
ପାଟଣାଗଡ଼, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଅନ୍ତର୍ଗତ ଉଲବା ଛକ ନିକଟରେ ଗତକାଲି ସନ୍ଧ୍ୟାରେ ଗୋଟିଏ ଦ୍ରୁତଗତିରେ ଆସୁଥିବା କାର ଧକ୍କାରେ ଦୁଇଜଣ ନିରୀହ ମହିଳାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ସୂଚନା ଅନୁଯାୟୀ ପାଟଣାଗଡ଼ ଥାନା ଉଲବା ଗ୍ରାମର ମହିଳା ସରୋଜିନୀ ଧରୁଆ(୪୫) ଓ ତାଙ୍କ ଝିଅ ରୀତି ଧରୁଆ(୧୯) ଶନିବାର ସନ୍ଧ୍ୟା ୫ଟାରେ ନିଜ ଜମିରେ କାମ କରି ଫେରୁଥିବା ସମୟରେ ପାଟଣାଗଡ଼ ପଟରୁ ବଲାଙ୍ଗିର ଅଭିମୁଖେ ଗୋଟିଏ କାର ନଂ ଓଡି-୦୩ସି-୨୦୪୧ ଦ୍ରୁତ ଗତିରେ ଆସି ରାସ୍ତା କଡରେ ଚାଲିକି ଫେରୁଥିବା ଦୁଇ ମାଁ ଝିଅଙ୍କୁ ଜୋରଦାର ଟକ୍କର ମାରିଥିଲା । ଫଳରେ ମାଁ ଝିଅ ଦୁହେଁ ଛିଟିକି ଯାଇ ରାସ୍ତା କଡରେ ଥିବା ଇଲେକ୍ଟ୍ରି ଖୁଣ୍ଟରେ ପିଟି ହୋଇଥିବା ବେଳେ ତାଙ୍କ ଶରୀର ଖଣ୍ଡ ବିଖଣ୍ଡ ହୋଇ ତଳେ ପଡିଥିଲା । ଘଟଣାପରେ ଗ୍ରାମର ଲୋକ ଜମା ହୋଇ କାର ଡ୍ରାଇଭରଙ୍କୁ ଅଟକ ରଖିଥିଲେ । ବଲାଙ୍ଗିର-ପାଟଣାଗଡ଼ ୪୨ ନମ୍ବର ରାଜପଥକୁ ଅବରୋଧ କରି ମୃତକଙ୍କ ପରିବାରକୁ କ୍ଷତି ପୂରଣ ଦାବିରେ ଧାରଣାରେ ବସିଥିଲେ । ଫଳରେ ଉଭୟ ପଟେ ଶହ ଶହ ଯାନବାହାନ ଅଟକି ରହିଥିଲା । ଖବର ପାଇ ପାଟଣାଗଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ଡ୍ରାଇଭରଙ୍କୁ ଗିରଫ କରି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ କିନ୍ତୁ ଆନ୍ଦୋଳନକାରୀମାନେ କାହା କଥା ଶୁଣିନଥିଲେ । ପରେ ଏସ୍ଡିପିଓ ସଦାନନ୍ଦ ପୁଝାରୀ, ତହସିଲଦାର ରୁଦ୍ରମୋହନ ନାୟକ, ବିଡ଼ିଓ ସୁମନ ମିଞ୍ଜ ଘଟଣାସ୍ଥଳରେ ପହଞ୍ଚି ରେଡ଼କ୍ରସ ତରଫରୁ ୨୦୦୦୦ ଟଙ୍କା ହରିଶ୍ଚନ୍ଦ୍ର ଯୋଜନାରୁ ୪୦୦୦ ଟଙ୍କା ଏବଂ ଦୁର୍ଘଟଣା ଘଟାଇଥିବା କାର ମାଲିକ ସୁନୀଲ ଅଗ୍ରୱାଲଙ୍କ ତରଫରୁ ଦୁଇ ଲକ୍ଷ ପଚାଶ ହଜାର ଟଙ୍କା କ୍ଷତିପୂରଣ ଦେବା ପରେ ଆନ୍ଦୋଳନକାରୀ ଧାରଣାରୁ ଓହରି ଥିଲେ । ଏନେଇ ପାଟଣାଗଡ଼ ଥାନା କେସ୍ ନଂ ୭୮/୨୦୨୪ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଥିବା ପାଟଣାଗଡ଼ ଥାନା ଅଧିକାରିଣୀ ତାରାବତୀ ପଧାନ ପ୍ରକାଶ କରିଛନ୍ତି ।