୧୨୬ ବର୍ଷ ତଳର ଛତ୍ରପୁର ରେଳଷ୍ଟେସନ୍ ଆଜି ଚିର ଅବହେଳିତ

  • ଛତ୍ରପୁର ରେଳ ୟୁଜର୍ସ ୱାଲଫର୍ ଆସୋସିଏସନ୍ ପକ୍ଷରୁ ଆଗତ ବୈଠକରେ ମତପ୍ରକାଶ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ୧୨୬ ବର୍ଷ ତଳର ବହୁ ପୁରାତନ ଛତ୍ରପୁର ରେଳଷ୍ଟେସନ୍ ଆଜି ଚିର ଅବହେଳିତ ନେଇ ଛତ୍ରପୁରବାସୀ ଗଭୀର ଉଦବେଗ ପ୍ରକାଶ କରିଛନ୍ତି । ଛତ୍ରପୁର ଗୌରୀ ଶଙ୍କର ମନ୍ଦିର ନିକଟସ୍ଥ ବିଷ୍ଣୁପ୍ରିୟା ଇଭେଣ୍ଟ ହଲ୍ ପରିସରରେ ଛତ୍ରପୁର ରେଲ ୟୁଜର୍ସ ୱାଲଫର୍ ଆସୋସିଏସନ୍ ଆନୁକୂଲ୍ୟରେ ଆଗତ ଏନେଇ ଏକ ଆନୁଷ୍ଠାନିକ ବୈଠକ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି । ସଂଗଠନର ସଭାପତି ସି.ଏଚ. ମହେଶ୍ୱର ରାଓଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଓଡ଼ିଶା ବିଧାନସଭାର ପ୍ରାକ୍ତନ ଉପ-ବାଚସ୍ପତି ରାମଚନ୍ଦ୍ର ପଣ୍ଡା, ପୂର୍ବତନ ବିଧାୟକ ଅଶୋକ ଚୌଧୁରୀ, ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ସମାଜସେବୀ ସୁଧୀର ପଟ୍ଟନାୟକ, ପ୍ରଶାନ୍ତ ଶତପଥୀ ପ୍ରମୁଖ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦେଇ ଛତ୍ରପୁର ରେଳଷ୍ଟେସନର ବହୁବିଧ ଅବ୍ୟବସ୍ଥା ସମ୍ପର୍କରେ ଆଲୋକପାତ କରିଥିଲେ । ବୃହତ୍ ଶିଳ୍ପାଞ୍ଚଳ ଗଢ଼ିଉଠିଥିବା ଅବା ଶିଳ୍ପର ହବ୍ ପାଲଟିଥିବା ଛତ୍ରପୁର ରେଳଷ୍ଟେସନରେ ସମସ୍ତ ଦ୍ରୁତଗାମୀ ଟ୍ରେନ୍ ରହଣୀ ଆବଶ୍ୟକ ଏବଂ ଜିଲ୍ଲା ସଦର ମହକୁମାର ମାନ୍ୟତା ପ୍ରଦାନରେ ବିବିଧ ସୁବିଧା ସୁଯୋଗ ରହିବା ସାଂଗକୁ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ, ପ୍ରକଳ୍ପ ଗୁଡ଼ିକ ନିର୍ମାଣ କାର୍ଯ୍ୟକାରୀ ହେବା ଜରୁରୀ ବୋଲି ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ମତବ୍ୟକ୍ତ କରିଛନ୍ତି । ଆଗମୀ ଦିନରେ ଛତ୍ରପୁରରୁ ଏକ ପ୍ରତିନିଧି ମଣ୍ଡଳୀ ଯାଇ ରେଳ ବିଭାଗ କର୍ତ୍ତୃପକ୍ଷଙ୍କ ସମେତ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଯାଇ ଭେଟିବେ ବୋଲି ସଭାରେ ବିଧାୟକ ମତପ୍ରକାଶ କରିଛନ୍ତି । ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଠାରେ ଖୁବ୍ କମ୍ ସଂଖ୍ୟକ ରେଳ ଗାଡ଼ି ରହୁଥିବା ବେଳେ ଆମ ପଡ଼ୋଶୀ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ରେଳ ଷ୍ଟେସନରେ ୩୦ଟିରୁ ଅଧିକ ଟ୍ରେନ୍ ରହଣୀ ହେଉଥିବା ଜଣାଯାଇଛି । ଶ୍ରୀକାକୁଲମ ରେଳ ଷ୍ଟେସନରେ ସେଠାକାର ଜିଲ୍ଲା ମହକୁମା ପ୍ରାୟ ୧୨ କିମି ଦୂରରେ ଅବସ୍ଥିତ ଥିଲେ, ମଧ୍ୟ ସେଠାରେ ଏତେ ସଂଖ୍ୟାରେ ଶିଳ୍ପାନୁଷ୍ଠାନ ପ୍ରତିଷ୍ଠା ହୋଇନାହିଁ । ତେବେ ଶ୍ରୀକାକୁଲମ ଗୋଟିଏ ଜିଲ୍ଲା ମହକୁମାକୁ ଏତେ ଉଚ୍ଚତର ମାନ୍ୟତା, ପ୍ରାଧାନ୍ୟ ଦିଆଯାଇଥିବା ବେଳେ ଗଞ୍ଜାମ ଜିଲ୍ଲାର ମହକୁମା ଛତ୍ରପୁର ରେଳଷ୍ଟେସନ ପ୍ରତି ବୈମାତୃକ ମନୋଭାବ ପ୍ରଦର୍ଶନ ହୋଇଛି । ଛତ୍ରପୁର ରେଳ ଷ୍ଟେସନ ନିକଟବର୍ତ୍ତୀ ଅଞ୍ଚଳରେ ବୃହତ୍ତ ଶିଳ୍ପାନୁଷ୍ଠାନ ଗଢିଉଠିଛି । ଏଠାରେ ଶିଳ୍ପର ହବ ହୋଇଥିବା ବେଳେ ବର୍ଷକୁ କୋଟି କୋଟି ଟଙ୍କାର ରାଜସ୍ୱ ରେଳବାଇକୁ ଯାଉଥିବା ବେଳେ କେନ୍ଦ୍ର ସରକାରଙ୍କ ତଥା କେନ୍ଦ୍ରୀୟ ରେଳ ବିଭାଗ ଛତ୍ରପୁର ରେଳ ଷ୍ଟେସନ୍ ପ୍ରତି ଉପେକ୍ଷା କରାଯାଉଛି, ଏଥି ନିମନ୍ତେ ଛତ୍ରପୁର ଜନସାଧାରଣ ଅତ୍ୟନ୍ତ କ୍ଷୋଭ ପ୍ରକାଶ କରିଛନ୍ତି । ଶ୍ରୀକାକୁଲମ ରେଳ ଷ୍ଟେସନରେ ସମସ୍ତ ସୁବିଧା ସୁଯୋଗ ବନ୍ଦୋବସ୍ତ, ବ୍ୟବସ୍ଥାପନା, ଟ୍ରେନ୍ ରହଣୀ ଭଳି ଛତ୍ରପୁର ରେଳ ଷ୍ଟେସନ୍ ମଧ୍ୟ ଅତ୍ୟାଧୁନିକୀକରଣ, ସୁବିଧା ସୁଯୋଗ ବନ୍ଦୋବସ୍ତ ରହିବା ଆବଶ୍ୟକ ବୋଲି ସଂଗଠନ ର ସଭାପତି ସି.