ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣାର ପାହାଡି କ୍ଷେତ୍ର ମାନଙ୍କରେ ଦେଶୀ ମଦର କାରବାର ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଗତ ମଙ୍ଗଳବାର ଦିନ ଜୟପାଟଣା ଅବକାରୀ ବିଭାଗ ନଳାଚୁଆ ପାହାଡ଼ ଉପରୁ ମଦ ରାନ୍ଧୁ ଥିବାବେଳେ ଜଣକୁ ଗିରଫ କରିବା ସହିତ ୯୮ ଲିଟର ମଦ ଓ ୧୬୦୦କେଜି ମହୁଲ ପୋଚ ନଷ୍ଟ କରିଥିବା ସୁଚନା ମିଳିଛି । ଜୟପାଟଣା ଧନସୁଲି ପଞ୍ଚାୟତ ଅନ୍ତର୍ଗତ ନଳାଚୁଆ ପାହାଡ଼ କ୍ଷେତ୍ରର ସୀମାନ୍ତ ଜିଲ୍ଲା ନବରଙ୍ଗପୁର କେନ୍ଦୁଗୁଡ଼ା ଗ୍ରାମର କିଛି ଲୋକ ମଦ ରାନ୍ଧୁ ଥିବାବେଳେ ବିଭାଗ ଅତର୍କିତ ଚଢ଼ାଉ କରି ଜଣକୁ ଗିରଫ କରିବାରେ ସକ୍ଷମ ହୋଇଥିଲେ । ଘଟଣାସ୍ଥଳରୁ କମଲୁ ଯାନି ଗିରଫ ହୋଇଥିବା ବେଳେ ଅନ୍ୟମାନେ ଫେରାର ମାରିଥିଲେ । ଗତ ୧୫ଦିନ ମଧ୍ୟରେ ଏହା ତୃତୀୟ ଘଟଣା । ବିଭାଗର କ୍ରମାଗତ ଚଢ଼ାଉ ପରେ ମଧ୍ୟ ଅଭିଯୁକ୍ତମାନେ ବିଭିନ୍ନ ସ୍ଥାନରେ ମଦ ରାନ୍ଧି ସାମ୍ରାଜ୍ୟ ବିସ୍ତାରରେ ଲାଗିଥିବା ସୁଚନା ମିଳିଛି । ଏବେ ନଳାଚୁଆ, ଘୁମରେଶ୍ୱର, କରାଘାଟି, ଡୋକରୀଯୋର, ଭିତରପଣ୍ଡି ଆଦି ଅଞ୍ଚଳରେ ହାତରନ୍ଧା ମଦ ପ୍ରସ୍ତୁତି ଜାରି ରହିଥିବା ବେଳେ ସେମାନଙ୍କ ଉପରେ ଅଙ୍କୁଶ ନ ହେଲେ ବେଆଇନ ମଦ କାରବାର ବଢି ଚାଲିବ ବୋଲି ବିଭିନ୍ନ ମହଲରୁ ପ୍ରତିକ୍ରିୟା ଆସୁଛି ।