୟକ ଶତ୍ରୁଘ୍ନ ସେନା, ହିନ୍ଦୋଳ ବିଧାୟିକା ସୀମାରାଣୀ ନାଏକ, ଢେଙ୍କାନାଳ ମ୍ୟୁନିସିପାଲ ଚେୟାରମ୍ୟାନ ଜୟନ୍ତୀ ପାତ୍ର, ଏସପି ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟୟ ଓ ଏସପି ଅଭିନବ ସୋନକର ଉପସ୍ଥିତ ଥିଲେ ।

Leave A Reply

Your email address will not be published.