
ତୁଷୁରା, (କେପିଏନ୍ଏସ୍) : ଗତ ଜୁନ ୩୦ ତାରିଖ ଦିନ ତୁଷୁରା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଭକ୍ତ ଚରଣ ଦାଶ ଚାକିରୀରୁ ଅବସର ଗ୍ରହଣ କରିଛନ୍ତି । ଏହି ଅବସରରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ନିବେଦିତା ଭୋଇଙ୍କ ଅଧ୍ୟକ୍ଷତାରେ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ନିଖିଳ ନିମ୍ନ ମାଧ୍ୟମିକ ଶିକ୍ଷକ ମଞ୍ଚର ରାଜ୍ୟ ସମ୍ପାଦକ ତଥା ପୂର୍ବତନ ସ୍କୁଲ ନିରୀକ୍ଷକ, ବିଆର୍ସିସି ଶ୍ୟାମ ସୁନ୍ଦର ଦାଶ ଯୋଗ ଦେଇଥିଲେ । ମୁଖ୍ୟବକ୍ତା ଭାବରେ ସରକାରୀ ଉଚ୍ଚ ବିଦ୍ୟାଳୟ ଜାମୁଟର ପୂର୍ବତନ ପ୍ରଧାନ ଶିକ୍ଷକ ଅଖିଳ କୁମାର ଷଡ଼ଙ୍ଗୀ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଏବିଇଓ ରମେଶ ଚନ୍ଦ୍ର ସାମର୍ଥ ଓ ବିପିନ ବାଗ, ଏସଏମସି ଚେୟାରମେନ ହରିହର ସାହୁ, ଆଲୁମିନି ସଭ୍ୟା ମିନତୀ ପଟ୍ଟନାୟକ, ସିଆର୍ସିସି ଜଗ ମୋହନ ତ୍ରିପାଠୀ ଯୋଗ ଦେଇ ଶ୍ରୀଯୁକ୍ତ ଦାଶଙ୍କ କାର୍ଯ୍ୟାବଳୀର ଭୂୟସୀ ପ୍ରଶଂସା କରିଥିଲେ । ସଂସ୍କୃତ ଶିକ୍ଷୟତ୍ରୀ ଜୟଶ୍ରୀ ପୋଢ଼ ମଞ୍ଚ ପରିଚାଳନା କରିଥିଲେ ଓ ହିନ୍ଦୀ ଶିକ୍ଷୟିତ୍ରୀ ଲିଲୀଶ୍ରୀ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ପରିଚାଳନା ସମିତି ତରଫରୁ ବିଦାୟୀ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଉପଢୌକନ ଓ ଉପହାର ପ୍ରଦାନ କରି ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଏଥିରେ ସହଯୋଗ କରିଥିଲେ ।