ବୋଲଧା ଗ୍ରାମର ମୁଖ୍ୟ ରାସ୍ତାର ଅବସ୍ଥା ବିପଦପୂର୍ଣ୍ଣ

ନୂଆପଡ଼ା, (ଅଜିତ ବେହେରା) : ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ୍ ଅନ୍ତର୍ଗତ ନାଗପଡା ପଞ୍ଚାୟତ ଅଧିନରେ ଥିବା ବୋଲଧା ଗ୍ରାମର ଗାଁ ବସ୍ତିରେ ଥିବା ମୁଖ୍ୟ ରାସ୍ତା ମରଣଜନ୍ତା ପାଲଟିଛି । ଏହି ଗାଁ ବସ୍ତିର ରାସ୍ତା ପିଡବ୍ଲୁଡି ରାସ୍ତାକୁ ସଂଯୋଗ କରୁଛି । ଗାଁ ବସ୍ତିର ରାସ୍ତାରୁ ପିଡବ୍ଲୁଡି ରାସ୍ତା ଦୂରତା ପ୍ରାୟ ୨୦୦ ମିଟର ଭିତରେ ଅବସ୍ଥିତ । ରାସ୍ତା ମଝିରେ ପୋଲ ଫାଟି ଆଁ କରିଛି । ଯାତାୟାତ କରିବାରେ ସମ୍ପୂର୍ଣ୍ଣ ଭାବେ ଗ୍ରାମର ଜନସାଧାରଣଙ୍କ ପାଇଁ ବିପଦ ସୃଷ୍ଟି କରୁଛି । ରାସ୍ତାଟି ଖରାପ ହୋଇ ୧୦ ଦିନରୁ ଅଧିକ ହୋଇ ଯାଇଥିଲେ ସୁଦ୍ଧା ବ୍ଲକ୍ ଓ ପଞ୍ଚାୟତ ପ୍ରଶାସନ ଜାଣି ଶୁଣି ଧୃତରାଷ୍ଟ୍ର ଭଳି ଅଭିନୟ କରୁଛନ୍ତି ବୋଲି ଅଭିଯୋଗ ହେଉଛି । ରାସ୍ତାଟି ଭାଙ୍ଗି କୂଅ ଭଳି ଗାତ ହୋଇଯାଇଛି । ତଥାପି ପ୍ରଶାସନ କୌଣସି ପଦକ୍ଷେପ ନନେଇ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି । ଏହି ରାସ୍ତାକୁ ଦୈନନ୍ଦିନ ନିର୍ଭର କରୁଥିବା ସ୍ଥାନୀୟ ଲୋକଙ୍କୁ ଏ ଯାଏଁ କୌଣସି ସୁଫଳ ନମିଳିବାରୁ ତାଙ୍କରି ଦୁଃଖ ବିଭିନ୍ନ ଗଣମାଧ୍ୟମକୁ ଜଣାଇବା ସହ ସ୍ଥାନୀୟ ଲୋକେ ପ୍ରତିକ୍ରିୟା ରଖିଛନ୍ତି ଯେ, ତୁରନ୍ତ ବ୍ଲକ ପ୍ରଶାସନ ଓ ପଞ୍ଚାୟତ ପ୍ରଶାସନ ଏହାର ତଦନ୍ତ କରି ଉଚିତ୍ ପଦକ୍ଷେପ ଗ୍ରହଣ ନକରନ୍ତି ତାହେଲେ ରାଜରାସ୍ତାକୁ ଓହ୍ଲାଇ ରାସ୍ତା ଜାମ କରି ଆନ୍ଦୋଳନ କରିବୁ ବୋଲି ପ୍ରତିକ୍ରିୟା ରଖିଛନ୍ତି । ଦେଖାଯାଉ ଖବର ପ୍ରସାରଣ ହେଲା ପରେ ପ୍ରଶାସନ କି ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଲା ବୋଲି ଗ୍ରାମବାସୀ କହିଛନ୍ତି ।

Leave A Reply

Your email address will not be published.