ଭୁବନେଶ୍ୱର : ରାଜ୍ୟର ମାଓପ୍ରବଣ ଜିଲ୍ଲାରେ ଚଳିତ ବର୍ଷ ଶେଷ ସୁଦ୍ଧା 4G ସେବା ଯୋଗାଇ ଦିଆଯିବ । ନେଭେମ୍ବର ମାସ ଶେଷ ସୁଦ୍ଧା ୯ଟି ମାଓପ୍ରବଣ ଜିଲ୍ଲାକୁ 4G ସେବା ଯୋଗାଇ ଦିଆଯିବ ବୋଲି ଇଲେକଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ତୁଷାରକାନ୍ତି ବେହେରା ସୂଚନା ଦେଇଛନ୍ତି ।
ଆକାଂକ୍ଷୀ ଜିଲ୍ଲାର ୩୯୩୩ଟି ଗ୍ରାମକୁ 4G ସେବା ସହିତ ୨୩୭୯ଟି ଟାୱାର ସ୍ଥାପନ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏନେଇ କାର୍ଯ୍ୟ ଜାରି ରହିଛି । ନଭେମ୍ବର ମାସ ସୁଦ୍ଧା 4G ସେବା କାର୍ଯ୍ୟକ୍ଷମ ହେବା ନେଇ ଆଶା ରଖାଯାଇଥିବା ମନ୍ତ୍ରୀ କହିଛନ୍ତି ।
ଗୁରୁବାର ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଏନେଇ ଗୃହରେ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ । ସୌମ୍ୟଙ୍କ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି, ୯ଟି ନକ୍ସଲ ଉପଦ୍ରୁତ ଜିଲ୍ଲାରେ ଏଲ୍ଡବ୍ଲୁଇ ଫେଜ୍-୨ ପ୍ରକଳ୍ପ ଅଧୀନରେ 4G ସେବା ଯୋଗାଇବାକୁ ଲକ୍ଷ ରଖାଇଯାଇଛି । ଏଥିପାଇଁ ୪୮୩ଟି ଟାୱାର ସ୍ଥାପନ କରିବାକୁ ଯୋଜନା କରାଯାଇଛି । ଏହି ପ୍ରକଳ୍ପ କାର୍ଯ୍ୟ ଚାଲୁଛି ଓ ମାର୍ଚ୍ଚ ସୁଦ୍ଧା କାର୍ଯ୍ୟକ୍ଷମ ହୋଇପାରେ ବୋଲି ମନ୍ତ୍ରୀ କହିଛନ୍ତି ।
କେବଳ ସେତିକି ନୁହେଁ, 4G ସାଚୁରେସନ୍ ପ୍ରକଳ୍ପ ଜରିଆରେ ୨୮୧୪ଟି ଗ୍ରାମକୁ 4G ସେବା ସହିତ ୧୬୨୮ଟି ଟାୱାର ସ୍ଥାପନ କରିବାକୁ ଯୋଜନା ରଖାଯାଇଥିବା ବେଳେ ଏନେଇ କାମ ଜାରି ରହିଛି । ଏହା ଡିସେମ୍ବର ସୁଦ୍ଧା କାର୍ଯ୍ୟକ୍ଷମ ହେବ ବୋଲି ଲକ୍ଷ୍ୟ ରଖାଯାଇଥିବା ବେଳେ କାର୍ଯ୍ୟକ୍ଷମ ଥିବା ୧ ହଜାର ୨ଏ ଟାୱାରକୁ 4Gରେ ପରିଣତ କରିବାକୁ ଯୋଜନା କରାଯାଇଛି ବୋଲି ମନ୍ତ୍ରୀ ଗୃହରେ ସୂଚନା ଦେଇଛନ୍ତି ।