ଆବାସ ଯୋଜନାରେ ଦୁର୍ନୀତି ନେଇ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସମିତି ସଭ୍ୟାଙ୍କ ଧାରଣା

ଖପ୍ରାଖୋଲ, (କେପିଏନ୍‌ଏସ୍‌) : ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଓଡ଼ିଆପାଲି ଗ୍ରାମପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ହେଇଥିବା ନେଇ ଓଡ଼ିଆପାଲି ସମିତି ସଭ୍ୟା ରଞ୍ଜୁଲତା ସାହୁ ଅଭିଯୋଗ ଆଣିଛନ୍ତି । ଦୁର୍ନୀତିର ପର୍ଦାଫାଶ କରିବା ସହିତ ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଯୋଜନାରେ ଗୃହ ଯୋଗାଇଦେବା ଦାବିରେ ରଞ୍ଜୁଲତା ତାଙ୍କ ସମର୍ଥକ ମାନଙ୍କ ସହିତ ଶନିବାର ଖପ୍ରାଖୋଲ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ପରେ ଗୋଷ୍ଠୀଉନ୍ନୟନ ଅଧିକାରୀଙ୍କ ଠାରୁ ପ୍ରତିଶୃତି ପାଇବା ପରେ ଧାରଣା ପ୍ରତ୍ୟାହୃତ ହୋଇଛି । ସୂଚନା ଯୋଗ୍ୟ କି ଓଡ଼ିଆପାଲି ପଞ୍ଚାୟତରେ ବହୁ ଗରିବ ଭୂମିହୀନ ବ୍ୟକ୍ତି ରହିଥିଲେ ମଧ୍ୟ୍ୟ ସେମାନଙ୍କୁ ଆବାସ ଯୋଜନାରେ ଘର ମିଳୁନଥିବା ନେଇ ଅଭିଯୋଗ ହୋଇଛି । ଯେଉଁମାନେ ପୂର୍ବରୁ ଘର ପାଇଛନ୍ତି ସେମାନଙ୍କ ନାମ ତାଲିକାରେ ପ୍ରକାଶ ପାଇଥିବା ବେଳେ ଯୋଗ୍ୟ ହିତାଧିକାରୀ ମାନେ ତାଲିକାରୁ ବାଦ ପଡ଼ିଥିବା ଅଭିଯୋଗ ହୋଇଛି । କପସିପାଲି କୁଲତାପଡାର କେତେକ ଯୋଗ୍ୟ ହିତାଧିକାରୀଙ୍କ ନାମ ନିକଟରେ ପ୍ରକାଶ ପାଇଥିବା ଯୋଗ ତାଲିକାରୁ ବାଦ ପଡ଼ିଥିବା ନେଇ ଶ୍ରୀମତୀ ସାହୁଙ୍କ ସମେତ ସମର୍ଥକ ମାନେ ଧାରଣାସ୍ଥଳରେ ବିଡ଼ିଓଙ୍କ ନିକଟରେ ଅଭିଯୋଗ କରିଥିଲେ । ଏ ଅନିୟମିତତା ପଛରେ କେତେକ ବ୍ୟକ୍ତି ସମ୍ପୃକ୍ତ ଥିବା ନେଇ ଆନ୍ଦୋଳନକାରୀଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି । ଗୋଷ୍ଠୀଉନ୍ନୟନ ଅଧିକାରୀ ରଶ୍ମିରଞ୍ଜନ ରାଉତ ଧାରଣାକାରୀଙ୍କ ସହିତ ଆଲୋଚନା କରିବା ସହିତ ଘଟଣାର ତଦନ୍ତ କରାଯିବ ବୋଲି କହିଥିଲେ । ଏହି ଅବସରରେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ସମ୍ପୃକ୍ତ ଗ୍ରାମକୁ ଯାଇ ସର୍ବେ କରାଯିବା ସହିତ ପ୍ରକୃତ ହିତାଧିକାରୀ ଚି଼ହ୍ନଟ କରାଯିବା ନେଇ ବିଡ଼ିଓ ପ୍ରତିଶୃତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।

Leave A Reply

Your email address will not be published.