ଜିଲ୍ଲା ପରିଷଦଙ୍କ ତାଗିଦ୍ ପରେ ମାତ୍ର ୧୦ ଦିନରେ ସୁଧୁରିଗଲା ରାସ୍ତାର ଅବସ୍ଥା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜନ ପ୍ରତିନିଧି ରାସ୍ତାକୁ ଓହ୍ଲାଇଲେ କିଭଳି ପରିବର୍ତ୍ତନ ହୁଏ ତାହାର ଜ୍ୱଳନ୍ତ ଉଦାହରଣ ହେଉଛି ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ ନାଥପାଲିରୁ ଲେବିଡି ଗ୍ରାମକୁ ସଂଯୋଗ କରୁଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ । ସୂଚନା ଅନୁସାରେ ସେ ଗତ ବର୍ଷ ରାସ୍ତା ନିର୍ମାଣ କାମ ଶେଷ ହୋଇଥିଲା । କିନ୍ତୁ ଗୋଟିଏ ବର୍ଷ ନ ପୁରୁଣୁ ରାସ୍ତାଟି ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ନଷ୍ଟ ହୋଇଯାଇଥିଲା । ସ୍ଥାନୀୟ ବିଜେପି ନେତ୍ରୀ ଜିଲ୍ଲା ପରିଷଦ ସଭ୍ୟା ଝରଣା ପାଣିଗ୍ରାହୀ ଏନେଇ ଆର୍‌ଡି ବିଭାଗର ଏସଡିଓଙ୍କୁ ଅଭିଯୋଗ କରିଥିଲେ । କେନ୍ଦ୍ର ସରକାରଙ୍କ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇ ତିଆରି ହୋଇଥିବା ରାସ୍ତାଟି ଗୋଟିଏ ବର୍ଷରେ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବାରୁ ଜିଲ୍ଲା ପରିଷଦ ସଭ୍ୟା ଝରଣା ପାଣିଗ୍ରାହୀ ଏସଡିଓଙ୍କ ଉପରେ ଖୁବ୍ ଗର୍ଜିଥିଲେ ଏବଂ ଅନେକ ସମୟ ଧରି ତାଙ୍କୁ ତାଗିଦ୍ କଲା ପରେ ତୁରନ୍ତ ୧୦ ଦିନ ଭିତରେ ରାସ୍ତା ମରାମତି କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଆଉ ଠିକ୍ ୧୦ ଦିନ ପରେ ରାସ୍ତାର ଚିତ୍ର ବଦଳି ଯାଇଛି । ସୂଚନାଯୋଗ୍ୟ ଯେ, ରାସ୍ତା ନିର୍ମାଣ କାର୍ଯ୍ୟ ହେଉଥିବା ସମୟରେ ସ୍ଥାନୀୟ ଲୋକେ ନିମ୍ନମାନର କାର୍ଯ୍ୟ ହେଉଥିବା ଦେଖି ଅନେକ ଥର ଠିକାଦାରଙ୍କୁ ତାଗିଦ୍ କରିଥିଲେ । କିନ୍ତୁ ଠିକାଦାର ଏବଂ ତାଙ୍କ କର୍ମଚାରୀ ଲୋକଙ୍କ କଥାକୁ କର୍ଣ୍ଣପାତ ନ କରି ଅତି ନିମ୍ନମାନର କାମ କରିଥିଲେ, ଯାହା ଫଳରେ ମାତ୍ର ଗୋଟିଏ ବର୍ଷରେ ରାସ୍ତାଟି ନଷ୍ଟ ହୋଇ ଯାଇଥିଲା ।

jittmm
Leave A Reply

Your email address will not be published.