ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସହରର ଅନ୍ୟତମ ପୁରାତନ ସାହିତ୍ୟ ଅନୁଷ୍ଠାନ ଇସ୍ପାତ ସାହିତ୍ୟ ସଂସଦ ପକ୍ଷରୁ ସେକ୍ଟର-୭ ସ୍ଥିତ ସଂସଦ କାର୍ଯ୍ୟାଳୟଠାରେ ସ୍ୱଭାବ ଗଙ୍ଗାଧର ମେହେର ରଚିତ କବିତା ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଉରକେଲାର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଯୋଗଦେଇ ସ୍ୱଭାବ କବିଙ୍କ ରଚିତ ବିଭିନ୍ନ କବିତାଗୁଡ଼ିକୁ ନିଜ ନିଜ ଢଙ୍ଗରେ ଆବୃତ୍ତି କରିଥିଲେ । ପ୍ରତିଯୋଗିତା ଆରମ୍ଭରେ ସଂସଦର ସାଧାରଣ ସମ୍ପାଦକ ମନୋଜ ନନ୍ଦ ପ୍ରତିଯୋଗିତାର ନିୟମ ସମ୍ପର୍କରେ ସୂଚନା ଦେଇଥିଲେ । ଏଥିରେ ବିଚାରକ ଭାବେ ବରିଷ୍ଠ ଶିକ୍ଷାବିତ ତଥା ଲେଖିକା ମଞ୍ଜୁଳା କୁମାରୀ ରଥଙ୍କ ସମେତ କବି ଗୀତାରାଣୀ ବେହେରା, ସୁଚିତ୍ରା ଲେଙ୍କା ଏବଂ ପଦ୍ମାରାଣୀ ବେହୁରା ଯୋଗଦେଇଥିଲେ । କାର୍ଯ୍ୟକ୍ରମ ଆୟୋଜନରେ ସଂସଦ ପକ୍ଷରୁ ବରିଷ୍ଠ ସଦସ୍ୟ ତ୍ରିଲୋଚନ ମଥାନ, ରଙ୍କନିଧି ସେଠୀ, ଉପେଦ୍ର ବସ୍ତିଆ ପ୍ରମୁଖ ସକ୍ରୀୟ ସହଯୋଗ କରିଥିଲେ । ଏହି ପ୍ରତିଯୋଗିତାର ଶ୍ରେଷ୍ଠ ୭ଜଣ ପ୍ରତିଯୋଗୀଙ୍କୁ ଚଳିତ ମାସ ୧୦ ତାରିଖ ସନ୍ଧ୍ୟା ୬ ଘଟିକା ସମୟରେ ଗଙ୍ଗାଧର ମେହେର ଜୟନ୍ତୀ ପାଳନ ଅବସରରେ ପୁରସ୍କୃତ କରାଯିବ । ଏହିଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଓଡ଼ିଆ ସାହିତ୍ୟ ଓ ଏହାର ଲେଖକ ଓ ଲେଖିକାଙ୍କ ସମ୍ପର୍କରେ ସୂଚନା ଆଦାନ ପ୍ରଦାନ କରାଯିବା ଉଦ୍ୟମ ହେଉଛି ବୋଲି ସଂସଦ ପକ୍ଷରୁ ସୂଚନା ଦିଆଯାଇଛି ।

Next Post