ଏଚ. ମହେଶ୍ୱର ରାଓ ଏବଂ ବରିଷ୍ଠ ନେତା ରାମଚନ୍ଦ୍ର ପଣ୍ଡା ମତପ୍ରକାଶ କରିଛନ୍ତି । ଛତ୍ରପୁର ରେଳ ଷ୍ଟେସନରେ ସର୍ବମୋଟ ୨୮ଟି ଟ୍ରେନ୍ ରହଣୀ ସାଂଗକୁ ଦ୍ରୁତଗାମୀ ଫଳକାନାମା ଟ୍ରେନ୍, ବନ୍ଦେ ଭାରତ ଟ୍ରେନ୍, ଅମୃତ ଭାରତ ଟ୍ରେନ୍ ରହଣୀ ଦାବୀ ଉଠିଛି । ଏଥି ସାଂଗକୁ ଛତ୍ରପୁର ରେଳ ଷ୍ଟେସନରେ ବହୁ ପୁରାତନ ପ୍ଲାଟଫର୍ମର ନିର୍ମାଣ ଶୈଳୀ ବହୁତ୍ ତୃଟି ରହିଛି । ପ୍ଲାଟଫର୍ମ ସମ୍ପ୍ରସାରଣ କାର୍ଯ୍ୟ ନିର୍ମାଣ କରିବାକୁ ଦାବି ହୋଇଛି । ବିବିଧ ଉନ୍ନୟନ ପ୍ରକଳ୍ପ କାର୍ଯ୍ୟର ଟେଣ୍ଡର୍ ହୋଇଯାଇଛି, ବୋଲି ସରକାରୀ ଭାବେ କୁହାଯାଉଛି କିନ୍ତୁ ହୋଇପାରୁନାହିଁ, କାହିଁକି ବୋଲି ଏଠାକାର ଜନସାଧାରଣ, ଗଣମାଧ୍ୟମ ପ୍ରତିନିଧି ଏବଂ ନେତ୍ତୃବର୍ଗଙ୍କ ଦ୍ଵାରା ପ୍ରଶ୍ନ ଉଠୁଛି । ସି.ଏଚ. ମହେଶ୍ୱର ରାଓଙ୍କ ନେତ୍ତୃତ୍ଵରେ ଅନୁଷ୍ଠିତ ବୈଠକରେ ଛତ୍ରପୁର ରେଳ ବିଭାଗର ବିଭିନ୍ନ ଅଭାବ ଅସୁବିଧା ସଂପର୍କରେ ଆଲୋଚନା ହୋଇଥିଲା । ବୈଠକରେ ଖୋର୍ଦ୍ଧା ରେଳ ଡିଭିଜିନାଲ ମ୍ୟାନେଜରଙ୍କ ପ୍ରତିନିଧି ଅଭିଷେକ କୁମାର୍, ବ୍ରହ୍ମପୁର ରେଳ ଡିଭିଜିନାଲ ଯନ୍ତ୍ରୀ ଏସ.ଏନ. ସାହୁ, ଗଞ୍ଜାମ ଜିଲ୍ଲାପାଳଙ୍କ ପ୍ରତିନିଧି ସ୍ୱରୂପ ଡେପୁଟୀ କଲେକ୍ଟର ସୁନୀଲ ସାଇ ଦେବାଶିଷ ପ୍ରମୁଖ ଯୋଗଦେଇ ଆଲୋଚନାରେ ସକ୍ରୀୟ ଅଂଶଗ୍ରହଣ କରିଥିଲେ । ସଂଗଠନର କାର୍ଯ୍ୟକାରୀ ସଦସ୍ୟ ଜଗନ୍ନାଥ ଘଡେ଼ଇ, କେ.ଏସ. ଆର୍. ରାଜୁ, ସହକାରୀ ସମ୍ପାଦକ ପି. ଭେଙ୍କଟ ପ୍ରସାଦ ପ୍ରମୁଖ ବହୁ ନେତୃବର୍ଗ ଏହି କାର୍ଯ୍ୟକ୍ରମରେ ସକ୍ରୀୟ ସହଯୋଗ କରିଥିଲେ । ଛତ୍ରପୁର ରେଳ ଷ୍ଟେସନର ଅବ୍ୟବସ୍ଥା ସମ୍ପର୍କରେ ଅବଗତ ହୋଇ ଏ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

Leave A Reply

Your email address will not be published.