ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ୫ ଦଫା ଦାବୀରେ ଉତ୍କଳ ଗ୍ରାମୀଣ ବ୍ୟାଙ୍କ କର୍ମଚାରୀ ସଂଘ ସ୍ଥାନୀୟ ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛି । ବ୍ୟାଙ୍କ କର୍ମଚାରୀମାନଙ୍କ ଦୀର୍ଘ ଦିନର ଦାବୀକୁ ବାରମ୍ବାର ଉପେକ୍ଷା କରାଯାଉଥିବା ବେଳେ ୫ ଦାଫା ଦାବୀ ନେଇ ବିଗତ ୧୧ ତାରିଖରେ ଧାରଣା ଦିଆଯିବା ନେଇ ସଂଘ କାର୍ଯ୍ୟାଳୟକୁ ସୂଚିତ କରିଥିଲା । କିନ୍ତୁ, କର୍ମଚାରୀ ମାନଙ୍କ ଦାବୀ ପୁରଣ କରିବା କିମ୍ବା ଦାବୀଗୁଡିକୁ ନେଇ ସଂଘ ସହ ଆଲୋଚନା କରିବା ପରିବର୍ତ୍ତେ ମୁଖ୍ୟ କାର୍ଯ୍ୟାଳୟ ଆନ୍ଦୋଳନକୁ ଦୁର୍ବଳ କରିବା ପାଇଁ ଉଦ୍ଦେଶ୍ୟମୂଳକ ଭାବେ ୧୦୦ ଜଣ କର୍ମଚାରୀଙ୍କ ସ୍ଥାନାନ୍ତରିତ ନିର୍ଦ୍ଦେଶ ଜାରି କରିଥିଲା । ଯାହା କର୍ମଚାରୀଙ୍କ ନିଜ ହକ ପାଇଁ ଲଢେଇ କରିବାର ସାମ୍ବିଧାନିକ ଅଧିକାର କ୍ଷୁର୍ଣ୍ଣ କରିବା ସହ ହକ ପାଇଁ ସଂଘବଦ୍ଧ ହୋଇ ଲଢେଇ କଲେ ଅଯଥା ବଦଳି କରି ଦିଆଯିବା ନେଇ ମୁଖ୍ୟ କାର୍ଯ୍ୟାଳୟର ପ୍ରବୃତ୍ତିକୁ ସ୍ପଷ୍ଟ କରୁଛି । ତେବେ ବ୍ୟାଙ୍କ କର୍ତ୍ତୁପକ୍ଷ ଉକ୍ତ ୧୦୦ କର୍ମଚାରୀମାନଙ୍କ ଅଯଥା ବଦଳି ନିର୍ଦ୍ଦେଶକୁ ଖାରଜ କରିବା ସହିତ ଦୀର୍ଘ ଦିନ ଧରି ଦାବୀ କରିଆସୁଥିବା ୫ ଦଫା ଦାବୀକୁ ପୁରଣ ନକଲେ ବ୍ୟାଙ୍କ କର୍ମଚାରୀ ସଂଘ ଦୁର୍ବାର ଆନ୍ଦୋଳନ କରିବାକୁ ବାଧ୍ୟ ହେବ ବୋଲି ଉତ୍କଳ ବ୍ୟାଙ୍କ ସଂଘ ଚେତାବନୀ ଦେଇଛି । ସୂଚନା ଯୋଗ୍ୟ ଯେ, ଅଫିସ ଆସିଷ୍ଟାଣ୍ଟ ହୃଷୀକେଷ ପାତ୍ରଙ୍କୁ ପୁନଃ ନିଯୁକ୍ତ କରାଯିବା, ୨୦ ଡିସେମ୍ବର ୨୦୧୨ ପୂର୍ବବର୍ତ୍ତି ସମସ୍ତ ଯୋଗ୍ୟ ପ୍ରାର୍ଥୀକୁ ନିଯୁକ୍ତ କରାଯିବା, ସମସ୍ତ କେଜୁଏଲ୍ ଓ ପାର୍ଟ ଟାଇମ କର୍ମଚାରୀଙ୍କୁ ଗୃପ (ଘ) କର୍ମଚାରୀ ଭାବେ ସାମଜିକ ସୁରକ୍ଷା ପ୍ରଦାନ କରିବା, ମାନ୍ୟବର ଓଡିଶା ହାଇକୋର୍ଟଙ୍କ ନିର୍ଦ୍ଦେଶାନୁସାରେ ସମସ୍ତ ମେସେଂଜରଙ୍କୁ ଚାକିରିର ପ୍ରଥମ ଦିନରୁ ରେଗୁଲାର କର୍ମଚାରୀଭାବେ ନିଯୁକ୍ତ କରାଯାଉ ଓ ସମସ୍ତ ଅଫିସ ଆସିଷ୍ଟାଣ୍ଟଙ୍କୁ ସିଙ୍ଗଲ ୱିଣ୍ଟୋ ଭତ୍ତା ପ୍ରଦାନ କରିବା ଆଦି ୫ ଦଫା ନେଇ ସଂଘ ଦୀର୍ଘ ଦିନ ହେବ ଲଢେଇ ଜାରି ରଖିଛି । କେତେକ ଦାବୀକୁ ନେଇ ମାନ୍ୟବର ନ୍ୟାୟାଳୟ ଓ ସରକାରଙ୍କ ସିଧା ସଳଖ ନିର୍ଦ୍ଦେଶ ରହିଥିବା ସତ୍ୱେ ବ୍ୟାଙ୍କ କର୍ତ୍ତୃପକ୍ଷ ତାହାକୁ ଅବମାନନା କରିବା ସହ ମନମୁଖୀ ଶାସନ ଚଳାଉଛି । ଯାହକୁ ନେଇ କର୍ମଚାରୀ ସଂଘ ପକ୍ଷରୁ ୫ ଦିନିଆ ଧାରଣାର ଡାକରା ଦିଆଯାଇଛି । ଏହି ଧାରଣା ଆସନ୍ତା ୨୬ ପର୍ଯ୍ୟନ୍ତ ଜାରି ରହିବ ବୋଲି ସଂଘର ସାଧାରଣ ସଂପାଦକ ପୁଲିନ ମିଶ୍ର ସୂଚନା ଦେଇଥିବା ବେଳେ ଆଜିର ଏହି କାର୍ଯ୍ୟକ୍ରରେ ହୃଷିକେଶ ପାତ୍ର, ପାର୍ଥସାରଥି ପଟ୍ଟନାୟକ, ରୋହିତ ପଟ୍ଟନାୟକ, ଆଲୋକ ପ୍ରଧାନ, ପିଙ୍କୁ ଯୋଷୀ, ଅଭିଜିତ ଗଡତିଆ, ବିଭୁ ଶଙ୍କର ନନ୍ଦ, ସଞ୍ଜୟ ନାଏକ, ଆଶିଷ ପାଣିଗ୍ରାହୀ, ଗୋପାଲ ପ୍ରଧାନ, କିଶୋର ପୁରୋହିତ, ପ୍ରଶାନ୍ତ ପଟ୍ଟନାୟକ, ଶରତ ହୋତାଙ୍କ ସମେତ ସାରା ରାଜ୍ୟର ୧୭ଟି ଜିଲ୍ଲା ବିଭିନ୍ନ ଶାଖା ପ୍ରତିନିଧି ଅଂଶଗ୍ରହଣ କରିଛନ୍ତି ।
Prev Post
Next Post