ଆର୍.ଜି.ଏଚ୍. କର୍ତ୍ତୃପକ୍ଷଙ୍କର ଶ୍ରମିକ ବିରୋଧୀ ଘରୋଇ ଠିକା ସଂସ୍ଥା ପ୍ରତି ଅହେତୁକ ଅନୁକମ୍ପା ପ୍ରଦର୍ଶନର ଭିଜିଲାନ୍ସ ତଦନ୍ତ ହେଉ
ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସରକାରୀ ଡାକ୍ତରଖାନାରେ ଦୀର୍ଘ ବର୍ଷ ବର୍ଷ ଧରି ସାରଳା ସିକ୍ୟୁରିଟି ସଂସ୍ଥା ସିକ୍ୟୁରିଟି ଗାର୍ଡ ଯୋଗାଇ ଆସୁଥିଲେ ହେଁ ଗାର୍ଡ ମାନଙ୍କୁ ସଠିକ୍ ଦରମା ପ୍ରଦାନ କରାଯାଏ ନାହିଁ । ଏ ମର୍ମରେ ଗାର୍ଡ ମାନଙ୍କର ସମସ୍ୟାକୁ ନେଇ ସିଆଇଟିୟୁ ପକ୍ଷରୁ ଶ୍ରମ ଦପ୍ତରରେ ଉଠାଇବା ପରେ ଶ୍ରମ ବିଭାଗ ପକ୍ଷରୁ ସମ୍ପୃକ୍ତ ଘରୋଇ ସଂସ୍ଥାକୁ ବକେୟା ଦରମା ପ୍ରଦାନ ପାଇଁ ବାରମ୍ବାର ନିର୍ଦ୍ଦେଶ ସତ୍ତ୍ୱେ ଉକ୍ତ ଘରୋଇ ସଂସ୍ଥା ଗାର୍ଡ ମାନଙ୍କର ବକେୟା ଦରମା ପ୍ରଦାନ କଲେ ନାହିଁ । ଶେଷରେ ଶ୍ରମ ଦପ୍ତର ମୁଖ୍ୟ ନିଯୁକ୍ତିଦାତା ଭାବେ ରାଉରକେଲା ସରକାରୀ ଡାକ୍ତରଖାନାର ଅଧିକାରୀଙ୍କୁ ଆଇନ ମୁତାବକ ଠିକା ସଂସ୍ଥାକୁ ବାଦ ଦେଇ ସେକ୍ସନ ୨୧(୪) ବଳରେ ବକେୟା ଅର୍ଥ ପ୍ରଦାନ ପାଇଁ ମେମୋ ନମ୍ବର ୫୬୨୪/ ଜେଏଲ୍ସି ୨ ଡିସେମ୍ବର ୨୦୨୫ ତାରିଖରୁ ଦେଇଥିଲେ ହେଁ ଅଦ୍ୟାବଧି ଡାକ୍ତରଖାନା କର୍ତ୍ତୃପକ୍ଷ ଗାର୍ଡ଼ ମାନଙ୍କର ବକେୟା ଦରମା ପ୍ରଦାନ କଲେ ନାହିଁ ଓଲଟା ଗାର୍ଡ଼ ମାନଙ୍କର ଜାନୁଆରୀ ମାସର ଦରମା ମିଳି ନାହିଁ । ଏ ସମ୍ପର୍କରେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଥିଲେ ହେଁ ଡାକ୍ତରଖାନା କର୍ତ୍ତୃପକ୍ଷ ନାହିରେ ତେଲ ପକାଇ ଶୋଇବା ପଛରେ ଯେଉଁ ରହସ୍ୟ ରହିଛି ତାହାର ତଦନ୍ତ ହେବା ଜରୁରୀ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଇତି ମଧ୍ୟରେ ଉକ୍ତ ଠିକା ସଂସ୍ଥାର ଟେଣ୍ଡର ଜାନୁଆରୀ ୩୧ ତାରିଖ ଠାରୁ ସରିଯାଇଛି କିନ୍ତୁ ଉକ୍ତ ସଂସ୍ଥା ଗାର୍ଡ଼ ମାନଙ୍କର ବକେୟା ସମସ୍ତ ପ୍ରାପ୍ୟ ଓ ବୋନସ ଆଦି ପ୍ରଦାନ ନକରି ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ସହ ସଲାସୁତୁରା କରି ଆଖି ବୁଜି ଶୋଇଛନ୍ତି । ଡାକ୍ତରଖାନା କର୍ତ୍ତୃପକ୍ଷ ତାହକୁ ସମର୍ଥନ କରି ଚାଲିଛନ୍ତି । ଏଠାରେ ପୁନଃ ଉଲ୍ଲେଖଯୋଗ୍ୟ ଯେ, ଠିକା ସଂସ୍ଥା ଆରମ୍ଭ ଦିନରୁ ଗାର୍ଡ଼ ମାନଙ୍କର ସର୍ବନିମ୍ନ ମଜୁରୀ ପ୍ରଦାନ କରିନାହାଁନ୍ତି । ସମସ୍ତ କାର୍ଯ୍ୟକଳାପର ଭିଜିଲାନ୍ସ ତଦନ୍ତ କଲେ ସମସ୍ତ କଳାକାର୍ନାମା ପଦାକୁ ଆସିବ । ତେଣୁ ସିଆଇଟିୟୁ ପକ୍ଷରୁ ଜିଲ୍ଲା ଉପସଭାପତି ସୁରେନ୍ଦ୍ର ଦାଶ ସମସ୍ତ ଘଟଣାର ଭିଜିଲାନ୍ସ ତଦନ୍ତ ପାଇଁ ଦାବି କରିବା ସହିତ ସମସ୍ତ ଗାର୍ଡ ମାନଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ନିବେଦନ କରିଛନ୍ତି ।