jittmm
sonalika

ଦେଓଗାଁରେ ସ୍ୱଚ୍ଛ ଭାରତ ମିଶନ ବାଟବଣା : ପରିତ୍ୟକ୍ତ ଅବସ୍ଥାରେ ଆବର୍ଜନା ପୃଥକିକରଣ କେନ୍ଦ୍ର

  • ଜାତୀୟ ରାଜପଥ କଡ ପାଲଟିଛି ଆବର୍ଜନା କୁଣ୍ଡ
  • ଦୁର୍ଗନ୍ଧ ସହ ମଶା, ମାଛି ପଦୁର୍ଭାବର କାରଣ ସାଜୁଛି ପଞ୍ଚାୟତ
  • ଦେଓଗାଁରେ ପରିହାସର ବିଷୟ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା

ଦେଓଗାଁ, (ମନୀଷ କୁମାର ସାହୁ) : ସ୍ୱଚ୍ଛ ଭାରତ ମିଶନ ପାଇଁ କେନ୍ଦ୍ର ସରକାର ଅନେକ ପଦକ୍ଷେପ ନେଉଛନ୍ତି । ପରିବେଶକୁ ସଫାସୁତୁରା ରଖିବା ପାଇଁ ଜନ ସଚେତନତା ସୃଷ୍ଟି କରାଯାଉଛି । ଏଥିପାଇଁ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ହେଲେ ତୃଣମୂଳସ୍ତରରେ ଏହାର ତଦାରଖ ଠିକ୍‌ ଭାବରେ ହୋଇପାରୁନାହିଁ । ତେଣୁ ଗ୍ରାମାଞ୍ଚଳରେ ଏହି ଯୋଜନା ଏକପ୍ରକାର ବାଟ ହୁଡ଼ିଛି ବୋଲି ଚର୍ଚ୍ଚା ହେଉଛି । ସ୍ୱଚ୍ଛ ଭାରତ ପାଇଁ ସରକାରୀ ଓ ବେସରକାରୀସ୍ତରରେ ଜୋରସୋରରେ ପ୍ରଚାର ପ୍ରସାର ହେଉଛି । ପ୍ରକୃତ କଥା ହେଲା ଏହା ଗାଁ ଗହଳିକୁ ସ୍ପର୍ଶ କରିପାରୁନାହିଁ । କେବଳ କାଗଜ କଲମରେ ଏବଂ ପ୍ରଚାର ପ୍ରସାରରେ ଏହା ସୀମିତ ରହୁଛି । କେବଳ ସହର ନୁହେଁ ଗାଁ ଗଣ୍ଡାରେ ମଧ୍ୟ ଲୋକମାନେ ଏଣେତେଣେ ଅଳିଆ ଫିଙ୍ଗୁଛନ୍ତି । ଫଳରେ ଗାଁର ସର୍ବସାଧାରଣ ସ୍ଥାନ, ମୁଖ୍ୟ ଛକ, ପୋଖରୀ, ବିଲବାଡ଼ିରେ କୁଢ଼ କୁଢ଼ ଅଳିଆ ଆବର୍ଜନା ଗଦା ହୋଇ ରହୁଛି । ଏହାଦ୍ୱାରା ପରିବେଶ ପ୍ରଦୂଷିତ ହେବାରେ ଲାଗିଛି । ଦୁର୍ଗନ୍ଧ ହେବା ସହ ମଶା, ମାଛି, ପୋକଜୋକଙ୍କ ପ୍ରାଦୁର୍ଭାବ ବଢ଼ୁଛି । ଦେଓଗାଁ ବ୍ଲକରେ ସ୍ୱଚ୍ଛ ଭାରତ ମିଶନ ଯୋଜନାରେ ସରକାରଙ୍କ ତରଫରୁ ପଞ୍ଚାୟତସ୍ତରରେ ଆବର୍ଜନା କୁଣ୍ଡ ନିର୍ମାଣ କରାଯାଇଛି । ଲକ୍ଷାଧିକ ଟଙ୍କା ବ୍ୟୟରେ ଏହି ଆବର୍ଜନା କୁଣ୍ଡ ନିର୍ମାଣ ହୋଇଛି । ହେଲେ ଏହା ନିର୍ମାଣ ହେବ ଦିନରୁ ଗୋଟିଏ ଦିନ ମଧ୍ୟ କାମରେ ଆସୁନ ଥିବା ଦେଖିବାକୁ ମିଳୁଛି । ଦେଓଗାଁ ବ୍ଲକ ଖୋଦ୍ ଦେଓଗାଁ ପଞ୍ଚାୟତରେ ଖତ ଖାଉଛି ୧ ଲକ୍ଷ ୯୫ହଜାର ଗୋଷ୍ଠୀ ଆବର୍ଜନା ପୃଥକିକରଣ କେନ୍ଦ୍ର । ଭାରତ ସରକାରଙ୍କ ସ୍ୱଚ୍ଛ ଭାରତ ମିଶନ ଯୋଜନାରେ ୨୦୨୨-୨୩ ରେ ନିର୍ମାଣ ହୋଇଥିଲା ଏହି