ରାସ୍ତା କଟିବାର ବର୍ଷେ କଟିଲା : ସ୍ଥାୟୀ ମରାମତି ହୋଇ ପାରିନାହିଁ

ଜନସାଧାରଣରେ ତୀବ୍ର ଅସନ୍ତୋଷ
ଚୁଡାପାଲି, (ଦେବରାଜ ନାହାକ) : ଗମନାଗମନର ସୁବିଧା ପାଇଁ ସରକାରଙ୍କ ନିୟମ ଅନେକ । ରାସ୍ତାକଡରେ ସଡକ ସୁରକ୍ଷା, ଜୀବନ ରକ୍ଷା, ଗାଡିର ବେଗ ନିୟନ୍ତ୍ରଣ ଆଦିକୁ ନେଇ ମାଳ ମାଳ ହୋଡିଙ୍ଗ୍ ମଧ୍ୟ ଲାଗିଛି । କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଅନଦେଖା କାରଣରୁ ବର୍ଷ ବର୍ଷ ହେବ ବିପଦପୂର୍ଣ୍ଣ ଅବସ୍ଥାରେ ରାସ୍ତା ଉପରେ ଲୋକ ଯାତୟାତ କରୁଛନ୍ତି । ଦୁଃଖର କଥା ଗତ ବର୍ଷ ୨୦୧୯ ଅଗଷ୍ଟ ୮ ତାରିଖର ଲଗାଣ ବର୍ଷାରେ ରାଜ୍ୟ ରାଜପଥ-୪୨ର ବଲାଙ୍ଗିର-ପାଟଣାଗଡ ରାସ୍ତାର ବାରପୁଡୁଗିଆଠାରୁ କୁଟେନ୍ସିଲାଟ ମଧ୍ୟରେ ୪୦୦ ମିଟର ରାସ୍ତା ଧୋଇ ହୋଇ ଯାଇଥିବା ଏବଂ ଖୁଂଟ୍ପାଲି ବସଷ୍ଟାଣ୍ଡ ନିକଟସ୍ଥ ପୋଲର ଏକ ପାଶ୍ୱର୍ ଭାଙ୍ଗି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାର ସଂପୂର୍ଣ୍ଣ ମରାମତି ହୋଇପାରି ନାହିଁ । ଗତ ବର୍ଷ ବନ୍ୟା ସମୟରେ ବଲାଙ୍ଗିରକୁ ସଂପୂର୍ଣ୍ଣ ରାସ୍ତା କଟି ବନ୍ଦ ହୋଇ ଯାଇଥିଲା । ସେ ସମୟରେ ଉକ୍ତ ରାସ୍ତାକୁ ଅସ୍ଥାୟୀ ଭାବେ ମରାମତି କରାଯାଇ ଗମନାଗମନକୁ ବାହାର କରା ଯାଇଥିଲା । ହେଲେ ତା ପରଠୁ ଏ ମଧ୍ୟରେ ବର୍ଷଟିଏ ପୂରିଯିବ ରାସ୍ତା କିମ୍ବା ପୋଲର ସ୍ଥାୟୀ ମରାମତି ହୋଇ ପାରିନାହିଁ । ଫଳରେ ଏହି ରାସ୍ତା ଦେଇ ରାଜ୍ୟ ତଥା ରାଜ୍ୟ ବାହାରୁ ଯାତୟାତ କରୁଥିବା ଗାଡି ମଟର ଜନସାଧାରଣ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ସ୍ଥାନରେ ଅନେକ ଲୋକ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ଏପରିକି ଦୁର୍ଘଟଣାରେ ଜଣକର ଜୀବନ ଯାଇଥିବା ନିକଟସ୍ଥ ଗ୍ରାମର ଲୋକଙ୍କଠାରୁ ପ୍ରକାଶ । ଏ ସଂପର୍କରେ ଚୁଡାପାଲି, ବାରପୁଡୁଗିଆ, ଢୁଲୁଶର, ଖୁଂଟପାଲି ଆଦି ଗ୍ରାମର ଜନସାଧାରଣ ସ୍ଥାନୀୟ ବିଧାୟକ ଶ୍ରୀ ନରସିହ ମିଶ୍ରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ବିଧାୟକ ଜନ ସାଧାରଣଙ୍କ ଅଭିଯୋଗକୁ ଭିତ୍ତିକରି ଏକ୍ଜିକ୍ୟୁଟିଭ ଇଂଜିନିୟର(ପି.ଡବ୍ଲୁ .ଡି.) କଂଟାବାଞ୍ଜିକୁ ଗତ ତା. ୨୭.୦୭.୨୦୨୦ ଏକ ଚିଠି ମଧ୍ୟ କରିଛନ୍ତି । ଏଥିରେ ସେ ଦର୍ଶାଇଛନ୍ତି ଗତ ୨୦୧୯ ଅଗଷ୍ଟରେ ହୋଇଥିବା ବନ୍ୟାରେ ବଲାଙ୍ଗିର -ପାଟଣାଗଡ ରାସ୍ତାର ବାରପୁଡୁଗିଆ ନିକଟସ୍ଥ ପୋଲ ନଷ୍ଟ ହୋଇଯାଇଛି । ତୁରନ୍ତ ଏହାର ମରାମତି ପାଇଁ ଆଗ୍ରହ ପ୍ରକାଶ କରିଥିବା ବେଳେ ଏବେ ସପ୍ତାହେ ହେବାକୁ ବସିଲାଣି, କାମର ଆରମ୍ଭ ହୋଇ ନାହିଁ । ଗତ ୩୧.୦୭.୨୦୨୦ରେ କେବଳ ଧୋଇ ହୋଇ ଯାଇଥିବା ସ୍ଥାନରେ ପଥରଗୁଣ୍ଡ ଏବଂ ବୋଲଡର ପକାଯାଇ ତଳିପକା କାମ କରାଯାଇଛି । ରାସ୍ତାର ମରାମତି ପାଇଁ ଆବଶ୍ୟକ ଅର୍ଥ ମଞ୍ଜୁର ହୋଇଥିବା ବିଶ୍ୱସ୍ତ ସୁତ୍ରରୁ ପ୍ରକାଶ । କିନ୍ତୁ କାହିଁକି ଏବଂ କେଉଁ କାରଣରୁ ରାସ୍ତା ମରାମତି ହୋଇ ପାରିନାହିଁ ତାହା ସ୍ଥାନୀୟ ଜନସାଧାରଣଙ୍କୁ ଆଶ୍ଚର୍ଯ୍ୟ କରୁଛି । ଅଂଚଳବାସୀଙ୍କ ଦାବୀ ରହିଛି ବିଭାଗୀୟ ଅଧିକାରୀ ତୁରନ୍ତ ସମସ୍ୟାର ସମାଧାନ କରି ଜନ ଜୀବନ ପ୍ରତି ସୁରକ୍ଷା ପ୍ରଦାନ କରନ୍ତୁ ।

Leave A Reply

Your email address will not be published.