ଟିଟିଲାଗଡରେ ୧୦୮ ଆମ୍ବୁଲାନ୍ସ ସେବା ବ୍ୟାହତ : ରୋଗୀ ହେଉଛନ୍ତି ହନ୍ତସନ୍ତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ରୋଗୀ, ଗୁରୁତର ରୋଗୀଙ୍କୁ ମିଳୁନି ୧୦୮ ଆମ୍ବୁଲାନ୍ସ ସେବା । ୧୦୮କୁ କଲ କଲେ ଗାଡି ମେଣ୍ଟେନାନସ ପାଇଁ ଯାଇଛି ବୋଲି କୁହାଯାଉଛି । ତେବେ ସରକାରଙ୍କ ୧୦୮ ଆମ୍ବୁଲାନ୍ସ ସେବା ବ୍ୟାହତ ହେବା ଯୋଗୁଁ ରୋଗୀ ନାନା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ବଲାଙ୍ଗିରକୁ ରୋଗୀ ନେବା ପାଇଁ ୨୫୦୦ରୁ ୩୦୦୦ ଟଙ୍କା ଯାଏଁ ଭଡା ନିଆଯାଉଥିବା ବେଳେ ଗରୀବ ଲୋକ ଯିବାରେ ଅସମର୍ଥ ହେଉଛନ୍ତି । ବିଭିନ୍ନ ପିଏଚ୍‌ସି, ସିଏଚ୍‌ସିରେ ଲାଗିଥିବା ଗାଡି ମଧ୍ୟ ଖରାପ ଯୋଗୁଁ ରୋଗୀମାନଙ୍କୁ ବଲାଙ୍ଗିର ନେବାରେ ଅସୁବିଧା ଭୋଗୁଛନ୍ତି ଜନସାଧାରଣ । ଆଗ ଆମ୍ବୁଲାନ୍ସ ସେବା ପ୍ରତି ମୁହୂର୍ତ୍ତରେ ଉପଲବ୍ଧ ହେଉଥିବା ବେଳେ କିଛି ଦିନ ହେବ ଏହି ସେବା ଠିକ୍‌ ଭାବେ ଯୋଗାଇ ଦିଆଯାଇ ପାରୁ ନ ଥିବା ଅଭିଯୋଗ ହେଉଛି । ତିନିରୁ ଚାରି ଘଣ୍ଟା ଧରି ଅପେକ୍ଷା କରିବାକୁ ପଡୁଛି ରୋଗୀଙ୍କୁ, ଅତି ଗୁରୁତର ରୋଗୀଙ୍କୁ ନେବାରେ ବିଳମ୍ବ ଯୋଗୁଁ ଜୀବନ ପ୍ରତି ବିପଦକୁ ଏଡାଇ ଦିଆଯାଇନପାରେ । ପରିତାପର ବିଷୟ ଯେ ସରକାରଙ୍କ ଯୋଜନା ବୋଲି ଏହି ଆମ୍ବୁଲାନ୍ସ ସେବା ପାଇଁ ସାଧାରଣ ଜ୍ଵର, ମୁଣ୍ଡ ବୁଲା, ରକ୍ତଚାପ ଥିବା ରୋଗୀ ମଧ୍ୟ ଅଯଥାରେ ବୁହା ହୋଇ ଏହି ଆମ୍ବୁଲାନ୍ସରେ ଆସୁଥିବା ଶୁଣିବାକୁ ମିଳୁଛି । ସରକାର ଲୋକଙ୍କୁ ଜରୁରୀ ସେବା ପ୍ରଦାନ କ୍ଷେତ୍ରରେ ଏହି ସେବା ପ୍ରଦାନ କରିଥିବା ବେଳେ ଲୋକଙ୍କ ଖାମ୍ ଖିଆଲ ମନୋଭାବ ମଧ୍ୟ ଅନ୍ୟ ଏକ ମୁଖ୍ୟ କାରଣ । ଟିଟିଲାଗଡ ସରକାରୀ ଡାକ୍ତରଖାନା ଉପରେ ବହୁତ ଲୋକ ନିର୍ଭର କରିଥାନ୍ତି, ସେଥିପାଇଁ ଏହି ମୁଖ୍ୟ ଡାକ୍ତରଖାନାକୁ ଅଧିକ ଆମ୍ବୁଲାନ୍ସ ଯୋଗାଇ ଦେବାକୁ ସାଧାରଣରେ ଦାବୀ ହେଉଛି । ତା’ ସହିତ ଆମ୍ବୁଲାନ୍ସ ମେଣ୍ଟନେନସ ଶୀଘ୍ର କରିବାକୁ ଦାବୀ ହେଉଛି ।

Leave A Reply

Your email address will not be published.