jayashree

ଜେନିଥ୍ ଲାୟନ୍ସ ଗୁରୁକୁଳରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଜେନିଥ୍ ଲାୟନ୍ସ ଗୁରୁକୁଳ ଠାରେ ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ୍ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ମହାସମାରୋହରେ ପାଳନ କରାଯାଇଛି । ଏହି ଅବସରରେ ଛାତ୍ରଛାତ୍ରୀମାନେ ଗାନ୍ଧୀଜୀ ଏବଂ ଶାସ୍ତ୍ରୀଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଦେଶଭକ୍ତି ସଙ୍ଗୀତ, ଗାନ୍ଧିଜୀଙ୍କ ନୀତିବାଣୀ ଓ ଭାଷଣ ପ୍ରସ୍ତୁତ କରିଥିଲେ । ସୁଶ୍ରୀ ପୁନ୍ୟା ଦାଶ ଗାନ୍ଧିଜୀଙ୍କ ପ୍ରିୟ ଭଜନ “ବୈଷ୍ଣବ ଜନତୋ” ସଙ୍ଗୀତ ପରିବେଷଣ କରିଥିବା ବେଳେ ସୁଶ୍ରୀ ଆରାଧ୍ୟା ଦୋରା ଏବଂ ସୁଶ୍ରୀ ଆଦ୍ୟାଶା ଆଚାର୍ଯ୍ୟ ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । ଗାନ୍ଧୀଜୀଙ୍କ ସତ୍ୟ, ଅହିଂସା ଓ ସ୍ୱଚ୍ଛତା ଏବଂ ଶାସ୍ତ୍ରୀଜୀଙ୍କ “ଜୟ ଯବାନ, ଜୟ କିଷାନ”ର ଆଦର୍ଶ ଉପରେ ଛାତ୍ରଛାତ୍ରୀମାନେ ଆଲୋଚନା କରିଥିଲେ । କାର୍ୟ୍ୟକ୍ରମରେ ଅଧ୍ୟକ୍ଷ ଡ଼. ମନୋଜ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଭୟ ମହାନ ନେତାଙ୍କ ଜୀବନୀ ଓ ଦେଶ ପ୍ରତି ତାଙ୍କ ଅବଦାନ ବିଷୟରେ ଆଲୋକପାତ କରିଥିଲେ । ଗାନ୍ଧିଜୀଙ୍କ ବିଚାରଧାରାର ସବୁ ସମୟରେ ପ୍ରାସଙ୍ଗିକତା ଅଛି ବୋଲି ସେ କହିଥିଲେ । ସତ୍ୟବାଦୀତା, ସତ୍ୟ ପ୍ରତି ନିଷ୍ଠା, ଅହିଂସା, ଅସ୍ତେୟ, ଅପରିଗ୍ରହ, ବ୍ରହ୍ମଚର୍ଯ୍ୟ ସମସ୍ତ ଗୁଣ ଗୁଡିକ ମଣିଷର ଧ୍ୟେୟ ହେବା ଉଚିତ ବୋଲି ସେ ମତ ଉପସ୍ଥାପନ କରିଥିଲେ । ଏହି ଅବସରରେ ଜେନିଥର ଲିଓ ପରିସରରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଇଣ୍ଟିଗ୍ରିଟି ସପ୍ (ସଚ୍ଚୋଟତା ଦୋକାନ) ପରିଚାଳନା କରାଯାଇଥିଲା, ଯେଉଁଠି ବିନା ଦୋକାନୀରେ ନିଜେ ନିଜେ ଜିନିଷ ନେଇ ଟଙ୍କା ରଖିବା ମାଧ୍ୟମରେ ସଚ୍ଚୋଟତାର ପାଠ ପଢ଼ାଯାଇଥିଲା । ଏହା ସହିତ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଦାଣ୍ଡିଯାତ୍ରା ମଧ୍ୟ ପ୍ରଦର୍ଶନ କରାଯାଇଥିଲା, ଯାହା ଦର୍ଶକମାନଙ୍କୁ ବେଶ୍ ଆକର୍ଷିତ କରିଥିଲା । ଏହି ଅବସରରେ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ରଞ୍ଜିତ କୋଛିଆରୀ, ଉପାଧ୍ୟକ୍ଷା ଶ୍ରୀମତୀ ମମତା ସିହ୍ନାଙ୍କ ସହ ସମସ୍ତ ଶିକ୍ଷକ, କର୍ମଚାରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ବରିଷ୍ଠ ଶିକ୍ଷକ ସନ୍ତୋଷ ବେହେରା ଓ କେଶବ କର ପରିଚାଳନା କରିଥିଲେ । ଶେଷରେ ଉପାଧ୍ୟକ୍ଷ ରଞ୍ଜିତ କୋଚିଆରୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.