ଗୋଷ୍ଠୀ ଆବର୍ଜନା ପୃଥକିକରଣ କେନ୍ଦ୍ର । ଦେଓଗାଁ ଗାଁ ବାହାରେ ବିଦ୍ୟୁତ୍ ଗ୍ରୀଡ ପଛ ପଟେ ନିର୍ମାଣ ହୋଇଥିବା ଏହି ଆବର୍ଜନା କୁଣ୍ଡ ତଥା ଗୋଷ୍ଠୀ ଆବର୍ଜନା ପୃଥକିକରଣ କେନ୍ଦ୍ର ନିର୍ମାଣ ହେବ ୨ବର୍ଷ ବିତି ଯାଇଥିଲେ ହେଁ ନିର୍ମାଣ ଦିନରୁ ଏହା ଅଚଳ ହୋଇପଡ଼ିଛି । ହେଲେ ଜାତୀୟ ରାଜପଥ କଡ଼ରେ କୁଢ଼ କୁଢ଼ ଅଳିଆ ଆବର୍ଜନା ଜମା ହୋଇ ପଡ଼ିରହିଛି । ଗାଁରୁ ନିର୍ଗତ ହେଉଥିବା ଅଳିଆ ଆବର୍ଜନାକୁ ପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ ଅଳିଆ ଫିଙ୍ଗା ଟ୍ରଲି ସାହାଯ୍ୟରେ ସେହି ଆବର୍ଜନା କୁଣ୍ଡକୁ ନେଇ ସେଠାରେ ଆବର୍ଜନାକୁ ପୃଥକିକରଣ କରାଯିବ କଥା । ହେଲେ ସେହି ଅଳିଆ ଆବର୍ଜନାକୁ ଦେଓଗାଁ ଓ କଛାରପାଲି ଉଭୟ ଗାଁର ମୁଖ୍ୟ ଛକ ବୋଲାଉଥିବା ଏଟିଏମ୍ ଛକ ଓ କ୍ଳବ୍ ଛକ ଏନଏଚ କଡ଼ରେ ପଡ଼ିଛି। ଫଳରେ ଅଞ୍ଚଳର ଯିବା ଆସିବା କରୁଥିବା ଲୋକଙ୍କ ଖରାପ ନଜର ପଡୁଛି ବୋଲି ଗ୍ରାମବାସୀ ମତ ପ୍ରକାଶ କରୁଛନ୍ତି । ଅନ୍ୟପକ୍ଷରେ ଦେଓଗାଁ ବିଦ୍ୟୁତ୍ ବିଭାଗ ଗ୍ରୀଡ଼ ପଛ ପଟେ ନିର୍ମାଣ ହୋଇଥିବା ଆବର୍ଜନା କେନ୍ଦ୍ର ପରିତ୍ୟକ୍ତ ଅବସ୍ଥାରେ ପଡ଼ିଛି । ସେଠାରେ ଲେଖା ଅଛି ଯେ, ମାଟିରେ ମିଶୁ ନ ଥିବା ବର୍ଜ୍ୟବସ୍ତୁ ପୃଥକୀକରଣ ସ୍ଥାନ । ହେଲେ ସେଠାରେ କୌଣସି ପ୍ରକାର ଅଳିଆ ଆବର୍ଜନା ଦେଖିବାକୁ ମିଳିନାହିଁ । ଅନାବନା ଗଛ, ଲତା, ଘାସ ପ୍ରକଳ୍ପକୁ ମାଡ଼ି ସମ୍ପୂର୍ଣ୍ଣ ଅଚ୍ଛାଦିତ କରିଛି । ପ୍ରକଳ୍ପର ଲୁହାରେ କଳଙ୍କି ଲାଗି ନଷ୍ଟ ହେବାକୁ ବସିଲାଣି । ପଞ୍ଚାୟତର ଗାଁ ମାନଙ୍କର ଆବର୍ଜନା ସଂଗ୍ରହ କରି ଆବର୍ଜନା କୁଣ୍ଡରେ ପକାଇବା ପାଇଁ ପଞ୍ଚାୟତକୁ ଅଳିଆ ବୁହା ଟ୍ରଲି ଯୋଗାଇ ଦିଆଯାଇଛି । ହେଲେ ଅଳିଆ ଆବର୍ଜନା ଜାତୀୟ ରାଜପଥ କଡ଼ରେ ପଡ଼ିଥିବା ଦେଖିବାକୁ ମିଳୁଛି । ଦେଓଗାଁ ପଞ୍ଚାୟତରେ ପରିହାସର ବିଷୟ ପାଲଟିଛି ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା । ଏନେଇ ପଞ୍ଚାୟତ ପ୍ରଶାସନ ବିଶେଷ ଧ୍ୟାନ ଦେଇ ଗାଁକୁ ସ୍ୱଚ୍ଛ ରଖିବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହେଉଛି ।

Leave A Reply

Your email address will not be published.