ପ୍ରତିଶୃତି ଦେଇ ମୁହଁ ମୋଡିଛି ଉତ୍କଳ କମ୍ପାନୀ : ଗ୍ରାମବାସୀ ଅବରୋଧ କରିବେ ଇଣ୍ଟେକ !

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଜିଲ୍ଲା ପ୍ରଶାସନ ପକ୍ଷରୁ ଉପ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲା ପୋଲିସ ଆରକ୍ଷୀ ଅଧିକାରୀ, ଏସ୍‌ଡ଼ିପିଓ, ତହସିଲଦାର, ୪ଟି ଥାନାର ଆଇଆଇସି ଏବଂ କମ୍ପାନୀ କର୍ତ୍ତୃପକ୍ଷଙ୍କ ଉପସ୍ଥିତରେ ହେଉଛି ବୈଠକ । କିନ୍ତୁ ଗ୍ରାମବାସୀଙ୍କୁ ମିଳୁନି ନ୍ୟାୟ । କେବେଳ ପ୍ରତିଶୃତି ଉପରେ ପ୍ରତିଶୃତି ଦେଇ ଆସିଛି ଉତ୍କଳ କମ୍ପାନୀ । କମ୍ପାନୀ ଦ୍ୱାରା ପ୍ରଭାବିତ ଗ୍ରାମର ଲୋକେ ତାଙ୍କ ମୌଳିକ ଅଧିକାର ଦାବୀ ନେଇ ବିଭିନ୍ନ ସମୟରେ ପ୍ରଶାସନ ଓ କାରଖାନା କର୍ତ୍ତୃପକ୍ଷଙ୍କ ଠାରେ ଅଭିଯୋଗ କରିଥିଲେ ସୁଦ୍ଧା କେବଳ ପ୍ରତିଶୃତି ବ୍ୟତୀତ କିଛି ମିଳୁ ନଥିବା କହିଛନ୍ତି । କାଶୀପୁର ବ୍ଲକ କୋଡିପାରୀ ପଞ୍ଚାୟତର ଯୋଗୀପାରିତୁଣ୍ଡା ଗ୍ରାମବାସୀ ପ୍ରଥମେ ଚଳିତ ବର୍ଷ ଜାନୁଆରୀ ୭ ତାରିଖରେ କାରଖାନାର ମୁଖ୍ୟ ସଡ଼କ ଅବରୋଧ କରିଥିଲେ ଏବଂ ପରେ ପରେ କାରଖାନାକୁ ସପ୍ଲାଏ ହେଉଥିବା ପାଣି ଟାଙ୍କି ଇଣ୍ଟେକକୁ ଅବରୋଧ କରିଥିଲେ । ପ୍ରାୟ ୧୫ ଦିନ ଶୀତ କାକରରେ ଧାରଣା ପରେ ଜିଲ୍ଲା ପ୍ରଶାସନର ତତ୍ତ୍ୱାବଧାନରେ କାରଖାନା କର୍ତ୍ତୃପକ୍ଷଙ୍କ ସହମତି କ୍ରମେ ଗ୍ରାମବାସୀଙ୍କ ଏକ ଲିଖିତ ଚୁକ୍ତିନାମା ଗତ ଜାନୁଆରୀ ୧୯ ତାରିଖରେ କରାଯାଇଥିଲା । ଚୁକ୍ତିନାମାରେ କେବଳ ପ୍ରତିଶୃତି ହିଁ ଦିଆଯାଇ ତାରିଖ ଦିଆଗଲା ଯେ, ଜାନୁଆରୀ ୨୮ରେ ରାୟଗଡା ଉପଜିଲ୍ଲାପାଳଙ୍କ ପ୍ରକୋଷ୍ଠରେ ସମସ୍ୟାର ସମାଧାନ ବୈଠକ କରାଯିବ । ଗ୍ରାମବାସୀ ପୂଣି ଜାନୁଆରୀ ୨୮ରେ ରାୟଗଡା ଉପଜିଲ୍ଲାପାଳ କାର୍ଯ୍ୟାଳୟକୁ ଯାଇଥିଲେ । ସେଠାରେ ଗ୍ରାମବାସୀଙ୍କୁ ଅଣଦେଖା କଲାଭଳି ପ୍ରଶାସନ ଓ କାରଖାନା କର୍ତ୍ତୃପକ୍ଷ ତାରିଖ ଦେଲେ । ପୁଣି କହିଲେ, ଆସନ୍ତା ଫେବୃଆରୀ ୩କୁ ଗଡ଼ିଲା । ଶେଷରେ ଗ୍ରାମବାସୀ ନିରାଶ ହୋଇ ଫେରି ଆସିଲେ । ପୁଣି ଫେବୃଆରୀ ୩ ତାରିଖରେ ଉତ୍କଳ କାରଖାନାକୁ ପହଞ୍ଚିଲେ ସେଠାରେ କୌଣସି ସମାଧାନର ବାଟ ଫିଟିଲା ନାହିଁ । ଗ୍ରାମବାସୀଙ୍କୁ ଧମକ ଚମକ ଦିଆଯାଇଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି । ଗ୍ରାମବାସୀ ମରିବୁ ପଛେ ଛାଡ଼ିବୁ ନାହିଁ କହି ରାସ୍ତା ଓ ଇଣ୍ଟେକକୁ ଅବରୋଧ କରିବେ ବୋଲି ପ୍ରତିକ୍ରିୟା ଦେଇଛନ୍ତି ।

Leave A Reply

Your email address will not be published.