କାମରେ ଲାଗୁନି ଗୁଞ୍ଜିମୁଣ୍ଡା ମେଗା ଉଠା ଜଳସେଚନ ପ୍ରକଳ୍ପ : ରାସ୍ତା ଅବରୋଧ କରି ଧାରଣାରେ ବସିଲେ ଶହ ଶହ ଚାଷୀ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଅଧିନସ୍ଥ ଗୁଞ୍ଜିମୁଣ୍ଡା ମେଗା ଉଠା ଜଳସେଚନ ପ୍ରକଳ୍ପକୁ ନେଇ ଚାଷୀ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ୨୦୧୯ ମସିହାରେ ୧୪ କୋଟି ୧୪ ଲକ୍ଷ ଟଙ୍କାରେ ନିର୍ମିତ୍ତ ଏହି ପ୍ରକଳ୍ପ ଚାଷୀଙ୍କ କାମରେ ଲାଗୁନି । ଏଲ୍ଏଣ୍ଡଟି କମ୍ପାନୀ ଦ୍ଵାରା ନିର୍ମିତ୍ତ ଏହି ପ୍ରକଳ୍ପର କାମ ସମ୍ପୂର୍ଣ୍ଣ ହୋଇସାରିଛି । କମ୍ପାନୀ ମଧ୍ୟ ପ୍ରାୟ ଶତ ପ୍ରତିଶତ ପେମେଣ୍ଟ ନେଇସାରିଛି । ହେଲେ ନଦୀରେ ଖୋଲାଯାଇଥିବା ଇନ୍‌ଟେକ୍‌ କୂପକୁ ପାଣି ପହଞ୍ଚି ପାରୁନି । ପାଣିର ଅଭାବ ଯୋଗୁଁ ପମ୍ପରୁ ପାଣି ବାହାରୁନାହିଁ, ଚଳିତ ବର୍ଷ ବର୍ତ୍ତମାନ ସମୟରେ ବର୍ଷାର ଘୋର ଅଭାବ ଦେଖାଦେଇଛି । ଜମି ଫାଟି ଆଁ କରି ଧାନ ଫସଲ ମରିବାକୁ ବସିଲାଣି । ହାତପାଆନ୍ତାରେ ମେଗା ଉଠା ଜଳସେଚନ ପ୍ରକଳ୍ପ, ହେଲେ ପାଣି ନାହିଁ । ବାଧ୍ୟ ହୋଇ ଚାଷୀ ରାସ୍ତା ଅବରୋଧ କରି ଧାରଣାରେ ବସିଛି । ଖବର ପାଇ ବିଭାଗୀୟ ଏସ୍‌ଡିଓ ରବିନାରାୟଣ ମେହେର, ଏଇ ଅମରନାଥ ପଧାନ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଥିଲେ । ଧାରଣା ସ୍ଥଳ ଏକ ପ୍ରମୁଖ ଯାତୟାତ ସ୍ଥାନ ଯାହାକି ବୌଦ୍ଧ ଜିଲ୍ଲା କଣ୍ଟାମାଳ ଓ ତରଭା ତଥା ବଲାଙ୍ଗିରକୁ ସଂଯୋଗ କରୁଥିବା ଛକ ହେତୁ ରାସ୍ତା ଅବରୋଧ ଯୋଗୁଁ ଗମନାଗମନ ଠପ୍ ହୋଇଯାଇଛି । ଏହାକୁ ଦୃଷ୍ଟିରେ ରଖି ସୋନପୁର ଏସ୍‌ଡିପିଓ ପ୍ରତାପ ଚନ୍ଦ୍ର ତ୍ରିପାଠୀ ପୋଲିସ ମୁତୟନ ସହ ସ୍ଥାନୀୟ ତହସିଲଦାର ତୁଳା ମୁଦୁଲି ପ୍ରମୁଖ ଉପସ୍ଥିତ ରହି ସ୍ଥିତି ଉପରେ ନଜର ରଖିଛନ୍ତି । ଚାଷୀଙ୍କ ଜିଦ୍ ପ୍ରକଳ୍ପକୁ ଚଳାଯାଉ, ନତୁବା ଅଚଳ ଘୋଷଣା କରାଯାଉ, ନହେଲେ ଫସଲ କ୍ଷତିପୂରଣ ଦିଆଯାଉ ଆଦି ଦାବିରେ ଦାବିପୂରଣ ନହେବା ପର୍ଯ୍ୟନ୍ତ ଏଠାରୁ ଉଠିବୁ ନାହିଁ ବୋଲି ଧାରଣାରେ ବସିଛନ୍ତି । ଏନେଇ ମେଗା ଉଠାଜଳସେଚନ ପ୍ରକଳ୍ପ ଏସ୍‌ଡିଓ ରବିନାରାୟଣ ମେହେରଙ୍କ ପ୍ରତିକ୍ରିୟା ନେବାରୁ ଆମେ ଚାଷୀଙ୍କ ସହ ଅଛୁ ଯେତେ ଶୀଘ୍ର ପାଣି ପାଇପାରିବେ ଚେଷ୍ଟା ଜାରି ରହିଛି ବୋଲି କହିଥିଲେ ।

Leave A Reply

Your email address will not be published.