• ବାର୍ଷିକ ହାରାହାରୀ ନୂଆ ରେଳ ଟ୍ରାକ୍ ନିର୍ମାଣ ସାଢ଼େ 3 ଗୁଣ ବୃଦ୍ଧି ପାଇଛି
• ଓଡ଼ିଶାରେ 49ଟି ରେଳ ପ୍ରକଳ୍ପ ମଞ୍ଜୁର; 76ଟି ପ୍ରକଳ୍ପ ଲାଗି ସର୍ଭେକୁ ଅନୁମୋଦନ
• ଓଡ଼ିଶାର ସବୁ ବ୍ରଡ ଗଜ୍ ନେଟୱର୍କକୁ ବିଦ୍ୟୁତିକରଣ କରାଯାଇଛି
• ରାଜ୍ୟର 10ଟି ସ୍ଥାନରେ ଗତି ଶକ୍ତି କାର୍ଗୋ ଟର୍ମିନାଲ କାର୍ଯ୍ୟକ୍ଷମ
ନୂଆଦିଲ୍ଲୀ, (ପିଆଇବି) : 2009ରୁ 2014 ମଧ୍ୟରେ ଓଡ଼ିଶାକୁ ମାତ୍ର 838 କୋଟି ଟଙ୍କାର ରେଳ ବଜେଟ୍ ଆବଣ୍ଟନ ହୋଇଥିଲା। ଅନ୍ୟପଟେ କେବଳ 2025-26 ଆର୍ଥିକ ବର୍ଷରେ ରାଜ୍ୟକୁ ଏହାର 13 ଗୁଣ ଅର୍ଥାତ୍ 10,599 କୋଟି ଟଙ୍କାର ରେଳ ବଜେଟ୍ ଦିଆଯାଇଛି । ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ରାଜ୍ୟସଭାରେ ଏହି ସୂଚନା ଦେଇଛନ୍ତି । ଶ୍ରୀ ବୈଷ୍ଣବ କହିଛନ୍ତି, ନୂଆ ରେଳ ଟ୍ରାକ୍ ନିର୍ମାଣ ମଧ୍ୟ ବାର୍ଷିକ ହାରାହାରୀ ସାଢ଼େ ତିନି ଗୁଣ ବୃଦ୍ଧି ପାଇଛି । 2009-14 ମଧ୍ୟରେ 267 କିଲୋମିଟର ନୂଆ ରେଳ ଟ୍ରାକ୍ ନିର୍ମାଣ କରାଯାଇଥିଲା, ଅର୍ଥାତ୍ ବାର୍ଷିକ ହାରାହାରୀ 53.4 ରେଳ ଲାଇନ୍ ବିଛା ହେଉଥିଲା । ଏହା ତୁଳନାରେ 2014-25 ମଧ୍ୟରେ ବାର୍ଷିକ ହାରାହାରୀ 195.45 ନୂଆ ରେଳ ଲାଇନ୍ ନିର୍ମାଣ କରାଯାଇଥିବା ବେଳେ ଏହି ଅବଧି ମଧ୍ୟରେ ମୋଟ୍ 2,150 କିମି ରେଳ ଲାଇନ୍ ବିଛା ହୋଇଛି ।
ଏପ୍ରିଲ 2025 ସୁଦ୍ଧା 19ଟି ନୂଆ ଲାଇନ ଏବଂ 30ଟି ଦୋହରୀକରଣ ପ୍ରକଳ୍ପ ସମେତ ଓଡ଼ିଶାରେ ସମ୍ପୂର୍ଣ୍ଣ ଏବଂ ଆଂଶିକ ଭାବେ 49ଟି ରେଳ ପ୍ରକଳ୍ପକୁ ମଞ୍ଜୁର କରାଯାଇଛି । ଏଥିପାଇଁ 67 ହଜାର 496 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଏଥିମଧ୍ୟରୁ ମାର୍ଚ୍ଚ 2025 ସୁଦ୍ଧା 1429 କିଲୋମିଟର ରେଳ ମାର୍ଗ କାର୍ଯ୍ୟକ୍ଷମ ହୋଇସାରିଥିବା ବେଳେ 28,043 ଟଙ୍କା ଖର୍ଚ୍ଚ ହୋଇଛି। ଉକ୍ତ ଅବଧି ସୁଦ୍ଧା ମୋଟ୍ 11ଟି ରେଳ ଲାଇନ୍ କାମ ସମ୍ପୂର୍ଣ୍ଣ ଭାବେ ଶେଷ ହୋଇଛି । ଏହାବ୍ୟତୀତ 17ଟି ରେଳ ଲାଇନ୍ ପ୍ରକଳ୍ପ ନିର୍ମାଣାଧୀନ ରହିଛି। 2022-23ରୁ 2025-26 ମଧ୍ୟରେ ଆଂଶିକ କିମ୍ବା ସମ୍ପୂର୍ଣ୍ଣ ଭାବେ ଓଡ଼ିଶା ଦେଇ ଯାଉଥିବା 76ଟି ରେଳ ପ୍ରକଳ୍ପ ପାଇଁ ସର୍ଭେ ହୋଇଛି । ଏଥିରେ 30ଟି ନୂଆ ଲାଇନ ଏବଂ 46ଟି ଦୋହରୀକରଣ ପ୍ରକଳ୍ପ ସାମିଲ ରହିଛି ।
