ବୋରିଗୁମ୍ମା, (ଏସ. ସୁନ୍ଦରମ୍) : ଦୁର୍ଘଟଣାରେ କ୍ଷତି ପୂରଣ ଦାବିରେ ରାସ୍ତା ଅବରୋଧ । ସୂଚନା ଆନୁଯାୟୀ ଗତକାଲି ରାତିରେ ବୋରିଗୁମ୍ମା ଥାନା ଅନ୍ତର୍ଗତ ଚାରଗାଁ ଜାତୀୟ ରାଜପଥ ନିକଟରେ ଏକ ବାଇକକୁ ପଛପଟୁ ଏକ ଏକ୍ସୟୁଭି କାର ଧକ୍କା ଦେବା ଫଳରେ ବାଇକ ଚାଳକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଜୟପୁର ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି । ମୃତ ବ୍ୟକ୍ତି ଜଣକ ଚାରଗାଁର ପିତାମ୍ବର ପୂଜାରୀ ବୋଲି ଜଣାପଡ଼ିଛି । ଆଜି ପରିବାର ଏବଂ ଗାଁ ଲୋକେ ମିଶି ମୃତଦେହକୁ ବୋରିଗୁମ୍ମା ଥାନା ଜାତୀୟ ରାଜପଥ ନିକଟରେ ରଖି ରାସ୍ତା ଅବରୋଧ କରିଛନ୍ତି । ଯେ ପର୍ଯ୍ୟନ୍ତ କ୍ଷତି ପୂରଣ ହୋଇନାହିଁ, ସେ ପର୍ଯ୍ୟନ୍ତ ଶବକୁ ରାସ୍ତା ଉପରେ ରଖି ରାସ୍ତା ଅବରୋଧ କରିବେ ବୋଲି ଜିଦରେ ଅଟଳ ରହିଛନ୍ତି । ପୋଲିସ ଲୋକଙ୍କୁ ବୁଝାସୁଝା କରୁଛି । ସେପଟେ ଜାତୀୟ ରାଜପଥ ଦୁଇ ପାର୍ଶ୍ଵରେ ଶହ ଶହ ଗାଡି ମୋଟର ଅଟକି ରହିଛି ।