ଟ୍ରକ ଧକ୍କାରେ ଯୁବକ ମୃତ : ୪ ଘଣ୍ଟା କାଳ ରାସ୍ତା ଅବରୋଧ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ୧୨୬ ନମ୍ବର ଜାତୀୟ ରାଜପଥ ମୁଖ୍ୟ ରାସ୍ତା ରାମପୁରରେ ଏସ୍‌ବିଆଇ ଏଟିଏମ୍ ସାମନାରେ ଟ୍ରକ୍ ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକ ରାମପୁର ଚମାରପଡ଼ାର ଉଦୟ ମେହେରଙ୍କ ପୁଅ ଶତ୍ରୁଘ୍ନ ମେହେର (୨୮) ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ ଶତ୍ରୁଘ୍ନ ବିନିକା ପଟୁ ଏକ ବାଇକ୍‌ରେ ଆସୁଥିଲେ । ଏହି ସମୟରେ ବିପରୀତ ଦିଗ ବରପାଲି ପଟରୁ ଆସୁଥିବା ଟ୍ରକ (ଓଆର୍ ୨୩ ଏଫ୍ ୪୩୮୮) ତାଙ୍କୁ ସାମ୍ନା ପଟୁ ଧକ୍କା ଦେଇ ୮/୧୦ ମିଟର ପର୍ଯ୍ୟନ୍ତ ତାଙ୍କୁ ଘୋଷାଡି ନେଇଥିଲା । ରାମପୁର ଦମକଳ ବାହିନୀ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ସ୍ଥାନୀୟ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହା ପରେ ପରିବାର ଓ ସ୍ଥାନୀୟ ଲୋକେ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌କୁ ଅଟକ ରଖି କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଥିଲେ । ଘଟଣାସ୍ଥଳକୁ ରାମପୁର ଥାନା ଓ ବିନିକା ଥାନା ପୁଲିସ ପହଞ୍ଚିଥିବା ବେଳେ ଏସ୍‌ଡିପିଓ ରେଣୁକା ସୁନା ପହଞ୍ଚି ଡ଼୍ରାଇଭରକୁ ଅଟକ ରଖି ଅଧିକ ତଦନ୍ତ କରିଥିବା ବେଳେ ରାମପୁର ଥାନାରେ ଏକ ମାମଲା ରୁଜୁ ହୋଇଥିବା ଆଇଆଇସି ଡୋଳାମଣି ନାଏକ ସୂଚନା ଦେଇଛନ୍ତି । ଦିନ ୧ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ମୁଖ୍ୟରାସ୍ତାରେ ଯାତାୟତ ବନ୍ଦ ରହିଥିବା ଫଳରେ ଉଭୟ ପାର୍ଶ୍ଵରେ ବହୁ ଯାନବାହନ ଅଟକି ରହିଥିଲା । ପ୍ରସାଶନ ପକ୍ଷରୁ ସ୍ଥାନୀୟ ତହସିଲଦାର ବିମଳ କିଶୋର ପାତ୍ର, ସ୍ଥାନୀୟ ସରପଞ୍ଚ ମନୋଜ ପୁରୋହିତ ଘଟଣାସ୍ଥଳରେ ପହଞ୍ଚି ପରିବାର ଲୋକଙ୍କୁ ଭେଟି ରେଡ଼କ୍ରସ ପାଣ୍ଠିରୁ ଦଶ ହଜାର ଟଙ୍କାର ସହାୟତା ରଶି ପ୍ରଦାନ କରିବା ସହ ଅନ୍ୟ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା ।

Leave A Reply

Your email address will not be published.