କେନ୍ଦ୍ର ରେଳ ମନ୍ତ୍ରୀ ଆହୁରି ସୂଚନା ଦେଇଛନ୍ତି, ଓଡ଼ିଶା, ଝାରସୁଗୁଡା-ସମ୍ବଲପୁର-ଅନୁଗୁଳ ଏବଂ ଭୁବନେଶ୍ୱର-ପୁରୀ ସମେତ ସମସ୍ତ ବ୍ରଡଗଜ୍ ନେଟୱାର୍କକୁ ବିଦ୍ୟୁତୀକରଣ କରାଯାଇଛି । ଏହାବ୍ୟତୀତ, ଖୋର୍ଦ୍ଧା ରୋଡ୍-ବଲାଙ୍ଗିର ଏବଂ ତାଳଚେର-ବିମଲାଗଡ଼ ସମେତ ସମସ୍ତ ନୂତନ ଲାଇନ / ରେଳ ଲାଇନ ଦୋହରୀକରଣ ପ୍ରକଳ୍ପକୁ ବିଦ୍ୟୁତୀକରଣ ସହିତ ମଞ୍ଜୁର ଏବଂ ନିର୍ମାଣ କରାଯାଉଛି। ଭାରତୀୟ ରେଳବାଇ ଅଧିକ ମାଲ୍ ପରିବହନ ଲାଗି ଦେଶରେ 120ଟି ଗତି-ଶକ୍ତି ବହୁମୁଖି କାର୍ଗୋ ଟର୍ମିନାଲ କାର୍ଯ୍ୟକ୍ଷମ କରିଥିବା ବେଳେ 133ଟି ସ୍ଥାନରେ ଏଭଳି ଟର୍ମିନାଲ ନିର୍ମାଣ ଜାରି ରଖିଛି । ଓଡ଼ିଶାର 10ଟି ସ୍ଥାନରେ ଗତିଶକ୍ତି ଟର୍ମିନାଲ କାର୍ଯ୍ୟକ୍ଷମ ହୋଇଛି । ଆହୁରି 7ଟି ସ୍ଥାନରେ ଗତିଶକ୍ତି ଟର୍ମିନାଲ ନିର୍ମାଣକୁ ଅନୁମୋଦନ କରାଯାଇଛି ।
ଶ୍ରୀ ବୈଷ୍ଣବ କହିଛନ୍ତି, ଭାରତୀୟ ରେଳବାଇ ଟ୍ରେନ ଚଳାଚଳରେ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଉଛି । 2013-14ରେ ସୁରକ୍ଷା ସଂକ୍ରାନ୍ତ କାର୍ଯ୍ୟକଳାପ ପାଇଁ 39,463 କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା ବେଳେ ଗତ ତିନି ବର୍ଷ ହେବ 1 ଲକ୍ଷ କୋଟିରୁ ଅଧିକ ଟଙ୍କା ଏଥିପାଇଁ ବ୍ୟୟବରାଦ କରାଯାଇଛି । 2025-26 ଆର୍ଥିକ ବର୍ଷରେ ସୁରକ୍ଷା ବ୍ୟୟ ବାବଦରେ 1,16,470 କୋଟି ଟଙ୍କା ବିନିଯୋଗ କରାଯିବ। କେନ୍ଦ୍ରୀକୃତ ପରିଚାଳନା ପଏଣ୍ଟ ସହିତ 6,656 ଷ୍ଟେସନରେ ଇଲେକ୍ଟ୍ରିକାଲ ଏବଂ ଇଲେକ୍ଟ୍ରୋନିକ୍ସ ଇଣ୍ଟରଲକିଂ ସିଷ୍ଟମ କାର୍ଯ୍ୟକ୍ଷମ କରାଯାଇଛି । ଭାରତୀୟ ରେଳବାଇର 15,512 ଆରକେଏମରେ କବଚ ପ୍ରଣାଳୀ କାର୍ଯ୍ୟକ୍ଷମ ହୋଇଛି । ଏହା ହେଉଛି ଏକ ସ୍ୱଦେଶୀ ପ୍ରଯୁକ୍ତି ଆଧାରିତ ପ୍ରଣାଳୀ ଯାହା ସର୍ବୋଚ୍ଚ ନିରାପତ୍ତା ସୁନିଶ୍ଚିତ କରିଥାଏ । ଏହି ପ୍ରଣାଳୀ ଲୋକୋ ପାଇଲଟମାନଙ୍କୁ ନିର୍ଦ୍ଦିଷ୍ଟ ବେଗରେ ଟ୍ରେନ ଚଳାଇବା ଏବଂ ସ୍ୱୟଂକ୍ରିୟ ଭାବେ ବ୍ରେକ୍ ପ୍ରୟୋଗ କରିବାର ସୁବିଧା ଦେଇଥାଏ । କୁହୁଡ଼ି ପ୍ରବଣ ଅଞ୍ଚଳରେ ଲୋକୋ ପାଇଲଟମାନଙ୍କୁ ଜିପିଏସ ଆଧାରିତ ଫଗ ସୁରକ୍ଷା ଡିଭାଇସ ପ୍ରଦାନ କରାଯାଇଛି। ବ୍ରଡଗଜ୍ ମାର୍ଗରେ ସବୁ ମାନବବିହୀନ ଲେଭଲ କ୍ରସିଂକୁ ଉଚ୍ଛେଦ କରାଯାଇଛି ।